ସାହସିକତା ଦେଖାଇଲେ, ବନବିଭାଗ ଆସିଲାନି ନିଆଁ ଲିଭାଇ ଉଦାହରଣ ପାଲଟିଲେ ମା’-ଝିଅ
ହୁତୁହୁତୁ ହୋଇ ଜଳୁଥିଲା ଜଙ୍ଗଲ। କ୍ଷୀପ୍ର ବେଗରେ ଗାଁ ଆଡ଼କୁ ମାଡ଼ି ଆସୁଥିଲା। ସମସ୍ତେ ଚିନ୍ତାରେ ପଡିଯାଇଥିଲେ। ବନ ବିଭାଗକୁ ଖବର ଦେଲେ ସୁଦ୍ଧା ବନ ବିଭାଗ ଆସିନଥିଲା। ଶେଷରେ ସାହାସ ଦେଖାଇଲେ ମା'-ଝିଅ। ରାତି ଅଧରେ ପାହାଡ଼ ଚଢ଼ି ନିଆଁକୁ ଆୟତ୍ତ କଲେ।
ଫୁଲବାଣୀ: ରାଜ୍ୟରେ ଖରା ଯେତିକି ବଢ଼ୁଛି ଜଙ୍ଗଲରେ ନିଆଁ ଲାଗିବା ଘଟଣା ସେତେ ଚିନ୍ତାରେ ପକାଉଛି। ତାତି ବଢିବା ସହ ବନାଗ୍ନି ମଧ୍ୟ ବଢି ବଢି ଚାଲିଛି। ବନ ବିଭାଗ ଅନେକ ପ୍ରୟାସ ପରେ ବି ପ୍ରାୟ ସ୍ଥାନରେ ଫେଲ ମାରୁଛି। ହେଲେ ଏଠାରେ ସାହସିକତାର କାମ କରିଛନ୍ତି ମା’-ଝିଅ।
ଜଙ୍ଗଲରେ ଲାଗିଥିବା ନିଆଁକୁ ସମ୍ପୂର୍ଣ୍ଣ ଲିଭାଇ ଜୀବନ ଜନ୍ତୁକୁ ରକ୍ଷା କରିବା ସହ, ବିଶାଳ କାୟ ଗଛର ମଧ୍ୟ ସୁରକ୍ଷା କରିଛନ୍ତି। ତା ସହ ଗାଁ ଆଡକୁ ମାଡି ଆସୁଥିବା ନିଆଁ ପାଇଁ ଯେଉଁ ଚିନ୍ତା ଥିଲା ତାକୁ ମଧ୍ୟ ସମାପ୍ତ କରିଛନ୍ତି। ଯାହାପାଇଁ ଚାରିଆଡୁ ଏହି ମା’-ଝିଅଙ୍କୁ ପ୍ରଶଂସାର ସୁଅ ଛୁଟୁଛି।
ବନାଗ୍ନି ଲିଭାଇଲେ ମା’-ଝିଅ: ହଁ ଏବେ ରାଜ୍ୟରେ ତାତି ବଢିବା ସହ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏହାସହ କନ୍ଧମାଳର ଅନେକ ଜଙ୍ଗଲ ନିଆଁର ଆଁ ରେ ହୁତୁହୁତୁ ହୋଇ ଜଲୁଛି। ନିଆଁ ଲିଭାଇବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ପରେ ବି ନିଆଁ ଆୟତ୍ତକୁ ଆସୁନି।
ଆଉ ଏହାରି ଭିତରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତ ଅନ୍ତର୍ଗତ ମେଲୁମାହା ଗ୍ରାମରେ ଜଣେ ବୃଦ୍ଧା ବିମଳା ନାୟକ ଏବଂ ତାଙ୍କ ଝିଅ ଲିପିକା ନାୟକ ଗ୍ରାମ ଉପକଣ୍ଠରେ ଲାଗିଥିବା ବନାଗ୍ନିକୁ ରୋକି ଉଦାହରଣ ପାଲଟିଛନ୍ତି। ଯେଉଁ କାମ ବନ ବିଭାଗ କରିବା କଥା, ତାକୁ ମା‘- ଝିଅ କରି ପ୍ରଶଂସାର ପାତ୍ର ହୋଇଛନ୍ତି।
ଗାଁକୁ ମାଡୁଥିଲା ନିଆଁ: ତେବେ ଗତକାଲି ମେଲୁମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ନିଆଁ ଲାଗିଥିଲା। ଏହି ନିଆଁ ଧିରେ ଧିରେ ମେଲୁମାହା ଗ୍ରାମ ଆଡକୁ ମାଡି ମାଡି ଚାଲିଥିଲା। ଯାହା ଆଖପାଖ ଅଞ୍ଚଳର ସମସ୍ତଙ୍କ ଚିନ୍ତା ବଢାଇ ଦେଇଥିଲା।
ନିଆଁକୁ କିପରି ଆୟତ୍ତ କରିହେବ ସେ ନେଇ ସମସ୍ତେ ଚିନ୍ତାରେ ପଡିଯାଇଥିଲେ। ଯଦି ନିଆଁ ଆୟତ୍ତକୁ ନଆସେ ତେବେ ଆଖପାଖ ପୁରା ଅଞ୍ଚଳ ଜଳି ପୋଡି ଛାରଖାର ହୋଇଯିବ। ଆଉ ଏହି ଆଲୋଚନା ଭିତରେ ସାହସିକତା ଦେଖାଇଥିଲେ ଜଣେ ବୁଢୀ ମା’ ଓ ତାଙ୍କ ଝିଅ।
ମା’ -ଝିଅଙ୍କ ସାହାସିକତା: ନିଆଁ ଗାଁ ମୁହାଁ ହେବା ଦେଖି ଅନ୍ଧାର ରାତିରେ ଜଙ୍ଗଲ ହୁତୁହୁତୁ ହୋଇ ଜଳୁଥିବା ବେଳେ ଅନ୍ୟମାନେ ଦେଖଣାହାରି ସାଜିଥିଲେ। ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ କେହି ଘଟଣାସ୍ଥଳରେ ପହଞ୍ଚି ନଥିଲେ।
ମା’- ଝିଅ ଦୁହେଁ ଘନ ଅନ୍ଧାର ରାତିରେ ନିଆଁ ଲିଭାଇବାକୁ ସେମାନଙ୍କ ପୋଷା କୁକୁରକୁ ନେଇ ଯାଇଥିଲେ। ପ୍ରାୟ ଅଧ କିଲୋମିଟର ପାହାଡ଼ ଚଢ଼ିବା ପରେ ଦୁହେଁ ନିଆଁ ଲାଗିବା ସ୍ଥାନରେ ପହଞ୍ଚି ଯାଇଥିଲେ। ପ୍ରଥମେ ଜଙ୍ଗଲରେ ପଡ଼ିଥିବା ଶୁଖିଲା ପତ୍ରକୁ ଝାଡ଼ୁ କରି ନିଆଁ ଲାଗିବା ସ୍ଥାନ ଠାରୁ ପୃଥକ କରି ଦେଇଥିଲେ। ଫଳରେ ଆଉ ନିଆଁ ବ୍ୟାପି ପାରି ନଥିଲା।
ପ୍ରାୟ ଦୁଇ ଘଣ୍ଟା ଧରି ପରିଶ୍ରମ କରି ଶେଷରେ ନିଆଁକୁ ସମ୍ପୂର୍ଣ୍ଣ ଲିଭାଇ ପାରିଥିଲେ। ଏପଟେ ଗାଁରେ ମା’-ଝିଅଙ୍କୁ ଘରେ ନ ଦେଖି ଖୋଜାଖୋଜି କରିଥିଲେ। ପରେ ସବୁ କଥା ଶୁଣିବା ପରେ ଗାଁଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ।