ଟ୍ରମ୍ପଙ୍କ ବ୍ରିକ୍ସ ଦେଶମାନଙ୍କୁ ଚେତାବନୀ: ୧୦% ଅତିରିକ୍ତ ଟାରିଫ ଲାଗୁ ହେବ, ଭାରତ ସମେତ କାହାକୁ ଛାଡ଼ ନାହିଁ

ଓ୍ୱାଶିଂଟନ ଡିସି: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବ୍ରିକ୍ସ ଦେଶଗୁଡ଼ିକୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଏହି ଦେଶମାନଙ୍କ ପଣ୍ୟ ଉପରେ ୧୦% ଅତିରିକ୍ତ ଶୁଳ୍କ ଲଗାଯିବ। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ, ବ୍ରିକ୍ସ ଗୋଷ୍ଠୀ ଆମେରିକୀୟ ଡଲାରକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛି। ତାଙ୍କ ନେତୃତ୍ୱରେ ଆୟୋଜିତ ଏକ କ୍ୟାବିନେଟ ବୈଠକରେ ସେ କହିଛନ୍ତି, “ଯଦି ସେମାନେ ବ୍ରିକ୍ସରେ ଅଛନ୍ତି, ତେବେ ସେମାନଙ୍କୁ ୧୦% ଶୁଳ୍କ ଦେବାକୁ ହେବ, କାରଣ ବ୍ରିକ୍ସ ଆମକୁ କ୍ଷତି ପହଞ୍ଚାଇବା ଓ ଆମ ଡଲାରକୁ ଦୁର୍ବଳ କରିବା ପାଇଁ ଗଠନ କରାଯାଇଛି।”

ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସମେତ ୧୧ଟି ଦେଶ ନେଇ ଗଠିତ ବ୍ରିକ୍ସ ଗୋଷ୍ଠୀ ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ) ନିୟମର ବିରୋଧୀ ବୋଲି ସମାଲୋଚନା କରିଛି। ବ୍ରିକ୍ସ ଦେଶଗୁଡ଼ିକ ବିଶ୍ୱ ଜିଡିପିର ୪୦% ଏବଂ ବିଶ୍ୱ ଜନସଂଖ୍ୟାର ପ୍ରାୟ ଅଧା ଅଟନ୍ତି।

ଟ୍ରମ୍ପ ପ୍ରଶାସନ ବର୍ତ୍ତମାନ ଦ୍ୱିପାକ୍ଷିକ ବାଣିଜ “ଟ୍ରମ୍ପ ପ୍ରଶାସନ ବର୍ତ୍ତମାନ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ ଗୁରୁତ୍ୱ ଦେଉଛି, ଏବଂ ଯେଉଁ ଦେଶମାନେ ଆମେରିକା ସହିତ ବାଣିଜ୍ୟ ଚୁକ୍ତି କରି ନାହାନ୍ତି, ସେମାନଙ୍କ ପାଇଁ ଅଗଷ୍ଟ ୧ ତାରିଖରୁ ନୂଆ ଶୁଳ୍କ ଲାଗୁ ହେବ। ଆମେରିକୀୟ ଡଲାରର ଶକ୍ତିକୁ ନେଇ ଟ୍ରମ୍ପ କହିଛନ୍ତି, “ଡଲାର ହେଉଛି ରାଜା, ଆମେ ଏହାକୁ ଏହିପରି ରଖିବୁ। ଯଦି କେହି ଏହାକୁ ଚ୍ୟାଲେଞ୍ଜ କରିବାକୁ ଚାହୁଁଛନ୍ତି, ସେମାନେ ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିବ, କିନ୍ତୁ ମୁଁ ଭାବୁଛି କେହି ଏହା ପାଇଁ ପ୍ରସ୍ତୁତ ନାହାନ୍ତି।”

ଭାରତ ପ୍ରସଙ୍ଗରେ, ଯିଏକି ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଅଂଶୀଦାର ଏବଂ ବ୍ରିକ୍ସ ସଦସ୍ୟ, ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ କାହାକୁ ଛାଡ଼ ଦିଆଯିବ ନାହିଁ। ସେ କହିଛନ୍ତି, “ସେମାନେ ବ୍ରିକ୍ସର ସଦସ୍ୟ, ସେମାନେ ୧୦% ଶୁଳ୍କ ଦେବେ। ମୁଁ ଏକ ଆଗରୁ ଏହା କହିଥିଲି ଏବଂ ଏହା ବ୍ରିକ୍ସକୁ ବହୁତ ବଡ଼ ଝଟକା ଦେଇଥିଲା। ଆମେ କୌଣସି ସମୟରେ ଆମର ମାନଦଣ୍ଡ ହରାଇବୁ ନାହିଁ।”

ଏହା ପୂର୍ବରୁ ଆମେରିକା ଓ ଭାରତ ଏକ ବାଣିଜ୍ୟ ଚୁକ୍ତିରେ ପହଞ୍ଚିବାକୁ ନିକଟତର ହୋଇଛନ୍ତି, ଏବଂ ଟ୍ରମ୍ପ କହିଛନ୍ତି ଯେ ସେମାନେ “ଚୁକ୍ତି ପାଇଁ ବହୁତ ନିକଟତର”। ଚଳିତ ମାସ ଶେଷରେ ଓ୍ୱାଶିଂଟନ ଡିସିରେ ଏକ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ବୈଠକରେ କିମ୍ବା ଟ୍ରମ୍ପଙ୍କ ଶରତକାଳୀନ ଭାରତ ଗସ୍ତ ସମୟରେ ଏକ ଚୂଡ଼ାନ୍ତ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ଏକ ଅନ୍ତରୀଣ ବା ଛୋଟ ବାଣିଜ୍ୟ ଚୁକ୍ତି ଶୀଘ୍ର ଘୋଷଣା ହେବାର ସମ୍ଭାବନା ରହିଛି, ଯେଉଁଥିରେ କୃଷି ଓ ଡେରୀ ଭଳି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ବାଦ ଦିଆଯାଇପାରେ।ଆମେରିକା କୃଷି ଉତ୍ପାଦ, ଚିକିତ୍ସା ଉପକରଣ ଓ ଶିଳ୍ପ ପଣ୍ୟ ଉପରେ ଶୁଳ୍କ ହ୍ରାସ ପାଇଁ ଚାପ ଦେଉଛି, ଯେତେବେଳେ ଭାରତ ବସ୍ତ୍ର ଓ ପୋଷାକ ଭଳି ଶ୍ରମପ୍ରଧାନ ରପ୍ତାନି ପାଇଁ ଅଗ୍ରାଧିକାର ପ୍ରବେଶ ଦାବି କରୁଛି। ଏହି ଚୁକ୍ତି ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ ୫୦୦ ବିଲିୟନ ଡଲାରକୁ ବୃଦ୍ଧି କରିବା ସହ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଓ ଶକ୍ତି କ୍ଷେତ୍ରରେ ସହଯୋଗକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି।

ଟ୍ରମ୍ପ ପୂର୍ବତନ ପ୍ରଶାସନମାନଙ୍କୁ ସମାଲୋଚନା କରି କହିଛନ୍ତି, “ଯଦି ଆପଣଙ୍କର ପୂର୍ବ ପ୍ରଶାସନ ଭଳି ଅଯୋଗ୍ୟ ରାଷ୍ଟ୍ରପତି ଥାଆନ୍ତେ, ଆମେ ଡଲାରର ବିଶ୍ୱ ମାନଦଣ୍ଡ ହରାଇଥାନ୍ତୁ। ଏହା ଏକ ବଡ଼ ଯୁଦ୍ଧରେ ହାରିବା ଭଳି ହୋଇଥାନ୍ତା। ଆମେ ଆଉ ସେହି ଦେଶ ରହିନଥାନ୍ତୁ। ମୁଁ ଏହା ହେବାକୁ ଦେବି ନାହିଁ।”

ଟ୍ରମ୍ପ ତାଙ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଘୋଷଣା କରିଛନ୍ତି ଯେ, ୧୪ଟି ଦେଶକୁ ଚିଠି ପଠାଯାଇଛି ଏବଂ ଅଗଷ୍ଟ ୧, ୨୦୨୫ରୁ ଶୁଳ୍କ ଲାଗୁ ହେବ, ଯେଉଁଥିରେ କୌଣସି ସମୟ ବୃଦ୍ଧି କରାଯିବ ନାହିଁ। ସେ କହିଛନ୍ତି, “ସମସ୍ତ ଅର୍ଥ ଅଗଷ୍ଟ ୧, ୨୦୨୫ରୁ ଦେୟ ହେବ। କୌଣସି ଅବଧି ବୃଦ୍ଧି ଦିଆଯିବ ନାହିଁ।”

ଶୁଳ୍କ ନୀତିର ଉଦ୍ଦେଶ୍ୟ ସ୍ପଷ୍ଟ କରି ଟ୍ରମ୍ପ କହିଛନ୍ତି, “ଆମେ ନ୍ୟାୟପୂର୍ଣ୍ଣ ବାଣିଜ୍ୟ ପାଇଁ ଖୋଲା ଅଛୁ। ଯଦି ଅନ୍ୟ ଦେଶମାନେ ନ୍ୟାୟପୂର୍ଣ୍ଣ ଚୁକ୍ତି ପାଇଁ ରାଜି ହୁଅନ୍ତି, ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ବହୁ ଦେଶ ଦଶନ୍ଧି ଧରି ଆମ ଉପରେ ଅନ୍ୟାୟ କରିଛନ୍ତି। ଏହା ଏକ ଛୋଟ ପଦକ୍ଷେପ, କିନ୍ତୁ ଆମେ ଏହା କରିବୁ।” ସେ ଆହୁରି କହିଛନ୍ତି, “ମୋର ପ୍ରଥମ କାର୍ଯ୍ୟକାଳରେ ଆମେ ଚୀନ ଓ ଅନ୍ୟ ଦେଶମାନଙ୍କଠାରୁ ଶହ ଶହ ବିଲିୟନ ଡଲାରର ଶୁଳ୍କ ସଂଗ୍ରହ କରିଥିଲୁ। ଏହା ଆମ ଦେଶର ଆର୍ଥିକ ଦୃଷ୍ଟିରୁ ସଫଳତମ ସମୟ ଥିଲା। ଏଥର ଏହା ଆହୁରି ଉନ୍ନତ ହେବ।” ଅଗଷ୍ଟ ୧ ତାରିଖର ଶୁଳ୍କ ନିଷ୍ପତ୍ତି ଉପରେ ଟ୍ରମ୍ପ କହିଛନ୍ତି, “ମୁଁ ଏହାକୁ ଦୃଢ଼ କହିବି, କିନ୍ତୁ ୧୦୦% ଦୃଢ଼ ନୁହେଁ। ଯଦି ସେମାନେ ଆଲୋଚନା ପାଇଁ ଡାକନ୍ତି ଏବଂ ଭିନ୍ନ ବିକଳ୍ପ ପ୍ରସ୍ତାବ ଦିଅନ୍ତି, ଆମେ ଖୋଲା ମନରେ ଆଲୋଚନା କରିବୁ।” ଏହି ଶୁଳ୍କ ନୀତି ବ୍ରିକ୍ସ ଦେଶମାନଙ୍କ ସହ ଆମେରିକାର ବାଣିଜ୍ୟ ସମ୍ପର୍କକୁ ଆହୁରି ଜଟିଳ କରିପାରେ, ଯେଉଁଥିରେ ଭାରତ ଭଳି ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରଙ୍କ ସହ ଚୁକ୍ତି ଆଲୋଚନା ଉପରେ ପ୍ରଭାବ ପଡ଼ିପାରେ।