ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପୁଣି ବ୍ୟାନ, ଜୋରଦାର ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ସରକାର
ନୂଆଦିଲ୍ଲୀ: ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ପୁନଃ କଟକଣା ଲାଗୁ ହୋଇଛି। ବୁଧବାର କିଛି ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଓ ଟ୍ୱିଟର ଆକାଉଣ୍ଟ ଭାରତୀୟ ଉପଭୋକ୍ତାଙ୍କ ପାଇଁ ପୁନଃ ଉପଲବ୍ଧ ହେବା ପରେ ବିରୋଧ ଓ ବିବାଦ ଦେଖାଦେଇଥିଲା। କିନ୍ତୁ ଗୁରୁବାର ସକାଳ ସୁଦ୍ଧା ହାନିଆ ଆମିର, ମାହିରା ଖାନ, ଶାହିଦ ଆଫ୍ରିଦି, ମାଓ୍ଵରା ହୋକାନେ ଓ ଫବାଦ ଖାନ ଭଳି ପ୍ରମୁଖ ପାକିସ୍ତାନୀ ସେଲିବ୍ରିଟିଙ୍କ ଆକାଉଣ୍ଟ ପୁନର୍ବାର ଭାରତରେ ବ୍ୟାନ ହୋଇଯାଇଛି।
ଜୁଲାଇ ୨ ତାରିଖରେ ସାବା କମାର, ମାଓ୍ଵରା ହୋକାନେ, ଫବାଦ ଖାନ, ଶାହିଦ ଆଫ୍ରିଦି, ଆହାଦ ରଜା ମୀର, ୟୁମନା ଜାଇଦୀ ଓ ଦାନିଶ ତୈମୂରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଦୃଶ୍ୟମାନ ହୋଇଥିଲା। ଏହା ସହିତ ହମ୍ ଟିଭି, ଏଆରୱାଇ ଡିଜିଟାଲ ଓ ହର ପାଲ ଜିଓ ଭଳି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ପୁନଃ ଉପଲବ୍ଧ ହୋଇଥିଲା। ଏହି ଆକସ୍ମିକ ପରିବର୍ତ୍ତନ ଦେଖି ଅନୁମାନ କରାଯାଉଥିଲା,କିନ୍ତୁ ଆକାଉଣ୍ଟ ଉପରେ କଟକଣା ପୁନଃ ଲଗାଇବା ପରେ ଏହା ପୁନର୍ବାର ଅପହଞ୍ଚ ହୋଇଯାଇଛି। ଇନଷ୍ଟାଗ୍ରାମରେ ଏହି ସେଲିବ୍ରିଟିଙ୍କ ପ୍ରୋଫାଇଲ ଖୋଜିଲେ ଏକ ମେସେଜ ଦେଖାଯାଉଛି: “ଏହି ଆକାଉଣ୍ଟ ଭାରତରେ ଉପଲବ୍ଧ ନାହିଁ। ଏହା ଏକ ଆଇନଗତ ଅନୁରୋଧ ଅନୁସାରେ ଏହି ବିଷୟବସ୍ତୁ ଉପରେ କଟକଣା ଲଗାଯାଇଛି।”
ଏହି କଟକଣା ପୁନଃ ଲଗାଯିବା ନେଇ ସରକାର ବା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଜାରି ହୋଇନାହିଁ। ଏହା ଏକ ପ୍ରଯୁକ୍ତିଗତ ତ୍ରୁଟି ନା ନୀତିଗତ ପରିବର୍ତ୍ତନ, ତାହା ସ୍ପଷ୍ଟ ହୋଇନାହିଁ। ଏହି କଟକଣାର ମୂଳ କାରଣ ଥିଲା ଏପ୍ରିଲ ୨୨ରେ ଜାମ୍ମୁ ଓ କାଶ୍ମୀରର ପାହାଲଗାମ ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା। ଏହି ହମଲାରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାର ପ୍ରତିଶୋଧ ସ୍ୱରୂପ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଅବସ୍ଥାନକୁ ଟାର୍ଗେଟ କରି ‘ଅପରେସନ ସିନ୍ଦୁର’ ଆରମ୍ଭ କରିଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଅନେକ ପାକିସ୍ତାନୀ ସେଲିବ୍ରିଟି ସୋସିଆଲ ମିଡିଆରେ ଭାରତ ବିରୋଧରେ ମନ୍ତବ୍ୟ ଦେଇଥିଲେ, ଯେଉଁଥିପାଇଁ ଭାରତରେ ତାଙ୍କ ଆକାଉଣ୍ଟ ଜିଓ-ବ୍ଲକ କରାଯାଇଥିଲା।
ଅଲ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ (AICWA) ଏହି ଆକାଉଣ୍ଟଗୁଡ଼ିକର ପୁନରାଗମନକୁ ତୀବ୍ର ବିରୋଧ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କହିଛି ଯେ, “ଏହା ଆତଙ୍କବାଦୀ ହମଲାରେ ହଜିଥିବା ନିରୀହ ଲୋକଙ୍କ ଓ ଶହୀଦ ସୈନିକଙ୍କ ଆତ୍ମତ୍ୟାଗର ଅପମାନ।”