BREAKING: ଦିଲ୍ଲୀର ମୁସ୍ତାଫାବାଦରେ ଭୁଶୁଡ଼ିଲା ୪ ମହଲା କୋଠା, ୪ ଜଣଙ୍କ ମୃତ୍ୟୁ

କୋଠାର ଭଗ୍ନାବଶେଷ ଭିତରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣା ସ୍ଥଳରେ ଡଗ୍ ସ୍କ୍ୱାଡ୍‌, ଏନଡିଆରଏଫ ଏବଂ ପୋଲିସ ଦଳ ଉପସ୍ଥିତ ଅଛନ୍ତି।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

କୋଠାର ଭଗ୍ନାବଶେଷ ଭିତରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣା ସ୍ଥଳରେ ଡଗ୍ ସ୍କ୍ୱାଡ୍‌, ଏନଡିଆରଏଫ ଏବଂ ପୋଲିସ ଦଳ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ମୁସ୍ତାଫାବାଦ ଅଞ୍ଚଳର ଶକ୍ତି ବିହାରରେ ଘଟିଛି। ଭୋର ସମୟରେ ଚାରି ମହଲା ବିଶିଷ୍ଟ କୋଠାଟି ଭୁଶୁଡ଼ି ପଡ଼ିଥିଲା।

କୋଠା ଭୁଶୁଡ଼ିବା ଖବର ପ୍ରଚାରିତ ହେବା ମାତ୍ରେ ଆଖପାଖର ଲୋକମାନେ ଏକାଠି ହୋଇଥିଲେ। ସୂଚନା ମିଳିବା ମାତ୍ରେ ପୋଲିସ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହି ଦୁର୍ଘଟଣା କିପରି ଘଟିଲା ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନାହିଁ।

ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଏଠାରେ ଦୁଇଜଣ ପୁରୁଷ ଏବଂ ଦୁଇଜଣ ବୋହୂ ରୁହନ୍ତି।

ବଡ଼ ବୋହୂର ତିନୋଟି ପିଲା ଅଛନ୍ତି, ଦ୍ୱିତୀୟ ବୋହୂର ମଧ୍ୟ ତିନୋଟି ପିଲା ଅଛନ୍ତି… ଆମେ ଏବେ କିଛି ଜାଣି ନାହୁଁ। ସେମାନେ କୌଣସି ସ୍ଥାନରେ ଦେଖାଯାଉନାହାଁନ୍ତି।