ବଡ଼ ଘୋଷଣା କଲେ ସରକାର, ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ିକୁ ମିଳିବନି ପେଟ୍ରୋଲ

ଦିଲ୍ଲୀରେ ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ିକୁ ପେଟ୍ରୋଲ୍‌ ମନା ।

ନୂଆଦିଲ୍ଲୀ: ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ନେଇ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂ ସିରସା ଶନିବାର ପରିବେଶ ବିଭାଗ, ଏମସିଡି ଏବଂ ଏନଡିଏମସି ସହିତ ଏକ ବୈଠକ କରିଥିଲେ । ଏହାପରେ ଏକ ବଡ଼ ଘୋଷଣା କରିଛନ୍ତି ।

୧୫ ବର୍ଷରୁ ପୁରୁଣା ଯାନଗୁଡ଼ିକୁ ଏପ୍ରିଲ ୧ ରୁ ପେଟ୍ରୋଲ-ଡିଜେଲ ମିଳିବ ନାହିଁ ନାହିଁ ବୋଲି ସେ ଘୋଷଣା କରିଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯିବ, ଯାହା ଏପରି ଯାନଗୁଡ଼ିକୁ ଚିହ୍ନଟ କରିବ ।

ଦିଲ୍ଲୀ ସରକାର ଏବେ ପ୍ରତ୍ୟେକ କ୍ଷେତ୍ରରେ କଠୋରତାର ସହ କାମ କରୁଥିବା ଦେଖାଯାଉଛି । ଦିଲ୍ଲୀ ସରକାର ମଧ୍ୟ ପ୍ରଦୂଷଣ ଉପରେ କାମ କରିବା ଆରମ୍ଭ କରିଦେଇଛନ୍ତି । ଶନିବାର ଦିନ ମାରାଥନ ବୈଠକ ପରେ ପରିବେଶ ମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାର ପ୍ରଦୂଷଣ ହ୍ରାସ କରିବା ପାଇଁ କୌଣସି ଠୋସ୍ ପଦକ୍ଷେପ ନେଇ ନଥିଲେ  ।

କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ପାଣ୍ଠି ମଧ୍ୟ ସଠିକ୍ ଭାବରେ ବ୍ୟବହାର ହୋଇନଥିଲା । ଏହି କାରଣରୁ ଦିଲ୍ଲୀବାସୀଙ୍କୁ ପ୍ରତିବର୍ଷ ବିଷାକ୍ତ ବାୟୁ ସହିବାକୁ ପଡୁଛି ।

ଏହି କାରଣରୁ ବଢୁଛି ପ୍ରଦୂଷଣ-

ମନ୍ତ୍ରୀ ସିରସା କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣ ତିନୋଟି ପ୍ରମୁଖ ଉତ୍ସରୁ ବ୍ୟାପିଛି – ଧୂଳି ପ୍ରଦୂଷଣ, ଯାନବାହାନ ପ୍ରଦୂଷଣ ଏବଂ ନିର୍ମାଣ କାର୍ଯ୍ୟ ଦ୍ୱାରା ହେଉଥିବା ପ୍ରଦୂଷଣ।

୧. ଧୂଳି ପ୍ରଦୂଷଣ – ପୂର୍ବ ସରକାର ରାସ୍ତାରେ ସ୍ପ୍ରିଙ୍କଲର ଲଗାଇ ନଥିଲେ, ଯାହା ଫଳରେ ବାୟୁରେ ଧୂଳି କଣିକା ବୃଦ୍ଧି ପାଉଥିଲା।

୨. ଯାନବାହାନ ପ୍ରଦୂଷଣ – ରାସ୍ତାରେ ପୁରୁଣା ଯାନବାହାନ ଧୂଆଁ ନିର୍ଗତ କରୁଛି ଏବଂ ବାୟୁମଣ୍ଡଳକୁ ବିଷାକ୍ତ କରୁଛି ।

3. ନିର୍ମାଣ କାର୍ଯ୍ୟରୁ ପ୍ରଦୂଷଣ – ନିର୍ମାଣ ସ୍ଥାନରେ ଆଣ୍ଟି-ସ୍ମଗ୍ ଗନ୍ ଭଳି ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉନାହିଁ ।