ଫ୍ୟାନରେ ଝୁଲି ପଡ଼ିଲେ ବାପା-ମା’; ଅନାଥ ହୋଇଗଲା ୫ ବର୍ଷର କୁନି ଝିଅ
ଅନଲାଇନ ଗେମ୍ ଉଜାଡ଼ିଦେଲା ସୁନା ସଂସାର । ଋଣ ଭାର ସହି ପାରିଲେନି ଦମ୍ପତି ।
କୋଟା: ରାଜସ୍ଥାନ କୋଟାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ୫ ବର୍ଷର ଝିଅ ସାମ୍ନାରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି ।
କୋଟାରେ ରହୁଥିବା ଦୀପକ ରାଥୋଡ ଅନଲାଇନ ଗେମ ଖେଳନ୍ତି । ଖେଳ ପାଇଁ ବାହାର ଲୋକଙ୍କଠାରୁ ୪ରୁ ୫ ଲକ୍ଷ ଟଙ୍କା ଧାର କରି ଦେଇଥିଲେ ଦୀପକ ।
ଖେଳରେ ଲଗାତର ହାରିବା ପରେ ଋଣ ବୋଝ ଡ଼ରରେ ଜୀବନ ହାରିଛନ୍ତି ଦୀପକ ଏବଂ ତାଙ୍କ ସ୍ତ୍ରୀ । ଆତ୍ମହତ୍ୟା କରିବା ପୂର୍ବଦିନ ରାତିରେ ଭଉଣୀକୁ କରଜ ବିଷୟରେ କହିଥିଲେ । ଏ ସମସ୍ୟାର ସମାଧାନ ମୃତ୍ୟୁ ଏକମାତ୍ର ବାଟ ବୋଲି ଦୀପକ ଭଉଣୀକୁ ଦୁଃଖରେ ଜଣେଇଥିଲେ ।
ହେଲେ ଭଉଣୀ ଭାଇକୁ ବୁଝା ସୁଝା କରି ଏପରି କୌଣସି ପଦକ୍ଷେପ ନ ନେବାକୁ କହିଥିଲେ । ହେଲେ ଦୀପକ ଓ ସ୍ତ୍ରୀ ସେହିଦିନ ରାତିରେ ଖାଇ ପିଇ ସମସ୍ତେ ଶୋଇ ପଡ଼ିବା ପରେ ଫ୍ୟାନରେ ରଶି ଲଗେଇ ଆତ୍ମହତ୍ୟା କରିଥିଲେ ।
ପରଦିନ ସକାଳୁ ଦୀପକଙ୍କ ବାପା ରୁମର କବାଟ ବାଡେଇବା ପରେ କେହି କବାଟ ଫିଟାଇ ନ ଥିଲେ । କିଛି ମିନିଟ ପରେ ଦୀପକଙ୍କ ୫ ବର୍ଷର ଝିଅ କବାଟ ଖୋଲିଥିଲା । ଯାହାପରେ ଘର ଲୋକ ଫ୍ୟାନରେ ଦୀପକ ଓ ତାଙ୍କ ସ୍ତ୍ରୀଙ୍କ ଝୁଲନ୍ତାର ମୃତ ଦେହ ଦେଖିଥିଲେ ।
ସ୍ଥାନୀୟ ପୋଲିସକୁ ଏହାର ସୂଚନା ଦେଇ, ମୃତଦେହ ଡାକ୍ତରଖାନାକୁ ପଠାଯିବା ପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାର ଛାନଭିନ କରିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅନଲାଇନ ଗେମ ପାଇଁ ଧାର କରଜ ବଢ଼ିଯିବା କାରଣରୁ ଚିନ୍ତାଗ୍ରସ୍ତ ହୋଇ ଦମ୍ପତି ପ୍ରାଣ ହାରିଛନ୍ତି ।