1984 ପରେ ପୁଣି ରଚିଲା ଇତିହାସ, ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତିଙ୍କଠୁ ପ୍ରଧାନମନ୍ତ୍ରୀ

ଲଞ୍ଚ ହେଲା ଆକ୍ସିଅମ-4 ମିଶନ। ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ଏନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତିଙ୍କଠୁ ପ୍ରଧାନମନ୍ତ୍ରୀ ।

ନୂଆଦିଲ୍ଲୀ: ଲଞ୍ଚ ହେଲା ଆକ୍ସିଅମ-4 ମିଶନ। ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ଦୀର୍ଘ ପ୍ରତୀକ୍ଷା ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା  ଏବଂ ଅନ୍ୟ 3 ଜଣ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ(ISS) କୁ ଉଡ଼ାଣ କରିଛନ୍ତି । । ଭାରତ, ଆମେରିକା, ପୋଲାଣ୍ଡ, ହଙ୍ଗେରୀ ଆକ୍ସିଅମ ମିଶନ-4 ରେ ସାମିଲ ।

ଏନେଇ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କୁ ‘X’ରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ସେ ଲଥିଛନ୍ତି ଯେ, “ଭାରତ ପାଇଁ ମହାକାଶରେ ଏକ ନୂତନ ମାଇଲଖୁଣ୍ଟ ସୃଷ୍ଟି କରିପାରିଛନ୍ତି ଶୁଭାଂଶୁ । ସମଗ୍ର ଦେଶ ଶୁଭାଂଶୁଙ୍କ ଯାତ୍ରା ପାଇଁ ଉତ୍ସାହିତ ଓ ଗର୍ବିତ । ମହାକାଶଚାରୀ ପ୍ରମାଣ କରିଛନ୍ତି, ବିଶ୍ୱ ଗୋଟିଏ ପରିବାର ‘ବସୁଧୈବ କୁଟୁମ୍ବକମ୍”।

ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ‘X’ରେ ଶୁଭାଂଶୁ ଶୁକ୍ଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, ଭାରତ, ଆମେରିକା, ପୋଲାଣ୍ଡ, ହଙ୍ଗେରୀର ଅନ୍ତରୀକ୍ଷ ଯାତ୍ରୀଙ୍କ ସହିତ ଅନ୍ତରୀକ୍ଷ ମିଶନର ସଫଳ ଲଞ୍ଚିଂକୁ ମୁଁ ସ୍ବାଗତ ଜଣାଉଛି । ଗ୍ରୁପ୍ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା ହେଉଛନ୍ତି ପ୍ରଥମ ଭାରତୀୟ, ଯିଏ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ ଆଡ଼କୁ ଆଗ୍ରସର ହେଉଛନ୍ତି । ଶୁଭାଂଶୁ ଏବଂ ତାଙ୍କର ଅନ୍ୟ ସଥୀମାନଙ୍କୁ ଏହି ଅଭିଯାନ ପାଇଁ ମୋର ଅନେକ ଅନେକ ଶୁଭେଚ୍ଛା ।

ତେବେ ଏହି ମିଶନ 12.01 ରେ ଉଡ଼ାଣ ହୋଇଥିଲା। ଉତ୍‌କ୍ଷେପଣ ସମୟରେ ଆକ୍ସିଅମ-4 ମିଶନ ଘଣ୍ଟା ପ୍ରତି ପ୍ରାୟ 30 ହଜାର କିଲୋମିଟର ବେଗରେ ମହାକାଶକୁ ଉଡ଼ିଥିଲା। କୁହାଯାଉଛି ଯେ, 28 ଘଣ୍ଟାର ଯାତ୍ରା ପରେ, ଆକ୍ସିଅମ-4 ମିଶନ ଭାରତୀୟ ସମୟ ଅନୁସାରେ ଗୁରୁବାର ସନ୍ଧ୍ୟା 4.30 ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ପହଞ୍ଚିବ।

1984 ମସିହାରେ ଭାରତୀୟ ଭାବେ ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ହେଉଛନ୍ତି ପ୍ରଥମ ଭାରତୀୟ, ଯିଏ ମହାକାଶ ଯାତ୍ରା କରୁଛନ୍ତି ।