ପ୍ରତିଶୋଧ! ପ୍ରତି 6 ଘଣ୍ଟାରେ ଜଣେ ପାକିସ୍ତାନୀ ସୈନିକଙ୍କର ଜୀବନ ଯାଉଛି

୬ ମାସ ମଧ୍ୟରେ ୬୬୮ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି

ଓଡିଶା ଭାସ୍କର: ପ୍ରତି ଛଅ ଘଣ୍ଟାରେ ଜଣେ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ଘଟୁଛି। ଆଜ୍ଞା ହଁ, 2025 ବର୍ଷର ପ୍ରଥମ ଛଅ ମାସ ପାକିସ୍ତାନ ପାଇଁ ଏକ ଦୁଃସ୍ୱପ୍ନଠାରୁ କମ୍ ନୁହେଁ। ବିଚ୍ଛିନ୍ନତାବାଦୀ ସଂଗଠନ ବାଲୁଚ୍ ଲିବରେସନ୍ ଆର୍ମି ଦାବି କରିଛି ଯେ, ଏହି ସମୟ ମଧ୍ୟରେ ସେମାନେ ପ୍ରତିଦିନ ହାରାହାରି ଚାରି ଜଣ ପାକିସ୍ତାନୀ ସୁରକ୍ଷା କର୍ମୀଙ୍କୁ ହତ୍ୟା କରିଛନ୍ତି।

ବାଲୁଚ୍ ଲିବରେସନ୍ ଆର୍ମି ବା BLA ଏକ ଇନଫୋଗ୍ରାଫିକ୍ ମାଧ୍ୟମରେ ପ୍ରକାଶ କରିଛି ଯେ, ଜାନୁଆରୀରୁ ଜୁନ୍ 2025 ମଧ୍ୟରେ ଏହା ମୋଟ 284 ଆକ୍ରମଣ କରିଛି, ଯେଉଁଥିରେ 668 ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ, ପାକିସ୍ତାନର ଗୁପ୍ତଚର ସଂସ୍ଥା ପାଇଁ କାମ କରୁଥିବା 58 ଜଣ ଏଜେଣ୍ଟଙ୍କୁ ମଧ୍ୟ ହତ୍ୟା କରାଯାଇଛି।

BLA ଏହି ଛଅ ମାସରେ 45 ଟି ସୁରକ୍ଷା ଶିବିର ଏବଂ ସାମରିକ ଷ୍ଟେସନ ଉପରେ ଆକ୍ରମଣ କରିଛି। 131 ଟି ସରକାରୀ ଯାନବାହନ ନଷ୍ଟ କରିଛି। 121 ଟି ବୋମା ବିସ୍ଫୋରଣ ଏବଂ 3 ଟି ଆତ୍ମଘାତୀ ଆକ୍ରମଣ କରିଛି।

କେବଳ ଆକ୍ରମଣ ନୁହେଁ, BLA ମଧ୍ୟ ନିଜର କ୍ଷତି ସ୍ୱୀକାର କରିଛି। ରିପୋର୍ଟ ଅନୁଯାୟୀ, ଗତ ଛଅ ମାସରେ ସୁରକ୍ଷା ବାହିନୀ ସହିତ ଏନକାଉଣ୍ଟରରେ ଏହାର 36 ରୁ ଅଧିକ ଲଢ଼ୁଆ ସୈନିକ ନିହତ ହୋଇଛନ୍ତି। ଏହି ରିପୋର୍ଟ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।