4 ବର୍ଷରେ ଚୁନା ହେଲା ସୁନାର ସଂସାର! ଅଲଗା ହେଲେ ଚହଲ-ଧନଶ୍ରୀ, ସାମ୍ନାକୁ ଆସିଲା ପ୍ରକୃତ ସତ
ଚହଲ-ଧନଶ୍ରୀଙ୍କ ହେଲା ବିବାହ ବିଚ୍ଛେଦ । ଦୁହେଁ କୋର୍ଟରେ କହିଲେ ସତ ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ଶେଷରେ ଆଇନଗତ ଭାବରେ ଆଜି ବିଚ୍ଛଦ ହୋଇଛନ୍ତି । ବିବାହର 4 ବର୍ଷ ପରେ ଆଜି ସେମାନେ ସହମତିରେ ଅଲଗା ହୋଇଛନ୍ତି ।
ଗୁରୁବାର ଦିନ, ମୁମ୍ବାଇ ପରିବାର କୋର୍ଟରେ ସମସ୍ତ ଛାଡପତ୍ରର ଔପଚାରିକତା ସମାପ୍ତ ହୋଇଥିଲା ଏବଂ ଏହା ସହିତ ଏହି ଦମ୍ପତି ଅଲଗା ହୋଇଯାଇଛନ୍ତି । ତେବେ କେଉଁ କାରଣ ପାଇଁ ଛାଡପତ୍ର ହେଲା ଏହାର ପ୍ରକୃତ କାରଣ ମଧ୍ୟ ଜଣାପଡିଛି ।
କାଉନସେଲିଂ ସେସନରେ ଏକାଠି ରହିବାକୁ ମନା କଲେ ଚହଲ-ଧନଶ୍ରୀ: ଗୁରୁବାର ଦିନ ଧନଶ୍ରୀ ବର୍ମା ଏବଂ ୟୁଜଭେନ୍ଦ୍ର ସିଂହ ଚହଲ ସେମାନଙ୍କ ଛାଡପତ୍ରର ଆଇନଗତ ଔପଚାରିକତା ପୂରଣ କରିବା ପାଇଁ ମୁମ୍ବାଇ ଫାମିଲି କୋର୍ଟରେ ପହଞ୍ଚିଥିଲେ । ଏହି ସମୟରେ ସେ କହିଥିଲେ ଯେ ସେମାନଙ୍କ ମଧ୍ୟରେ କୌଣସି ସମନ୍ୱୟ ନଥିଲା ଯାହା ଯୋଗୁଁ ସେମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ ଏବଂ ଗତ 18 ମାସ ଧରି ସେମାନେ ଏକାଠି ରହୁନଥିଲେ ।
ଛାଡପତ୍ରକୁ ଅନୁମୋଦନ କରିବା ପୂର୍ବରୁ, କୋର୍ଟ ଉଭୟଙ୍କ ପାଇଁ କାଉନ୍ସଲିଂ ସେସନର ମଧ୍ୟ ବ୍ୟବସ୍ଥା କରିଥିଲେ ଯାହାଦ୍ୱାରା ସେମାନେ ଏକ ଆପୋଷ ସମାଧାନ କରିପାରିବେ । ତଥାପି, ଦୁହେଁ ସ୍ପଷ୍ଟ କରିଥିଲେ ଯେ ସେମାନେ ଏକାଠି ରହିପାରିବେ ନାହିଁ ଏବଂ ପାରସ୍ପରିକ ସମ୍ମତିରେ ଛାଡପତ୍ର ନେଉଛନ୍ତି ।
କଣ ପାଇଁ ହେଲା ଛାଡପତ୍ର- ଏହାରି ଭିତରେ ଦମ୍ପତି ସେମାନଙ୍କ ଅଲଗା ହେବାର କାରଣ ମଧ୍ୟ କହିଥିଲେ । ସେ କହିଥିଲେ ଯେ ସେମାନଙ୍କ ବିବାହର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସେମାନଙ୍କ ମଧ୍ୟରେ ସବୁକିଛି ସ୍ୱାଭାବିକ ଚାଲିଥିଲା କିନ୍ତୁ ପରେ ସେମାନଙ୍କ ମଧ୍ୟରେ ଦୂରତା ବଢ଼ିବାକୁ ଲାଗିଲା ।
ସେମାନେ ପ୍ରତ୍ୟେକ ଛୋଟ ଛୋଟ କଥାକୁ ନେଇ ଯୁକ୍ତିତର୍କ କରିବାକୁ ଲାଗିଲେ ଏବଂ ତା’ପରେ ସେମାନେ ଅନୁଭବ କଲେ ଯେ ସେମାନଙ୍କ ମଧ୍ୟରେ କୌଣସି ସମନ୍ୱୟ ନାହିଁ । ଏହା ପରେ ସେମାନେ ଏକାଠି ନ ରହିବା ଏବଂ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି ।