ଲୋକ କବିରତ୍ନ ହଳଧର ନାଗଙ୍କ ଉପରେ ଦୁଇଦିନିଆ ଜାତୀୟ ଆଲୋଚନା ଚକ୍ର
ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ବରଗଡ଼ ସାଂସଦ, ବିଧାୟକଗଣ ଏବଂ ଜନପ୍ରତିନିଧିମାନେ ଉପସ୍ଥିତ
ସମ୍ବଲପୁର: ଲୋକ କବିରତ୍ନ, ଯାଦବ ରତ୍ନ ଆଦି ଅନେକ ସମ୍ମାନରେ ଭୂଷିତ ପଦ୍ରଶ୍ମୀ ହଳଧର ନାଗ ହେଉଛି ଭାରତର ଜଣେ ଉଜ୍ଜ୍ୱଳ ରତ୍ନ । ସେ ଓଡ଼ିଶାର ଅସ୍ମିତା, ଅଭିବ୍ୟକ୍ତି ଓ ଆବେଗର ଅନ୍ୟତମ ପ୍ରତୀକ ମଧ୍ୟ। ସମ୍ବଲପୁରୀ ଭାଷାକୁ ସୁସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶନିବାର ବରଗଡ଼ ବରହାଗୁଡ଼ା ଠାରେ ହଳଧର ନାଗ ଓ ତାଙ୍କ ସାହିତ୍ୟ ସଂକ୍ରାନ୍ତରେ ଆୟୋଜିତ ଦ୍ୱି-ଦିବସୀୟ ଜାତୀୟ ଆଲୋଚନା ଚକ୍ର “ହଳଧର – ସଜନ ଆର୍ ଦର୍ସନ” କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି ଯେ, ଲୋକକବି ହଳଧର ନାଗଙ୍କ ସାହିତ୍ୟକୁ ନେଇ ଦୁଇଦିନ ଧରି ଆୟୋଜିତ ହେଉଥିବା ଏହି ବହୁଭାଷୀ ଜାତୀୟ ସେମିନାରରେ ଓଡ଼ିଶା ତଥା ଓଡ଼ିଶା ବାହାରର ଅନେକ ଗବେଷକ ଯୋଗ ଦେବା ପ୍ରଶଂସନୀୟ । ଏହା ସମ୍ବଲପୁରୀ ଭାଷାକୁ ସର୍ବଭାରତୀୟ ସ୍ତରରେ ପରିଚିତ କରିବାରେ ବିଶେଷ ସହାୟକ ହେବ ।
ଜନୈକ ବ୍ୟକ୍ତିକୁ ଲେଖାରେ ସକ୍ରିୟ କରିବାର ମାଧ୍ୟମ ହେଉଛି ସାହିତ୍ୟ । ବୌଦ୍ଧିକ ତରଙ୍ଗକୁ ନିରନ୍ତର ସଞ୍ଚାଳିତ କରି ନୂଆ ଆବେଗ ତିଆରି କରିବାର ନାଁ ହେଲା ସାହିତ୍ୟ । ସାହିତ୍ୟ ଅମର । ସମସ୍ତେ ସାହିତ୍ୟିକ ହୋଇପାରନ୍ତିନି । କିନ୍ତୁ ସମସ୍ତଙ୍କ ମଧ୍ୟରେ ସାହିତ୍ୟ ଥାଏ ତଥା ସାହିତ୍ୟର ଆବଶ୍ୟକତା ରହିଥାଏ ।
କ୍ୱଚିତ୍ ଲୋକମାନେ ସେହି ବିଚାର ଓ ଆବେଗକୁ ଲୋକଭାଷା ବା ମାତୃଭାଷାରେ ପରିପ୍ରକାଶ କରିବାର କ୍ଷମତା ରଖିଥାନ୍ତି । ସେହିଭଳି ଜଣେ ବ୍ୟକ୍ତିବିଶେଷ ହେଉଛନ୍ତି ହଳଧର ନାଗ । ତାଙ୍କର ସାହିତ୍ୟ ରଚନାରେ ଥିବା ଦର୍ଶନ, ତତ୍ତ୍ୱର ପଟାନ୍ତର ନାହିଁ ।
ସେ ଆହୁରି କହିଛନ୍ତି ଯେ ମାତୃଭାଷାରେ ମୌଳିକ ଚିନ୍ତନର ସଠିକ୍ ପରିପ୍ରକାଶ ହୋଇଥାଏ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ପ୍ରଣୀତ ହୋଇଥିବା ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ସବୁ ଭାଷାକୁ ରାଷ୍ଟ୍ରୀୟ ଭାଷା ବୋଲି ଅଭିହିତ କରିଛନ୍ତି ।
ଓଡ଼ିଆ ଭାଷା ଓ ସମ୍ବଲପୁରୀ ଭାଷା, ଉଭୟ ରାଷ୍ଟ୍ରୀୟ ଭାଷା । ଛାତ୍ରଛାତ୍ରୀଙ୍କର ସୃଜନଶୀଳତା ବିକଶିତ କରିବାକୁ ହେଲେ ମାତୃଭାଷାରେ ଶିକ୍ଷା ଦେବା ଜରୁରୀ । ଭାରତକୁ ପୁଣି ଥରେ ବିଶ୍ଵର ଶିଖରରେ ପହଞ୍ଚାଇବାକୁ ହେଲେ ଆମକୁ ଭାରତୀୟ ଭାଷାକୁ ଅଗ୍ରାଧିକାର ଦେବାକୁ ହେବ।
ଏହି ଅବସରରେ ଶ୍ରୀ ପ୍ରଧାନ ହଳଧର ନାଗଙ୍କ ଉପରେ ଲିଖିତ କିଛି ପୁସ୍ତକ, ଗ୍ରନ୍ଥାବଳୀ ଏବଂ ସଂକଳନକୁ ଉନ୍ମୋଚନ କରିଥିଲେ । ରାଜ୍ୟ ଉଚ୍ଚ ଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ସମେତ ବରଗଡ଼ ସାଂସଦ, ବିଧାୟକଗଣ ଏବଂ ଜନପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।