NEET UG 2025 ପରୀକ୍ଷାରେ କରନ୍ତୁନି ଏହି କାମ, ନହେଲେ NTA ଲଗାଇବ ତିନି ବର୍ଷର ବ୍ୟାନ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି (NTA) ଆସନ୍ତା ୪ ମେ ୨୦୨୫ରେ ଅନୁଷ୍ଠିତ ହେବାକୁ ଥିବା NEET UG 2025 ପରୀକ୍ଷା ପାଇଁ କଡ଼ା ନିୟମ ଓ ନିର୍ଦ୍ଦେଶନାମା ଜାରି କରିଛି। ପରୀକ୍ଷାରେ ନକଲ ବା ଅନୁଚିତ ଉପାୟର ବ୍ୟବହାର ରୋକିବା ପାଇଁ NTA କଡା ବ୍ୟବସ୍ଥା ଲାଗୁ କରିଛି। ଯେଉଁ ପରୀକ୍ଷାର୍ଥୀ ଏହି ନିୟମ ଉଲ୍ଲଙ୍ଘନ କରିବେ, ସେମାନଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ପରୀକ୍ଷାରୁ ବାରଣ କରାଯାଇପାରେ।

କ’ଣ କରିବା ଉଚିତ୍ ନୁହେଁ?
NTA ଅନୁଯାୟୀ, ପରୀକ୍ଷା କେନ୍ଦ୍ରରେ ନିମ୍ନଲିଖିତ ଜିନିଷ ବା କାର୍ଯ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ:
ଇଲେକ୍ଟ୍ରୋନିକ୍ ଉପକରଣ: ମୋବାଇଲ ଫୋନ, ବ୍ଲୁଟୁଥ, ଇୟରଫୋନ, ସ୍ମାର୍ଟଓ୍ୱାଚ, କ୍ୟାଲକୁଲେଟର ଆଦି କୌଣସି ଇଲେକ୍ଟ୍ରୋନିକ୍ ଉପକରଣ ଆଣିବା ମନା।

ଲିଖିତ ବା ମୁଦ୍ରିତ ସାମଗ୍ରୀ: ଯେକୌଣସି ପ୍ରକାରର ବହି, ନୋଟ୍ସ, କାଗଜ ଖଣ୍ଡ ବା ଲେଖା ଆଣିବା ନିଷେଧ।

ଅନ୍ୟାନ୍ୟ ଜିନିଷ: ଜ୍ୟାମିତି ବାକ୍ସ, ପେନ୍ସିଲ, ପେନ, ସ୍କେଲ, ଇରେଜର, ଲଗ୍ ଟେବୁଲ, ଖାଦ୍ୟ ସାମଗ୍ରୀ, ପାଣି ବୋତଲ, ଘଣ୍ଟା, ଚଶମା, ବ୍ୟାଗ, ଅଳଙ୍କାର ବା ଧାତବ ବସ୍ତୁ ଆଣିବା ଉପରେ କଟକଣା ରହିଛି।

ପୋଷାକ ନିୟମ: ବଡ଼ ବୋତାମ ବିଶିଷ୍ଟ ପୋଷାକ ବା ମୋଟା ସୋଲ ବିଶିଷ୍ଟ ଜୋତା ପିନ୍ଧିବା ମନା। ହାଲୁକା ରଙ୍ଗର ଆଧା ହାତ ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

ପରୀକ୍ଷା କେନ୍ଦ୍ରରେ ପ୍ରବେଶ ନିୟମ
ପରୀକ୍ଷା ଆରମ୍ଭ ସମୟ ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ। ପରୀକ୍ଷାର୍ଥୀମାନଙ୍କୁ ଅପରାହ୍ନ ୧:୩୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ହେବ, କାରଣ ଏହା ପରେ ପ୍ରବେଶ ଅନୁମତି ଦିଆଯିବ ନାହିଁ।

ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ, ଦୁଇଟି ପାସପୋର୍ଟ ସାଇଜ ଫଟୋ, ଏକ ପୋଷ୍ଟକାର୍ଡ ସାଇଜ ରଙ୍ଗୀନ ଫଟୋ ଏବଂ ସରକାରୀ ପରିଚୟପତ୍ର ଆଣିବା ବାଧ୍ୟତାମୂଳକ। ଆଡମିଟ୍ କାର୍ଡରେ ଥିବା ସ୍ୱ-ଘୋଷଣା ଫର୍ମ ପୂରଣ କରି ଆଣିବା ଜରୁରୀ।

NTAର କଡ଼ା ପଦକ୍ଷେପ
ଗତ ବର୍ଷ ପେପର ଲିକ୍ ଏବଂ ଅନ୍ୟାନ୍ୟ ଅନିୟମିତତାକୁ ଦୃଷ୍ଟିରେ ରଖି NTA ଏଥର ଅଧିକ ସତର୍କ ରହିଛି। ପରୀକ୍ଷାରେ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ ୭୦୦ରୁ ଅଧିକ ଅତିରିକ୍ତ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଏହା ସହିତ, ପ୍ରଶ୍ନପତ୍ର ପରିବହନ ପାଇଁ ପୋଲିସ ଏସକର୍ଟ ଏବଂ ଜିଲ୍ଲା ପ୍ରଶାସନର ସହଯୋଗ ନିଆଯାଉଛି। ଟେଲିଗ୍ରାମ ଓ ଇନଷ୍ଟାଗ୍ରାମରେ ପ୍ରଶ୍ନପତ୍ର ଲିକ୍ ହେବା ଦାବି କରୁଥିବା ୧୦୬ଟି ଚ୍ୟାନେଲକୁ ଚିହ୍ନଟ କରାଯାଇ ଭାରତୀୟ ସାଇବର କ୍ରାଇମ କୋଅର୍ଡିନେସନ ସେଣ୍ଟର (I4C)କୁ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇଛି।

ପରୀକ୍ଷାର୍ଥୀଙ୍କ ପାଇଁ ପରାମର୍ଶ
ପରୀକ୍ଷା କେନ୍ଦ୍ରକୁ ପୂର୍ବ ଦିନ ପରିଦର୍ଶନ କରି ସ୍ଥାନ ଓ ରାସ୍ତା ସମ୍ପର୍କରେ ନିଶ୍ଚିତ ହନ୍ତୁ।

ଆଡମିଟ୍ କାର୍ଡରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ଭଲଭାବେ ପଢ଼ନ୍ତୁ ଓ ଅନୁସରଣ କରନ୍ତୁ।

କୌଣସି ସମସ୍ୟା ହେଲେ NTA ହେଲ୍ପଲାଇନ ନମ୍ବର ୦୧୧-୪୦୭୫୯୦୦୦ କିମ୍ବା ୦୧୧-୬୯୨୨୭୭୦୦ରେ ଯୋଗାଯୋଗ କରନ୍ତୁ।