ଖରାଦିନେ ବି ଚମକିବ ତ୍ୱଚା, ଚର୍ମ ସମସ୍ୟାରୁ ମିଳିବ ମୁକ୍ତି
ଘିମିରି, ପାଣି ଫୋଟକା, ଅଗିଆବାତ, କୁଣ୍ଡାଇ ହେବା ଆଦି ସମସ୍ୟା ହେବ ଦୂର
ଓଡିଶା ଭାସ୍କର: ଗରମ ଦିନରେ କେବଳ ଯେ ଖରା, ଗରମ, ସୂର୍ଯ୍ୟ କିରଣ ଏବଂ ଝାଳ ସମସ୍ୟା ଦେଖାଯାଇଥାଏ ତା’ ନୁହେଁ ବରଂ ଏସବୁ କାରଣରୁ ମଣିଷ ଚର୍ମରେ ଅନେକ ପ୍ରକାରର ସମସ୍ୟା ଦେଖାଯାଇଥାଏ। ପ୍ରାୟ ସମସ୍ତେ ଘିମିରି, ପାଣି ଫୋଟକା, ଅଗିଆବାତ, କୁଣ୍ଡାଇ ହେବା ଆଦି ସମସ୍ୟା ଦେଇ ଗତି କରିଥାନ୍ତି। ତେଣୁ ଆରମ୍ଭରୁ ସମସ୍ୟାକୁ ଜାଣି ସେଥିପ୍ରତି ସାବଧାନତା ଅବଲମ୍ବନ କରିବା ଉଚିତ।
ଗରମ ଦିନରେ ବେକ, ହାତ, ପିଠି, ପେଟ, ଜଂଘ ଆଦିରେ ଛୋଟଛୋଟ, ନାଲି ନାଲି, ରିବରିବ୍ ହୋଇ ଫଳି ଯାଏ । ଛୁଞ୍ଚି ଫୋଡି ହେବା ପରି ଲାଗେ, କୁଣ୍ଡାଇ ହେବା ସହ ଭୀଷଣ ଜଳାପୋଡା ମଧ୍ୟ ହୁଏ। ତେବେ ସେଥିପାଇଁ ଖରା ଏବଂ ଗରମରେ ବାହାରକୁ ନଯିବା ସହ ଢିଲା, ସୂତା ପୋଷାକ ପିନ୍ଧିବା, ଛାଇ ଥିବା ସ୍ଥାନରେ ରହିବ ଉଚିତ। ବଜାରରେ ମିଳୁଥିବା ପ୍ରିକଲି-ହିଟ୍ ପାଉଡର ସହ ଆଲୋବେରା ଜେଲ୍ ଏବଂ ଏସ୍ ପି ଏଫ୍ ୩୦-୫୦ ଯୁକ୍ତ ସନ୍-ସ୍କ୍ରିନ୍ ବ୍ୟବହାର କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ। ଖରାକୁ ବାହାରିବା ସମୟରେ ଦେହ ହାତ ପରି ମୁହଁକୁ ମଧ୍ୟ ଢାଙ୍କିବା ଆବଶ୍ୟକ।
ଝାଳ ବାହାରୁଥିବା କାରଣରୁ ଫଙ୍ଗାଲ୍ ଇନ୍ଫେକସନ୍ ବା ଯାଦୁ ମଧ୍ୟ ହୋଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆଣ୍ଟି-ଫଙ୍ଗାଲ୍ ପାଉଡର ବ୍ୟବହାର କରାଯାଏ। ଢିଲା ସୂତା ପୋଷାକ ପିନ୍ଧିବା ସହ ଝାଳ ବାହାରୁଥିବା ଅଂଶକୁ ଶୁଖାଇ ଦେଲେ ଏହାହେବାର ଆଶଙ୍କା କମିଯାଇଥାଏ।