ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଜାରି ରହିଛି। ପହଲଗାମ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଦେଖାଯାଇଛି । ତେବେ ଏକ ନୂତନ ସୂଚନା ସାମ୍ନାକୁ ଆସିଛି ଯେ, ଆକ୍ରମଣରେ ସାମିଲ ଥିବା ଜଣେ ଆତଙ୍କବାଦୀର ସମ୍ପର୍କ ପାକିସ୍ତାନ ସେନା ସହିତ ରହିଛି ।
ପହଲଗାମ ଆକ୍ରମଣରେ ସାମିଲ ଥିବା ଆତଙ୍କବାଦୀ ହାସିମ ମୁସା ପାକିସ୍ତାନ ସେନାର ସ୍ପେଶାଲ ଫୋର୍ସରେ ପୂର୍ବରୁ କମାଣ୍ଡୋ ଥିଲା । ସେନାରୁ ଟ୍ରେନିଂ ପାଇଥିବା ହସିମ ଲସ୍କର-ଇ-ତୋଇବାର ହାର୍ଡକୋର ଆତଙ୍କବାଦୀ । ସେ ଉଭୟ ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କ ଉପରେ ହମଲା ପାଇଁ ଜମ୍ମୁ କାଶ୍ମୀରକୁ ଆସିଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମୁସାର ପାକ୍ ସେନା ସହିତ ସମ୍ପର୍କ ଥିଲା। ୧୫ ଜଣ କାଶ୍ମୀର ଓଭର ଗ୍ରାଉଣ୍ଡ ୱାର୍କର (OGW)ଙ୍କୁ ପଚରାଉଚରା ସମୟରେ ଏହା ସାମ୍ନାକୁ ଆସିଥିଲା। ପହଲଗାମ ଆକ୍ରମଣ ତଦନ୍ତରେ ଏହି OGWମାନେ ପ୍ରମୁଖ ସନ୍ଦିଗ୍ଧ ଭାବରେ ଉଭା ହୋଇଛନ୍ତି। ସେମାନେ ପାକିସ୍ତାନୀ ଆକ୍ରମଣକାରୀଙ୍କୁ ଲଜିଷ୍ଟିକ୍ସ ବ୍ୟବସ୍ଥା କରିବା ଏବଂ ଗୁପ୍ତଚର କାର୍ଯ୍ୟ କରିବାରେ ସାହାଯ୍ୟ କରିଥିଲେ। ସେନା ସହିତ ମୁସାର ସମ୍ପର୍କକୁ ISIର ଭୂମିକାର ପ୍ରମାଣ ମିଳୁଛି। ଆଇଏସଆଇ ହେଉଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା। ପହଲଗାମ ଆକ୍ରମଣ ଏବଂ କାଶ୍ମୀରରେ ପୂର୍ବରୁ ହୋଇଥିବା ଆକ୍ରମଣରେ ISI ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।
ପ୍ଲାନିଂ, ଅସ୍ତ୍ର ଯୋଗାଣ, ଟାର୍ଗେଟ ସିଲେକ୍ସନଠୁ ନେଇ ସବୁକିଛି ଦେଖୁଥିଲା ହସିମ ମୂସା । ହସିମ ନାଁରେ ରହିଛି ୬୦ ଲକ୍ଷର ମୁଣ୍ଡ ଜାମିନ । ୨୦୨୩ ସେପ୍ଟେମ୍ବରରେ କାଶ୍ମୀର ଭ୍ୟାଲିରେ ପ୍ରବେଶ କରିଥିଲା ମୂସା । ବୁଦଗାଓଁ ଅଧିକ ସକ୍ରିୟ ଥିଲା । ୨୦୨୪ ଅକ୍ଟୋବରରେ କଶ୍ମୀରର ଗଗନଗିରି ଓ ଗଣ୍ଡେରୱାଲରେ ମଧ୍ୟ ମୁସା ଆକ୍ରମଣ କରିଥିଲା । ଏଥିରେ ୬ଜଣ ଅଣ କଶ୍ମୀରଙ୍କ ସହ ଜଣେ ଡାକ୍ତର ପ୍ରାଣ ହରାଇଥିଲେ ।