ଦିଲ୍ଲୀରେ ଚୋରି କରି ପଲ୍ଲୀରେ ଲୁଚିଥିଲା ଚୋର

ଦିଲ୍ଲୀ ମନ୍ତ୍ରୀଙ୍କ ଘରୁ ସୁନା ଗହଣା ଚୋରି କଲା। ଓଡ଼ିଶାରେ ଆସି ସୁନା ଗହଣା ବିକ୍ରି କଲା।

ବାଲେଶ୍ୱର: ଦିଲ୍ଲୀରେ ଚୋରି, ହେଲେ ପଲ୍ଲୀରୁ ଚୋର ଗିରଫ। ଏକଥାଟି ଆପଣଙ୍କୁ ଟିକେ ଖଟକା ଲାଗୁଚିନା। ସମ୍ପର୍ଣ୍ଣ ଘଟଣା ବୁଝା ପଡୁନି ନା। ତେବେ ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ପୁରା ଖବର ଉପରେ ନଜର ପକାନ୍ତୁ।

ଘଟଣାଟି ହେଉଛି ନୂଆଦିଲ୍ଲୀର। ଆଜି କାଲି ତ ଚୋର ବିଶେଷ କରି ନେତା ମନ୍ତ୍ରୀଙ୍କ ଘର ଉପରେ ବେଶୀ ଟାର୍ଗେଟ କରୁଛନ୍ତି। ମୋଟା ଅଙ୍କର ଟଙ୍କା ଗହଣା ଚୋରି କରି ମାଲେମାନ ହେବାର ନିଶା ଚଢିଛି। ଆଉ ସେହିପରି ଦିଲ୍ଲୀର ଜଣେ ମନ୍ତ୍ରୀଙ୍କ ଘରୁ ଚୋରି ହୋଇଥିଲା।

ମନ୍ତ୍ରୀଙ୍କ ଘରୁ ଚୋରି: ଦିଲ୍ଲୀର ଜଣେ ମନ୍ତ୍ରୀଙ୍କ ଘରୁ ଦୁଇ ମାସ ତଳେ ଚୋରି ହୋଇଥିଲା। ଏନେଇ ଥାନାରେ ଅଭିଯୋଗ କରିଥିଲେ ଉକ୍ତ ମନ୍ତ୍ରୀ ଜଣଙ୍କ। ଅଭିଯୋଗ ପାଇବା ପରେ ପୋଲିସ ମଧ୍ୟ ଚୋରକୁ ଖୋଜିବାରେ ସବୁ ବଳ ଲଗେଇଦେଇଥିଲା।

ହେଲେ କୌଣସି ଲାଭ ମିଳି ନଥିଲା। ପୋଲିସର ଅକ୍ଳାନ୍ତ ପରିଶ୍ରମ ପରେ ସୁଦ୍ଧା ଚୋରର ଚେର ମିଳି ନଥିଲା। ଧରା ବା ପଡିବ କେମିତି। ଚୋର ସିନା ଦିଲ୍ଲୀରେ ଥିଲେ ଧରା ପଡିବ। ଚୋର ତ ଦିଲ୍ଲୀରେ ଚୋରି କରି ପଲ୍ଲୀକୁ ପଳେଇ ଆସିଥିଲା।

ଓଡ଼ିଶାରୁ ଗିରଫ: ଅର୍ଥାତ୍ ଦିଲ୍ଲୀରେ ଚୋରି କରି ଚୋର ଓଡ଼ିଶା ଚାଲି ଆସିଥିଲା। କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା କି ବାଲେଶ୍ୱର ନୀଳଗିରି ଭୀମେଇ ଗାଁର ରତି ରଞ୍ଜନ ମଲ୍ଲିକ ମନ୍ତ୍ରୀଙ୍କ ଘରୁ ଚୋରି କରିଥିଲା।

ପୋଲିସ ଖବର ପାଇବା ମାତ୍ରେ, ଓଡ଼ିଶା ଆସିଥିଲା ଆଉ ରତି ରଞ୍ଜନକୁ ଗିରଫ କରିଥିଲା। ପଚରାଉଚରା ବେଳେ ସେ ଏହି ସୁନା ଗହଣାକୁ ସୋର କଂଗ୍ରେସ ଭବନ ନିକଟରେ ଥିବା ମା ସର୍ବ ମଙ୍ଗଳା ଜୁଏଲାରୀରେ ବିକ୍ରି କରିଥିବା ପୋଲିସକୁ କହିଥିଲା। ଯାହାପରେ ଦିଲ୍ଲୀ ପୋଲିସ ସୋର ପୋଲିସ ସହାୟତାରେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ସୁନା ଗହଣାକୁ ଜବତ କରିଛି।