ଆଉ କିଛି ସମୟର ଅପେକ୍ଷା, ଶୁଭାଂଶୁଙ୍କୁ ନେଇ ସ୍ପେଶ୍ ଷ୍ଟେସନରେ ଡକିଂ ହେବ ଡ୍ରାଗନ୍, କ’ଣ ରହିଛି ସମ୍ପୂର୍ଣ୍ଣ ପ୍ରକ୍ରିୟା

ଆଉ କିଛି ସମୟ ପରେ ସ୍ପେଶ୍ ଷ୍ଟେସନରେ ପହଞ୍ଚିଯିବେ ଶୁଭାଂଶୁ।

ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ଅପରାହ୍ନ ୪.୩୦ରେ ଡକିଂ କରିବେ ଶୁଭାଂଶୁ ଶୁକ୍ଲା। ଯେଉଁ ସମୟକୁ ଅପେକ୍ଷା କରି ରହିଛନ୍ତି ସମସ୍ତେ। ତେବେ ଆସନ୍ତୁ ଜାଣିବା ଡକିଂ ବେଳେର ସମ୍ପୂର୍ଣ୍ଣ  ପ୍ରକ୍ରିୟା।

ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନର ହାରମୋନି ମଡ୍ୟୁଲରେ ଯୋଡ଼ିହେବ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲ୍। ପ୍ରକ୍ରିୟା ଅଟୋମେଟିକ୍ ହେଲେ ବି ରିୟଲ ଟାଇମ୍ ମନିଟରିଂ କରିବେ ପେଗି ଓ ଶୁଭାଂଶୁ।

ଭୂପୃଷ୍ଠରୁ ପ୍ରାୟ ୪ ଶହ କି.ମି ଉପରେ ଘଣ୍ଟାପ୍ରତି ୨୮ ହଜାର କି.ମି ବେଗରେ ବୁଲୁଛି ସ୍ପେଶ୍ ଷ୍ଟେସନ। ISS ସହ କକ୍ଷପଥ ଓ ବେଗ ସମାନ କରିବାକୁ ଡ୍ରାଗନର ୧୬ଟି ଡ୍ରାକୋ ଥ୍ରଷ୍ଟର୍ ବ୍ୟବହାର ହେବ।

ISS ସହ କକ୍ଷପଥ ଓ ବେଗ ସମାନ କରିବାକୁ ଡ୍ରାଗନର ୧୬ଟି ଡ୍ରାକୋ ଥ୍ରଷ୍ଟର୍ ବ୍ୟବହାର ହେବ। ସ୍ପେଶ ଷ୍ଟେସନ୍ ଡକିଂ ପୋର୍ଟ ସହ ନିଜକୁ ସିଦା ସରଳ ରେଖାରେ ରଖିବ ଡ୍ରାଗନ୍ ମହାକାଶଯାନ।

ସ୍ପେଶ ଷ୍ଟେସନ ଠାରୁ ୪ ଶହ ମିଟର ଦୂରରୁ ଆରମ୍ଭ ହେବ ଡକିଂ ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟ। ୪ ଶହ ମିଟର ଦୂରତାରୁ ଏହା ଧିରେ ଧିରେ ଆଗକୁ ବଢ଼ିବ ଓ ସ୍ପେଶ୍ ଷ୍ଟେସନର ନିକଟତର ହେବ।

୨୨0 ମିଟର ଦୂରତାରେ ଅଟକି ପୁଣି ନିଜର ଡକିଂ ସିଷ୍ଟମ୍ ଠିକ୍ ଅଛି କି ନାହିଁ ଯାଞ୍ଚ କରିବ। ଗ୍ରାଉଣ୍ଡ କଣ୍ଟ୍ରୋଲ୍ ସହ ସମନ୍ୱୟ ରକ୍ଷା କରି ସ୍ପେଶ୍ କ୍ୟାପସୁଲ୍ ସ୍ପେଶ୍ ଷ୍ଟେସନ ଆଡ଼କୁ ଆଗେଇବ।

୨୦ ମିଟର ଦୂରରୁ ଲେଜର୍ ସେନ୍ସର୍ ଓ କ୍ୟାମେରା ସହାୟତାରେ ଅଟୋନମସ୍ ଡକିଂ କରାଯିବ। ଡ୍ରାଗନ୍ ସ୍ପେସ୍ କ୍ୟାପସୁଲ ଡକିଂ ପୋର୍ଟର ଅତି ପାଖକୁ ଆସିବା ପରେ ସଫ୍ଟ କ୍ୟାପଟର୍ ହେବ।

ଉଭୟଙ୍କ ଡକିଂ ରିଙ୍ଗ୍ ଚୁମ୍ୱକୀୟ ଶକ୍ତି ବ୍ୟବହାର କରି ପରସ୍ପର ସହ ଯୋଡ଼ି ଲକ୍ ହୋଇଯିବ। ସବୁକିଛି ଠିକ୍ ରହିଲେ ସଫ୍ଟ କ୍ୟାପଚର ପରେ ଆରମ୍ଭ ହବେ ହାର୍ଡ କ୍ୟାପଚର୍ ପ୍ରକ୍ରିୟା।

ଯାନ୍ତ୍ରିକ ପ୍ରକ୍ରିୟାରେ ଝଟକା ସହିବା ପାଇଁ ଉଭୟ ସ୍ପେଶ୍ କ୍ୟାପସୁଲ୍ ଓ ସ୍ପେଶ୍ ଷ୍ଟେସନ ପ୍ରସ୍ତୁତ ହେବ। ଡକିଂ ପୋର୍ଟରେ ଅତି ଦୃଢ଼ ଭାବେ ଯୋଡ଼ି ହୋଇଯିବେ ଏବଂ ସଂଯୋଗ ସ୍ଥଳ ଏୟାର ଟାଇଟ୍ ସିଲ୍ ହେବ।

ଡକିଂ ପରେ ମହାକାଶଚାରୀଙ୍କୁ ଆହୁରି ୨ ଘଣ୍ଟା ମହାକାଶଯାନ ଭିତରେ ଅପେକ୍ଷା କରିବାକୁ ପଡ଼ିବ।  କ୍ରୁ ଡ୍ରାଗନ୍ ସ୍ପେଶ୍ କ୍ୟାପସୁଲକୁ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନରୁ ବିଦ୍ୟୁତ ଯୋଗାଇ ଦିଆଯିବ।

ଡକିଂ ସ୍ଥାନରେ ଚାମ୍ୱର ବା ପ୍ରବେଶ ଦ୍ୱାରକୁ ପ୍ରେସରାଇଜ୍ କରାଯାଇ ଲିକ୍ ଭେରିଫିକେସନ୍ କରାଯିବ। ଉଭୟ ପଟୁ ହ୍ୟାଚ୍ ଖୋଲିବେ ସ୍ପେଶ କ୍ୟାପସୁଲ୍ ଓ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନ ମହାକାଶଚାରୀ।

ଶେଷରେ ମହାକାଶାଚାରୀମାନେ ସ୍ପେଶ୍ କ୍ୟାପସୁଲରୁ ବାହାରି ସ୍ପେଶ୍ ଷ୍ଟେସନ ଭିତରେ ପ୍ରବେଶ କରିବେ। ସ୍ପେଶ୍ ଷ୍ଟେସନରେ ନୂଆ ୪ ଜଣଙ୍କୁ ମିଶାଇ ମୋଟ୍ ୧୧ ମହାକାଶଚାରୀ ପାଳିବେ ଓ୍ୱେଲକମ୍ ସେରିମନି।