ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଶିଶୁବାଟିକାରେ ନିଯୁକ୍ତି ହେବେ ଶିଶୁ ସେବିକା, ମିଳିବ ଦରମା

ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ଶିଶୁ ସେବିକା । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝା ନୀତିଗତ ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ବର: ରାଜ୍ୟର ଶିଶୁବାଟିକାରେ ନିଯୁକ୍ତ ହେବେ ଶିଶୁ ସେବିକା । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝା ନୀତିଗତ ନିଷ୍ପତ୍ତି ନେଇଛନ୍ତି । ଏହି ଶୁଶୁ ସେବିକାମାନେ ଶ୍ରେଣୀଗୃହରେ କୁନିପିଲାଙ୍କୁ ସହାୟତା କରିବେ । ଫଳରେ ଶିକ୍ଷକଙ୍କ ଉପରୁ ଅଣ-ଶିକ୍ଷା କାର୍ଯ୍ୟର ବୋଝ ହାଲୁକା ହେବ ।

ନିଷ୍ପତ୍ତି ଅନୁଯାୟୀ, ସରକାରୀ ବିଦ୍ୟାଳୟରେ ନିଯୁକ୍ତ ପାଚିକାମାନଙ୍କ ଯେଉଁ ହାରରେ ଦରମା ଦିଆଯାଉଛି, ଶିଶୁ ସେବିକାମାନଙ୍କୁ ସେହି ହାରରେ ଦରମା ଦିଆଯିବ। ସମଗ୍ର ଶିକ୍ଷାର ବଜେଟରୁ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ତେବେ ଏହି ନିଯୁକ୍ତି ଦ୍ବାରା ଶ୍ରେଣୀରେ ପିଲାଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ହେବ ।

ସୂଚନାଯୋଗ୍ୟ ଯେ, ନୂତନ ଜାତୀୟ ଶିକ୍ଷାନୀତି ଅନୁଯାୟୀ ରାଜ୍ୟର 45 ହଜାର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷଠାରୁ ଶିଶୁବାଟିକା ଖୋଲାଯାଇଛି। ଏଥିରେ 5ରୁ 6 ବର୍ଷ ବୟସର ପିଲାମାନଙ୍କୁ ପ୍ରାକ-ପ୍ରାଥମିକ ଶିକ୍ଷା ପ୍ରଦାନ କରାଯାଉଛି । ଶିଶୁବାଟିକାରେ ପିଲାଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକତା ଅନୁଯାୟୀ ଶିଶୁ ସେବିକା ନିଯୁକ୍ତି ନିଷ୍ପତ୍ତି ନିଆଯିବ ବୋଲି ସରକାର କହିଛନ୍ତି ।