୨୪ ଘଣ୍ଟା ମଧ୍ୟରେ ଝଡ଼ବର୍ଷା, ସତର୍କ କଲା ପାଣିପାଗ କେନ୍ଦ୍ର

୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ଝଡ଼ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ।

ଭୁବନେଶ୍ୱର: ଆଜିବି ଛେଚିବ ବର୍ଷା। ୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି। ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ। ବିଜୁଳି ଘଡ଼ଘଡ଼ି ସହ କିଛି ଜିଲ୍ଲାରେ କୁଆପଥର ମାଡ଼ ହୋଇପାରେ । ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।

୧୯ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି। ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦୁଝର ଜିଲାର କେତେକ ଅଞ୍ଚଳରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି।

ଜାରି ରହିଛି ବର୍ଷା: ଯଦି ଦେଖିବା ପ୍ରଥମେ ଶୀତ। ଆଉ ମାଘ ମାସରେ ଶୀତ ବଦଳରେ ଟାଇଁଟାଇଁ ଖରା। ଯାହାକି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ହେଲେ ୧୯ ତାରିଖରୁ ପାଗରେ ପରିବର୍ତ୍ତନ ଆସିଲା।

ରାଜ୍ୟର କିଛି କିଛି ଜିଲ୍ଲାରେ କୁଆ ପଥର ମାଡ଼ ସହ ବର୍ଷା ପବନ ହେଲା। ଯାହାକି ଗରମରୁ ଟିକେ ଆଶ୍ୱସ୍ତି ଦେଲା। ଏହିଭଳି ପାଗ ଆହୁରି ୨ ଦିନ ରହିବ। ଏବଂ କିଛି କିଛି ଜିଲ୍ଲାରେ ଝଡ଼ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର।

ବର୍ଷା ରେକର୍ଡ: ପଶ୍ଚିମାଝଡ଼ ପ୍ରଭାବରେ ଅନୁଗୋଳ ଜିଲାର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି। ଶନିବାର ଅନୁଗୋଳରେ ସର୍ବାଧିକ ବର୍ଷା ୨୧ମି.ମି ରେକର୍ଡ ହୋଇଥିବା ବେଳେ, ବାଲେଶ୍ୱରରେ ୫.୬ ଓ ନୟାଗଡର ୪ ମି.ମି. ବର୍ଷା ରେକର୍ଡ ହୋଇଛି।

ସେହିପରି ଗୋପାଳପୁର, ତାଳଚେର ଏବଂ ରାଉରକେଲାରେ ହାଲୁକା ବର୍ଷା ହୋଇଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗତ ୨୪ଘଣ୍ଟା ମଧ୍ୟରେ ରାୟଗଡା, ଯାଜପୁର, କେନ୍ଦୁଝର, କଟକ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଜଗତସିଂହପୁରରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି।