ଶୁଭମନ ଗିଲ ଖେଳିଲେ କେଉଁ ଗେମ, ଯେଉଁଥିରେ ଶରୀରରେ ହେଲା କ୍ଷତ ? ଏଜବେଷ୍ଟନ୍‌ରେ ବିଜୟ ପରେ କଲେ ଖୁଲାସା

ବାର୍ମିଂହାମ୍: ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ଶୁଭମନ ଗିଲ ଏଜବେଷ୍ଟନ୍ ଟେଷ୍ଟରେ ଇଂଲଣ୍ଡକୁ ୩୩୬ ରନ୍‌ରେ ପରାସ୍ତ କରି ନିଜ କ୍ୟାପ୍ଟେନ୍‌ସିରେ ପ୍ରଥମ ଜିତର ଖାତା ଖୋଲିଛନ୍ତି। ଏହି ଜିତ ସହିତ ସିରିଜ୍ ୧-୧ରେ ବରାବର ହୋଇଛି। ଏହା ଏକ ଏମିତି ମୈଦାନ, ଯେଉଁଠାରେ ଭାରତ ପୂର୍ବରୁ କେବେ ଜିତି ନଥିଲା। ଗିଲଙ୍କ ନେତୃତ୍ୱରେ ଏହି ଐତିହାସିକ ବିଜୟ ସହିତ ସେ ନିଜେ ବି ୨୬୯ ଓ ୧୬୧ ରନ୍‌ର ଦୁଇଟି ଅସାଧାରଣ ପାରି ଖେଳି ପ୍ଲେୟାର ଅଫ୍ ଦି ମ୍ୟାଚ୍ ହାସଲ କରିଛନ୍ତି। ଏହି ପାରିଗୁଡ଼ିକ କେବଳ ଭାରତୀୟ କ୍ରିକେଟ ନୁହେଁ, ବିଶ୍ୱ କ୍ରିକେଟ ଇତିହାସରେ ସ୍ଥାୟୀ ସ୍ଥାନ ପାଇଛି ଏବଂ ଅନେକ ରେକର୍ଡ ଭାଙ୍ଗିଛି।

ପେଣ୍ଟ ବଲ୍ ଖେଳ ଯୋଗୁଁ ଶରୀରରେ ଘାଅ
ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଗିଲ ଟିମ୍ ବଣ୍ଡିଂ ସେସନରେ ‘ପେଣ୍ଟ ବଲ୍’ ଖେଳିଥିଲେ, ଯାହା ତାଙ୍କ ଶରୀରରେ କିଛି ଘାଅର ଚିହ୍ନ ଛାଡ଼ିଥିଲା। ମ୍ୟାଚ୍ ପରେ ସୋନି ସ୍ପୋର୍ଟସ୍‌ରେ ପୂର୍ବତନ ସତୀର୍ଥ ଚେତେଶ୍ୱର ପୂଜାରାଙ୍କୁ ଦେଇଥିବା ସାକ୍ଷାତକାରରେ ଗିଲ ଏହା ଖୁଲାସା କରିଛନ୍ତି। ପୂଜାରା ଯେତେବେଳେ ଖାଲି ସମୟରେ ଟିମ୍ କ’ଣ କରୁଥିଲା ବୋଲି ପଚାରିଥିଲେ, ଗିଲ କହିଥିଲେ, “ମ୍ୟାଚ୍ ଆଗରୁ ଆମେ ଟିମ୍ ବଣ୍ଡିଂ ପାଇଁ ପେଣ୍ଟ ବଲ୍ ଖେଳିବାକୁ ଯାଇଥିଲୁ। ମୁଁ ପ୍ରଥମ ଥର ଏହା ଖେଳୁଥିଲି ଓ ଜାଣି ନଥିଲି ଯେ ବଲ୍ ଏତେ ଜୋରରେ ଲାଗିବ। ଏବେ ବି ମୋ ଶରୀରରେ ୨-୩ଟି ଚିହ୍ନ ଅଛି, ଦରଦ ହେଉଛି।”

ବିଜୟର ଖୁସି

ଗିଲଙ୍କ ଏହି ଖୁଲାସା ଶୁଣି ପୂଜାରା ନିଜର ହସ ରୋକି ପାରି ନଥିଲେ, ଆଉ ଗିଲ ମଧ୍ୟ ଏହି ରାଜ ଖୋଲୁଥିବା ବେଳେ ହସୁଥିଲl କିନ୍ତୁ ଉଭୟଙ୍କ ମୁହଁରେ ଏକ ଅଲଗା ଖୁସି ଥିଲା, ଯାହା ଟିମ୍ ଇଣ୍ଡିଆର ଏହି ଐତିହାସିକ ଜିତ ଯୋଗୁଁ ଆସିଥିଲା। ଏହି ଆଘାତ ସତ୍ତ୍ୱେ ଗିଲଙ୍କ ବ୍ୟାଟିଂ ଅସାଧାରଣ ଥିଲା। ଏବେ ସେ ଆଗାମୀ ୧୦ ଜୁଲାଇରୁ ଲର୍ଡସ୍‌ରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟରେ ମଧ୍ୟ ଏହି ଫର୍ମ ଜାରି ରଖିବାକୁ ଲକ୍ଷ୍ୟ ରଖିଛନ୍ତି।