ଭୁବନେଶ୍ଵର: ଓଡ଼ିଶାର ଇତିହାସରେ କଳିଙ୍ଗ ଯୁଦ୍ଧ ଅନେକ ଅସମାହିତ ପ୍ରଶ୍ନ ରହିଆସିଛି। ଖ୍ରୀଷ୍ଟପୂର୍ବ ୨୬୧ରେ ସଂଘଟିତ ଏହି ଯୁଦ୍ଧ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଜୀବନରେ ଏକ ନିର୍ଣ୍ଣାୟକ ମୋଡ଼ ଆଣିଥିଲା, ଯାହା ତାଙ୍କୁ ଯୁଦ୍ଧବାଦୀ ସମ୍ରାଟରୁ ଶାନ୍ତିର ଦୂତ ଭାବେ ରୂପାନ୍ତରିତ କରିଥିଲା। କିନ୍ତୁ, ଏବେ ଏହି ଐତିହାସିକ ଘଟଣାର କେତେକ ଦିଗକୁ ନେଇ ନୂଆ ଗବେଷଣା ଓ ଆଲୋଚନା ଆରମ୍ଭ ହୋଇଛି।
ସତରେ କ’ଣ କଳିଙ୍ଗ ଯୁଦ୍ଧରେ ଲକ୍ଷାଧିକ କଳିଙ୍ଗ ସୈନ୍ୟ ପ୍ରାଣ ହରାଇଥିଲେ ? ସତରେ କ’ଣ ସେମାନଙ୍କ ରକ୍ତରେ ଦୟା ନଦୀର ପାଣି ଲାଲ୍ ହୋଇ ଯାଇଥିଲା ? ସେହି ଯୁଦ୍ଧରେ ଗୋଟିଏ ପଟେ ଅଶୋକଙ୍କ ନେତୃତ୍ବରେ ମଗଧର ସୈନିକ ଥିଲା ବେଳେ କଳିଙ୍ଗ ପଟେ ରାଜା ଓ ସେନାପତି କିଏ ଥିଲେ? ଯୁଦ୍ଧରେ କଳିଙ୍ଗ ରାଜାଙ୍କର ମୃତ୍ୟୁ ଘଟିଥିଲା ନା ସେ ଆତ୍ମସମର୍ପଣ କରିଥିଲେ ? ସେହି ରାଜାଙ୍କ ବଂଶଧର କିଏ ? ଯଦି ପ୍ରଜାତନ୍ତ୍ର ଥିଲା, ତେବେ କଳିଙ୍ଗର ଶାସନ ଦାୟିତ୍ଵ କାହା ଉପରେ ନ୍ୟସ୍ତ ଥିଲା ? ସେ ବାବଦରେ ଇତିହାସ ନିରବ କାହିଁକି?
ଖ୍ରୀଷ୍ଟପୂର୍ବ ୨୬୧ ମସିହାରେ ସଂଗଠିତ କଳିଙ୍ଗ ଯୁଦ୍ଧକୁ ନେଇ ଏମିତି ଅନେକ ଅସମାହିତ ପ୍ରଶ୍ନ ରହିଆସିଛି। ଏପରିକି ଇତିହାସ ଠିକ୍ ଭାବେ ଲେଖାଯାଇ ନାହିଁ ବୋଲି ବିଭିନ୍ନ ସମୟରେ ଆପତ୍ତ ଉଠିଛି ତେବେ କଳିଙ୍ଗ ଯୁଦ୍ଧକୁ ନେଇ ବର୍ଷ ବର୍ଷ ଧରି ପିଢ଼ି ପରେ ପିଢ଼ି ଜାଣିଆସିଥିବା ଇତିହାସ ବଦଳିବାର ସମ୍ଭାବନା ଦେଖାଦେଇଛି। କଳିଙ୍ଗ ଯୁଦ୍ଧର ନୂଆ ଇତିହାସ ଲେଖାଯିବା ନେଇ ଇଙ୍ଗିତ ମଧ୍ୟ ମିଳିଲାଣି ଏଥି ପାଇଁ ଖୋଦ୍ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ମଙ୍ଗଳବାର ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କଳିଙ୍ଗ ଯୁଦ୍ଧ ଉପରେ ଏକ କର୍ମଶାଳା ଆୟୋଜନ କରାଯାଉଛି। ଏଥିରେ ବହୁ ଗବେଷକ ଓ ଐତିହାସିକ ଯୋଗ ଦେଇ କଳିଙ୍ଗ ଯୁଦ୍ଧ ଉପରେ ମାନସ ମନ୍ଥନ କରିବେ। ଏଠାରେ ଯୁଦ୍ଧ ସମ୍ପର୍କିତ କିଛି ଅଜଣା ତଥ୍ୟ ସାମନାକୁ ଆସିବାର ସମ୍ଭାବନା ରହିଛି। ଏହି ଆଲୋଚନାକୁ ଭିତ୍ତି କରି ପରବର୍ତ୍ତୀ ସମୟରେ ଏକାଡେମୀ ପକ୍ଷରୁ ଏକ ସଂକଳ୍ପ ପ୍ରକାଶ ପାଇବ।
କିଛି ବୁଦ୍ଧିଜୀବୀ ଓ ଗବେଷକଙ୍କ ମତରେ ବିଜେତାମାନେ ହିଁ ଇତିହାସ ଲେଖନ୍ତି। ଏଣୁ ସେଥିରେ ନିଜକୁ ମହିମାମଣ୍ଡିତ କରିବା ଏକ ସାଧାରଣ କଥା । ଠିକ୍ ଏଭଳି କିଛି ବୋଧହୁଏ ଘଟିଛି ଖ୍ରୀଷ୍ଟପୂର୍ବ ୨୬୧ ମସିହାରେ ସଂଗଠିତ କଳିଙ୍ଗ ଯୁଦ୍ଧ ଇତିହାସରେ। ସମ୍ରାଟ ଅଶୋକଙ୍କ ପାଇଁ ଏହି ଯୁଦ୍ଧ ଇତିହାସ ନିହାତି ଭାବେ ଏକ ମହିମାମଣ୍ଡିତ ଅଧ୍ୟାୟ ଏହା ପରେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ରେ ପରିଣତ ହୋଇ ହାଇଥିଲେ । କିନ୍ତୁ ଏହା କେବଳ କଳିଙ୍ଗ ରାଜ୍ୟକୁ ନୁନ୍ୟ ଏବଂ ମଗଧକୁ ଗରିମାମୟ ଦେଖାଇବାର ଏକ ଚକ୍ରାନ୍ତ ବୋଲି କୁହନ୍ତି।
ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ରାଜନେତା ବିଶ୍ୱଭୂଷଣ ହରିଚନ୍ଦନ ବିଭିନ୍ନ ସମୟରେ କଳିଙ୍ଗ ଯୁଦ୍ଧ ଇତିହାସର ସତ୍ୟତା ଓ ଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ। ସାହିତ୍ୟ ଏକାଡେମୀର ଆଲୋଚନାରେ ମଧ୍ୟ ଶ୍ରୀ ହରିଚନ୍ଦନ ସାମିଲ ହେବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କର୍ମଶାଳାର ଉଦ୍ଘାଟନୀ ଓ ଉଦ୍ଯାପନୀ ଉତ୍ସବରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।