ମନକଥା ବୁଝିଲେ ସରକାର, ଏଣିକି ଅଙ୍ଗନବାଡି ପିଲାଙ୍କୁ ଦିଆଯିବ ଅଣ୍ଡା ବିରିୟାନି

ଭିଡ଼ିଓ ଭାଇରାଲ ହେବାର ୩ ମାସ ପରେ ଆକ୍ସନ।

କେରଳ:  ଅଙ୍ଗନବାଡିରେ ପିଲାମାନଙ୍କୁ ଏଥର ଖାଲି ଭାତ, ଡ଼ାଲି, ଅଣ୍ଡା, କି ସୋୟାବିନ ତରକାରୀ ଦିଆଯିବ ନାହିଁ, ବରଂ ଏବେଠୁ ଅଙ୍ଗନବାଡ଼ି ପିଲାଙ୍କୁ ଦିଆଯିବ ଅଣ୍ଡା ବିରିୟାନି। ତାହା ପୁଣି ଜଣେ କୁନି ପିଲାର ଇଚ୍ଛା ଅନୁସାରେ।

କାରଣ କିଛି ଦିନ ତଳେ ଏକ ଭିଡ଼ିଓ ଭାଇରାଲ ହୋଇଥିଲା, କି ଜଣେ ଅଙ୍ଗନବାଡ଼ି ପିଲା ଉପମା ବଦଳରେ ବିରିୟାନି ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲା। ଆଉ ସେହି ଭିଡ଼ିଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯାହାପରେ ଭିଡ଼ିଓ ଆସିବାର ୩ ମାସ ଭିତରେ ପିଲାମାନଙ୍କ ଖାଦ୍ୟରେ ଅଣ୍ଡା ବିରିୟାନି ଆଡ୍ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଅଙ୍ଗନବାଡ଼ିରେ ବିରିୟାନି: ଅବଶ୍ୟ ଏହି ନିୟମଟି ଆମ ଓଡ଼ିଶାରେ ଲାଗୁ ହୋଇନାହିଁ। ଏହି ଘଟଣାଟି ହେଉଛି କରେଳର। ତିନି ମାସ ପୂର୍ବେ ଯେତେବେଳେ ଛୋଟ ଶଙ୍କୁ ତାଙ୍କ ଗାଁର ଅଙ୍ଗନୱାଡିରେ ଉପମା ବଦଳରେ ବିରିୟାନି ଖାଇବାକୁ ଇଚ୍ଛା ପ୍ରକାଶ କରିଥିଲା।

ସେତେବେଳେ ତାହାର ଏହି ଭିଡ଼ିଓ ଟି ବେଶ୍ ଭାଇରାଲ ହୋଇଥିଲା। ଆଉ ସେହି ଭିଡ଼ିଓ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ତେଣୁ ୩ ମାସ ପରେ ଏବେ ସେହି ସରଳ ଅନୁରୋଧ ପାଇଁ କେରଳର ଶିଶୁ ଯତ୍ନ କେନ୍ଦ୍ରଗୁଡ଼ିକରେ ଖାଦ୍ୟ ମେନୁରେ ବ୍ୟାପକ ପରିବର୍ତ୍ତନ ହୋଇଛି।

ଯାହା ପିଲାମାନଙ୍କୁ ସୁସ୍ୱାଦୁ ଏବଂ ପୁଷ୍ଟିକର ଖାଦ୍ୟର ଏକ ବୃହତ ବିଭବ ପ୍ରଦାନ କରୁଛି। ମଙ୍ଗଳବାର ଦିନ ପ୍ରକାଶିତ ନୂତନ ମେନୁରେ ଅଣ୍ଡା ବିରିୟାନି, ପୁଲାଓ, ଡାଲ ପୟାସମ୍, ସୋୟା ଶୁଖିଲା କରି ଏବଂ ନ୍ୟୁଟ୍ରି ଲଡ୍ଡୁ ଭଳି ପ୍ରିୟ ଖାଦ୍ୟ ଅନ୍ତର୍ଭୁକ୍ତ ରହିଛି।

ପିଲାଙ୍କ ପାଇଁ ଖୁସି ଖବର:  ଏହି ଖାଦ୍ୟଗୁଡ଼ିକ ଦୀର୍ଘ ଦିନ ଧରି ଚାଲିଆସୁଥିବା ମୌଳିକ ଖାଦ୍ୟକୁ ବଦଳାଇବ। ଏହାସହ ହଜାର ହଜାର ପିଲାଙ୍କ ପାଇଁ ଖୁସି ଏବଂ ଉତ୍ତମ ପୁଷ୍ଟି ଆଣିବ।

ଅଙ୍ଗନୱାଡି ପିଲାମାନଙ୍କ ପାଇଁ ସଂଶୋଧିତ ମେନୁକୁ ଉନ୍ମୋଚନ କରି ମନ୍ତ୍ରୀ ଜର୍ଜ କହିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ରାଜ୍ୟ ପରିଚାଳିତ ଶିଶୁ ଯତ୍ନ କେନ୍ଦ୍ରଗୁଡ଼ିକ ପାଇଁ ଏକୀକୃତ ମେନୁ କାର୍ଯ୍ୟକାରୀ କରାଯାଉଛି।

ସେ କହିଛନ୍ତି ଯେ ନୂତନ ମେନୁରେ ଚିନି ଏବଂ ଲୁଣର ଭାଗ କମ୍ ରହିବ। ଏହାସହ ପ୍ରୋଟିନଯୁକ୍ତ ଖାଦ୍ୟ ବୃଦ୍ଧି କରି ପିଲାମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଅଧିକ ସ୍ୱାଦିଷ୍ଟ, ବିବିଧ ଏବଂ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବ।

ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଜର୍ଜ ଏଠାରେ ଅନୁଷ୍ଠିତ ଅଙ୍ଗନୱାଡିର ରାଜ୍ୟସ୍ତରୀୟ ପ୍ରବେଶୋତ୍ସବମ୍ (ପୁନଃ ଉଦଘାଟନ ଉତ୍ସବ) ସମୟରେ ଏହି ପରିବର୍ତ୍ତନଗୁଡ଼ିକର ଘୋଷଣା କରିଛନ୍ତି।