ପଞ୍ଚଭୂତରେ ବିଲୀନ ହେଲେ ବିଜେପିର ବିନ୍ଧାଣି ଦେବେନ୍ଦ୍ର ପ୍ରଧାନ, ପୁରୀ ସ୍ବର୍ଗଦ୍ବାରରେ ଦିଆଗଲା ଗାର୍ଡ ଅଫ ଅନର
ପୁରୀ ସ୍ବର୍ଗଦ୍ବାରରେ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟ ସମ୍ପନ୍ନ ।
ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ସୋମବାର ପରଲୋକ ହୋଇଥିବା ବେଳେ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦେବେନ୍ଦ୍ରଙ୍କ ଶେଷକୃତ୍ୟରେ ବାବା ରାମଦେବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ସାମିଲ ହୋଇଛନ୍ତି ।
ପୁରୀ ସ୍ବର୍ଗଦ୍ବାରରେ ଗାର୍ଡ ଅଫର ଅନର ଦିଆଯିବା ପରେ ତାଙ୍କ ଶେଷକୃତ୍ୟ କରାଯାଇଛି । ସୋମବାର 84 ବର୍ଷ ବୟସରେ ନୂଆଦିଲ୍ଲୀରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଦେବେନ୍ଦ୍ର । ତେବେ ତାଙ୍କର ଶେଷ ଦର୍ଶନ ପାଇଁ ଧର୍ମେନ୍ଦ୍ରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବହୁ ମାଣ୍ୟଗଣ୍ୟ ବ୍ୟକ୍ତିଙ୍କ ଭିଡ଼ ଜମିଥିଲା । ଅଟଳ ବିହାରୀ ବାଜପୈୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ରହିଥିଲେ ଦେବେନ୍ଦ୍ର ପ୍ରଧାନ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଠୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯାଏଁ ତାଙ୍କର ଶେଷ ଦର୍ଶନ କରିଥିଲେ । ଏହାପରେ ତାଙ୍କର ମର ଶରୀରକୁ ଭୁବନେଶ୍ବର ଅଣାଯାଇଥିଲା । ଭୁବନେଶ୍ବର ବିମାନବନ୍ଦରରେ ପହଂଚିବା ପରେ ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏଠାରେ ବହୁ ବ୍ୟକ୍ତବିଶେଷ ତାଙ୍କର ଅନ୍ତିମ ଦର୍ଶନ କରିବା ପରେ ଆଜି ସ୍ବର୍ଗ ଦ୍ବାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
ସ୍ବର୍ଗଦ୍ବାରରେ ମରଶରୀର ପହଞ୍ଚିବା ପରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ରାମନାମ ସତ୍ୟ ହେ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପୂରା ପରିବେଶ । ସ୍ବର୍ଗତ ଦେବେନ୍ଦ୍ର 3 ଥର ରାଜ୍ୟ ବିଜେପି ସଭାପତି ଦାୟିତ୍ବ ତୁଲାଇଥିବା ବେଳେ ଦେବଗଡ଼ରୁ ଦୁଇଥର ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ଥିଲେ ।