Breaking: “ମୋ ନାଁରେ ମିଛ କହୁଛନ୍ତି ନବୀନ ପଟ୍ଟନାୟକ”; ପ୍ରଭାତ

ନବୀନଙ୍କୁ କଡ଼ା ଯବାବ ଦେଲେ ପ୍ରଭାତ। ମୋ ନାଁ ରେ ମିଛ କହୁଛନ୍ତି ନବୀନ ପଟ୍ଟନାୟକ। ମୁଁ ଦୋଷୀ ନୁହେଁ। ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ମୁଁ ଗ୍ରହଣ କରିବି। କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ସଭାପତି କହିବା ଠିକ୍ ନୁହେଁ। 

ଭୁବନେଶ୍ୱର: ପୁଣି ତେଜିଲା ବିଜେଡି ରାଜନୀତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଭାତ ତ୍ରିପାଠୀଙ୍କ ଜବାବ। ଗତକାଲି ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇ ପ୍ରଭାତ ଦଳରେ କେହି ନୁହଁ ବୋଲି କହିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଯାହାପରେ ଆଜି ପ୍ରେସମିଟ୍ କରି ନିଜ ସପକ୍ଷରେ ବିବୃତ୍ତି ରଖିଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ। ପୂର୍ବରୁ ପାଣ୍ଡିଆନଙ୍କୁ କଟୁ ସମାଲୋଚନା କରିଥିଲେ ପ୍ରଭାତ। ଆଉ ଆଜି ବି ପ୍ରେସମିଟ୍ କରି ପରୋକ୍ଷରେ ପାଣ୍ଡିଆନଙ୍କୁ କଟାକ୍ଷ କରିବା ସହ ନବୀନଙ୍କୁ ଜବାବ ଦେଇଛନ୍ତି ପ୍ରଭାତ।

ନବୀନଙ୍କ ବିବୃତ୍ତି: ଗତକାଲି ଗଣମାଧ୍ୟମ ସାମ୍ନାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିଲେ। ଆଉ କହିଥିଲେ ପାଣ୍ଡିଆନ ୧୦ ମାସ ପୂର୍ବରୁ ଦଳ ଛାଡି ସାରିଛନ୍ତି। ତେଣୁ ତାଙ୍କ ନାଁରେ ରାଜନୀତି କରିବାର କିଛି ଆବଶ୍ୟକତା ନାହିଁ।

ଏହାସହ ସେ କହିଥିଲେ ଡପ୍ରଭାତ ତ୍ରିପାଠୀ ବିଜେଡିର କେହି ନୁହେଁ। ଚିଟଫଣ୍ଡ କେସ ଏବଂ ଦଳ ବିରୋଧୀ କାମ ପାଇଁ ବହୁ ବର୍ଷ ପୂର୍ବରୁ ତାଙ୍କୁ ଦଳରୁ ବହିଷ୍କାର କରାସରିଛି। ତେଣୁ ଯିଏ ଦଳର କେହି ନୁହେଁ ତାଙ୍କ ମନ୍ତବ୍ୟ ଦଳ ପାଇଁ କୌଣସି ଗୁରୁତ୍ୱ ବହନ କରେ ନାହିଁ।

ପ୍ରଭାତଙ୍କ ଜବାବ: ଗତକାଲି ରାତିରେ ନବୀନ ପ୍ରଭାତଙ୍କୁ ନେଇ ମନ୍ତବ୍ୟ ଦେବା ପରେ ସକାଳୁ ପ୍ରେସମିଟ୍ କରି ନବୀନଙ୍କୁ କଡ଼ା ଜବାବ ଦେଇଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ।

ପ୍ରଭାତ କହିଛନ୍ତି, ” ଚିଟଫଣ୍ଡ ମାମଲାରେ ମୋତେ ନିଲମ୍ୱନ କରାଯାଇଥିଲା। ମାତ୍ର, ୨୦୧୭ରେ ମୋ ଉପରୁ ନିଲମ୍ୱନ ହଟାଯାଇଥିଲା। ଏହା ପରଠାରୁ କୌଣସି ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇନି। ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ମୁଁ ସାମିଲ ହୋଇଛି”।

ଏପରିକି ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ କାମ କରିଛି। ଦଳରେ ମୁଁ ନାହିଁ କହିବା ନବୀନଙ୍କ ମୁହଁରେ ଶୋଭା ପାଉନି। ମୋତେ କିଛି ଦିନ ପାଇଁ ସସ୍ପେଣ୍ଡ କରାଯାଇଥିଲା। ବିଜୁ ଜନତା ଦଳର ମୁଁ ଜଣେ ଶୃଙ୍ଖଳିତ କର୍ମୀ। ହେଲେ କାଲି ପରଠାରୁ ମୁଁ ବିଜେଡିରେ ନାହିଁ ବୋଲି କହିଛନ୍ତି ପ୍ରଭାତ।

ପାଣ୍ଡିଆନଙ୍କୁ ନିଶାନା: କେବଳ ନବୀନଙ୍କୁ ଜବାବ ଦେଇଛନ୍ତି ତାହା ନୁହେଁ। ପୂର୍ବରୁ ଯେଉଁ ପାଣ୍ଡିଆନଙ୍କୁ କଟୁ ସମାଲୋଚନା କରି ନବୀନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସେହି ପାଣ୍ଡିଆନଙ୍କ ନାଁ ନ ନେଇ ମଧ୍ୟ ପ୍ରେସମିଟରେ ଅନେକ କିଛି କହିଛନ୍ତି ପ୍ରଭାତ।

“ଯିଏ ସବୁଠାରୁ ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲି ରାଜ୍ୟରେ ବହୁଳ ଭାବରେ ଚର୍ଚ୍ଚା ହେଉଛି। ସିଏ ଯେତେବେଳେ ୨୪ ମସିହା ନିର୍ବାଚନରେ ନିର୍ବାଚନ ପ୍ରଚାର ପାଇଁ ଯାଇ ଷ୍ଟେଜ ଉପରେ ପହଞ୍ଚୁଥିଲେ ସେତେବେଳେ ମୋ ବିନା ଉପସ୍ଥିତିରେ ମଧ୍ୟ ମୋ ସପକ୍ଷରେ ମନ୍ତବ୍ୟ ଦେଇଛନ୍ତି।

୧୦ ହଜାର ଲୋକଙ୍କ ଆଗରେ ମତେ ପ୍ରଶଂସା କରିଥିଲେ। ତେଣୁ ପ୍ରଭାତ ତ୍ରିପାଠୀ ବିଜେଡି ଦଳରେ ନାହାନ୍ତି କହିବା ନବୀନଙ୍କ ମୁହଁରେ ଶୋଭା ପାଉନି। ଯାହାକୁ କେନ୍ଦ୍ର କରି ଓଡ଼ିଶା ଉଠୁଛି ପଡ଼ୁଛି ତାକୁ ଗୌଣ କରିଦେବା କେତେଦୂର ଯୁକ୍ତିଯୁକ୍ତ ଆପଣମାନେ ବିଚାର କରନ୍ତୁ”।

ମୁଁ ଦୋଷୀ ନୁହେଁ: ଏହାସହ ଚିଟଫଣ୍ଡ ଘଟଣା ଉପରେ ମଧ୍ୟ ବୟାନ ଦେଇଛନ୍ତି ପ୍ରଭାତ।  ଦଳରେ ମୁଁ ନାହିଁ କହିବା ନବୀନଙ୍କ ମୁହଁରେ ଶୋଭା ପାଉନି। ମୁଁ ଦୋଷୀ ନୁହେଁ, କି ଦୋଷୀ ହୋଇନାହିଁ। ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ ମୁଁ ଗ୍ରହଣ କରିବି। କୋର୍ଟଙ୍କ ନିଷ୍ପତ୍ତି ପୂର୍ବରୁ ସଭାପତି କହିବା ଠିକ୍ ନୁହେଁ।