ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା, ମହିଳା, ଭିନ୍ନକ୍ଷମ ମାନଙ୍କୁ ୫୦% ରିହାତି
ରାଜ୍ୟ କ୍ୟାବିନେଟର ଏକ ବୈଠକରେ ୫ ବିଭାଗର ୮ଟି ପ୍ରସ୍ତାବ ଉପରେ ମଞ୍ଜୁରୀ।
ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା। ରାଜ୍ୟ କ୍ୟାବିନେଟରେ ମିଳିଲା ମଞ୍ଜୁରୀ। ଉପକୃତ ହେବେ ରାଜ୍ୟବାସୀ। ଗଡ଼ିବ ନୂଆ ବସ୍। ହେଲେ ମହିଳା, ଦିବ୍ୟାଙ୍ଗ ଓ କିନ୍ନରମାନଙ୍କୁ ମିଳିବ ୫୦ ପ୍ରତିଶତ ରିହାତି।
ସେହିପରି ଛାତ୍ର, ବରିଷ୍ଠ ନାଗରିକମାନେ ମଧ୍ୟ ୫୦ ପ୍ରତିଶତ ରିହାତିରେ ଯାତ୍ରା କରିପାରିବେ। ଏହି ପ୍ରସ୍ତାବ ସମେତ ୫ଟି ବିଭାଗର ୮ଟି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। କେବଳ ସେତିକି ନୁହେଁ ଏହି ବସରେ ରହିବ ଅନେକ ସୁବିଧା।
ଯେପରିକି ବସ୍ରେ ସିସିଟିଭି, ଲାଇଭ ଭ୍ୟାନ ଟ୍ରାକିଂ, ପାନିକ୍ ବଟନ, ବସ୍ରେ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ। ଆଉ ଏହି ପରି ବସ୍ ସେବା ବୋଧ ହୁଏ ପ୍ରଥମ କରି ରାଜ୍ୟରେ ଦେଖିବାକୁ ମିଳିବ। ଯାହା ଖୁବଶୀଘ୍ର ଲାଗୁ ହେବ।
ତେବେ ଏହି ପ୍ରସ୍ତାବ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ବୈଠକରେ ୫ ବିଭାଗର ୮ଟି ପ୍ରସ୍ତାବ ଉପରେ ମଞ୍ଜୁରୀ ହୋଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।