୧ ବର୍ଷର ଝିଅ ନାଁରେ ୬ କୋଟିର କାର୍, ନମ୍ୱର ପ୍ଲେଟ୍, ସିଟ୍ ସବୁଠି ଝିଅର ନାଁ

ନୂଆଦିଲ୍ଲୀ:  କୁହାଯାଏ ବାପା ଓ ଝିଅଙ୍କ ସମ୍ପର୍କ ସବୁ ସମ୍ପର୍କଠୁ ଟିକେ ଅଧିକ ନିବିଡ଼। କାରଣ ପୁଅ ଅପେକ୍ଷା ବାପା ମାନେ ଝିଅମାନଙ୍କୁ ଟିକେ ଅଧିକ ଭଲ ପାଆନ୍ତି। କେବଳ ବାପା ନୁହଁନ୍ତି ଝିଅମାନେ ବି ମାଆ ମାନଙ୍କ ଅପେକ୍ଷା ବାପାଙ୍କୁ ଅଧିକ ଚାହାଁନ୍ତି।

ଠିକ୍ ସେହିପରି ଏବେ ଏକ ଦୃଶ୍ୟ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି। ଜଣେ ବାପା ତାଙ୍କର ଏକ ବର୍ଷର ଝିଅ ନାଁରେ ୬ କୋଟିର ଦାମୀ ଗାଡ଼ି କିଣିଛନ୍ତି। ଯେଉଁ ଝିଅ ଏଯାଏଁ ଭଲ ଭାବେ ମଧ୍ୟ ଚାଲିବା ଶିଖିନି।

ବାପାଙ୍କ ଭଲପାଇବା: ଜଣେ ଭାରତୀୟ ବଂଶୋଦ୍ଭବ ଧନୀ ବ୍ୟବସାୟୀ ତାଙ୍କ ଏକ ବର୍ଷର ଝିଅକୁ ଫାଦର୍ସ ଡେରେ ଗୋଲାପୀ ରଙ୍ଗର ଏକ ବିଳାସପୂର୍ଣ୍ଣ ରୋଲ୍ସ-ରଏସ୍ ଉପହାର ଦେଇଥିଲେ।

ଯାହାର ମୂଲ୍ୟ ₹5.85 କୋଟି ବୋଲି କୁହାଯାଉଛି। ଏହି ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ଏକ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। କେତେକ ଏହାକୁ ବାପାଙ୍କ ଭଲପାଇବା କହୁଛନ୍ତି, ତ ଆଉ କେହି ଏହାକୁ ‘କ୍ଲାସଲେସ୍’ ବୋଲି କହୁଛନ୍ତି।

ବାପାଙ୍କ ପରିଚୟ: ଏହି ମହନୀୟ ଉପହାର ପଛରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଦୁବାଇର ଭାରତୀୟ ରିଅଲ ଇଷ୍ଟେଟ୍ ବ୍ୟବସାୟୀ ସତୀଶ ସମ୍ପାଲ, ଯିଏକି ANAX ଡେଭଲପମେଣ୍ଟସର ପ୍ରତିଷ୍ଠାତା।

ସେ ତାଙ୍କ ଝିଅ ଇସାବେଲା ପାଇଁ ଏହି ସ୍ୱତନ୍ତ୍ର ଆଶ୍ଚର୍ଯ୍ୟ ଯୋଜନା କରିଥିଲେ। ଏକ ଭାଇରାଲ ଭିଡିଓରେ, ସତୀଶ, ତାଙ୍କ ପତ୍ନୀ ତାବିନ୍ଦା ଏବଂ ଝିଅ ଇସାବେଲା ଏକ ସୁନ୍ଦର ସ୍ଥାନକୁ ଯାଉଥିବାର ଦେଖାଯାଉଛି। ଯାହା ଗୋଲାପୀ କାର୍ପେଟରେ ସଜ୍ଜିତ ଏବଂ ବେଲୁନ, ଫୁଲ ଏବଂ ଏକ ବିଶାଳ ଟେଡି ବିୟରରେ ସଜାଯାଇଥିଲା।

ସବୁଠି ଝିଅର ନାଁ: ବ୍ରିଟେନରେ ସ୍ୱତନ୍ତ୍ର ଭାବରେ ଡିଜାଇନ୍ ଏବଂ ପ୍ରସ୍ତୁତ ହୋଇଥିବା ଏହି ଗୋଲାପୀ ରୋଲ୍ସ-ରଏସ୍ ଫ୍ୟାଣ୍ଟମ୍ ଦୁବାଇରୁ କିଣାଯାଇଛି।ଏଥିରେ ଗୋଲାପୀ ଏବଂ ଧଳା ଚମଡା ସିଟ୍ ଅଛି ଏବଂ ପ୍ରତ୍ୟେକ ସିଟ୍ ଉପରେ ଝିଅ ଇସାବେଲାଙ୍କ ନାମ ଏମ୍ବ୍ରୋଡେରୀ କରାଯାଇଛି।

କାରର ଡୋରରେ ଇସାବେଲାଙ୍କ ନାମ ମଧ୍ୟ ବଡ଼ ଅକ୍ଷରରେ ଲେଖାଯାଇଛି। କେବଳ ଏତିକି ନୁହେଁ, ନମ୍ବର ପ୍ଲେଟରେ “କଙ୍ଗରେଟ୍ୟୁଲେସନ୍ସ ଇସାବେଲା” ମଧ୍ୟ ଲେଖାଯାଇଛି।

ଭିଡିଓରେ ଦେଖାଯାଉଛି ଯେ କାରର ପରଦା ହଟିବା ମାତ୍ରେ ଛୋଟ ଇସାବେଲା ଖୁସିରେ ତାଳି ମାରିବା ଆରମ୍ଭ କଲା ଏବଂ କର୍ମଚାରୀମାନଙ୍କ ସହିତ ନାଚି ମଧ୍ୟ ଗଲା। କିନ୍ତୁ ସ୍ପଷ୍ଟ ଭାବରେ, ସେ ଏହି କାର ଚଲାଇପାରିବା ପାଇଁ ଆହୁରି ୧୭ ବର୍ଷ ଦୂରରେ ଅଛନ୍ତି।