ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖି ଜନିତ ବର୍ଷା। ଆସନ୍ତା ୨୧ ରୁ ୨୩ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖି ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। କାଳବୈଶାଖି ପ୍ରଭାବରେ ଘଡ଼ଘଡି଼ ସହିତ ଅଧିକ ବର୍ଷା ହୋଇପାରେ। ୫୦ ରୁ ୬୦ କିମି ବେଗରେ ପବନ ବହିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ମିଳିଛି।
ଆଜି ବିଶେଷକରି, ପୁରୀ, ଖୋର୍ଦ୍ଧା,ନୟାଗଡ, ଗଂଜାମ, ଗଜପତି, ସୋନପୁର,ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ୍, ମାଲକାନଗିରି, ମୟୂରଭଂଜ, କେନ୍ଦୁଝର, ଓ ସୁନ୍ଦରଗଡରେ କାଳବୈଶାଖି ପ୍ରଭାବରେ ଘଡ଼ଘଡି଼ ସହ ବର୍ଷା ହୋଇପାରେ। ଏହିସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିବ।
ସେହିପରି, ଆସନ୍ତାକାଲି କାଳବୈଶାଖି ବର୍ଷା ପାଇଁ ଗଂଜାମ, ଗଜପତି, ରାୟଗଡା,କୋରାପୁଟ୍, ମାଲକାନଗିରି, ମୟୂରଭଂଜ, କେନ୍ଦୁଝର ଓ ନବରଙ୍ଗପୁରକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହିସବୁ ଜିଲ୍ଲାରେ ସ୍ଥାନରେ ୬୦ କିମି ବେଗରେ ପବନ ବହିବ।
ସେହିପରି, ଖୋର୍ଦ୍ଧା, ନୟାଗଡ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ ଓ ସୁନ୍ଦରଗଡରେ ବର୍ଷା ହୋଇପାରେ। ୨୨ ତାରିଖରେ ଉତ୍ତର ମଧ୍ୟମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି।
ସେହିପରି, ୨୩ ତାରିଖରେ ଗଜପତି, କେନ୍ଦୁଝର ଓ ମୟୂରଭଂଜ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ୨୪ ଓ ୨୫ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି।
ଆଜି ଦକ୍ଷିଣ ଆରବ ସାଗରର ଅନେକ ଅଞ୍ଚଳ ମାଳଦ୍ବୀପ ଏବଂ କାମରିନ୍ ଅଞ୍ଚଳ, ଦକ୍ଷିଣ ବଙ୍ଗୋପସାଗର,କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳ ଓ ଉତ୍ତର ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଓ ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଅଗ୍ରସହର ହୋଉଛି।
କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଞ୍ଚଳ ଓ ଉତ୍ତର ପୂର୍ବ ବଙ୍ଗୋସପାଗରର କିଛି ଅଂଶକୁ ମୌମୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।