କୁଏତରେ ବିଗିଡ଼ିଲା ଗୁଲାମ ନବୀ ଆଜାଦଙ୍କ ସ୍ବାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

କୁଏତ ଗସ୍ତରେ ଯାଇଥିବା ସର୍ବଦଳୀୟ ପ୍ରତିନିଧି ମଣ୍ଡଳିର ବରିଷ୍ଠ ସଦସ୍ୟ ଗୁଲାମ ନବୀ ଆଜାଦ୍ ଅସୁସ୍ଥ ।

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ବିଶ୍ୱ ସମ୍ମୁଖରେ ପର୍ଦାଫାସ କରିବା ପାଇଁ ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଉପସାଗରୀୟ ଦେଶ ଗସ୍ତ କରିଥିବା ସର୍ବଦଳୀୟ ପ୍ରତିନିଧି ଦଳର ସଦସ୍ୟ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ କୁଏତର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଏବେ ସେ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି । ସାଂସଦ ପଣ୍ଡା ଏ ବିଷୟରେ ସୂଚନା ଦେଇଛନ୍ତି ।

ସାଂସଦ ବୈଜୟନ୍ତ ଜୟ ପଣ୍ଡା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ଆମ ପ୍ରତିନିଧିମଣ୍ଡଳର ଗସ୍ତର ଅଧା ବାଟରେ ଗୁଲାମ ନବୀ ଆଜାଦଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିଲା। ତାଙ୍କ ଅବସ୍ଥା ସ୍ଥିର ଅଛି, ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି ଏବଂ ତାଙ୍କ ଉପରେ କିଛି ଡାକ୍ତରୀ ପରୀକ୍ଷା କରାଯିବ’।

ଏହା ସହିତ, ସାଂସଦ ଏହା ମଧ୍ୟ କହିଛନ୍ତି, ‘ବାହରିନ ଏବଂ କୁଏତର ବୈଠକରେ ତାଙ୍କର ଅବଦାନ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା ଏବଂ ସେ ଶଯ୍ୟାଶାୟୀ ହେବା ପାଇଁ ନିରାଶ । ଆମେ ସାଉଦି ଆରବ ଏବଂ ଆଲଜେରିଆରେ ତାଙ୍କର ଉପସ୍ଥିତିକୁ ବହୁତ ମିସ୍ କରିବୁ’।

ଗୁଲାମ ନବୀ ଆଜାଦ କୃତଜ୍ଞତା ପ୍ରକାଶ କରିଛନ୍ତି- ଗୁଲାମ ନବୀ ଆଜାଦ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ‘ମୁଁ ଖୁସିର ସହିତ ଜଣାଇବାକୁ ଚାହୁଁଛି ଯେ କୁୱେତରେ ପ୍ରବଳ ଗରମ ମୋ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥିଲେ ମଧ୍ୟ, ମୁଁ ଭଗବାନଙ୍କ କୃପାରୁ ସୁସ୍ଥ ଅଛି । ସମସ୍ତ ପରୀକ୍ଷା ଫଳାଫଳ ସ୍ୱାଭାବିକ । ଆପଣଙ୍କ ଚିନ୍ତା ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଏହା ପ୍ରକୃତରେ ମୋ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ।’