ଏନଏଚପିସିରେ ଆପ୍ରେଣ୍ଟିସ ପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ଆବେଦନ, ଜାଣନ୍ତୁ କେତେ ମିଳିବ ଷ୍ଟାଇପେଣ୍ଡ

ନୂଆଦିଲ୍ଲୀ: ନ୍ୟାସନାଲ ହାଇଡ୍ରୋଇଲେକ୍ଟ୍ରିକ ପାୱାର କର୍ପୋରେସନ (ଏନଏଚପିସି) ଲିମିଟେଡ ଆପ୍ରେଣ୍ଟିସସିପ୍ ନିଯୁକ୍ତି ୨୦୨୫ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ମୋଟ ୩୬୧ଟି ଖାଲି ପଦବି ପୂରଣ କରାଯିବ, ଯେଉଁଥିରେ ଗ୍ରାଜୁଏଟ, ଡିପ୍ଲୋମା ଏବଂ ଆଇଟିଆଇ ଟ୍ରେଡରେ ଆପ୍ରେଣ୍ଟିସ ପଦବି ଅନ୍ତର୍ଭୁକ୍ତ। ଯୋଗ୍ୟ ପ୍ରାର୍ଥୀମାନେ ଆସନ୍ତାକାଲି ଅର୍ଥାତ୍ ୧୧ ଜୁଲାଇ ୨୦୨୫ରୁ ଅନଲାଇନ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ହେଉଛି ୧୧ ଅଗଷ୍ଟ ୨୦୨୫। ଏହି ଆପ୍ରେଣ୍ଟିସସିପ ପ୍ରୋଗ୍ରାମ ଏନଏଚପିସିର ଫରିଦାବାଦସ୍ଥିତ କର୍ପୋରେଟ ଅଫିସ ସମେତ ଚମ୍ବା, କୁଲୁ, ଜମ୍ମୁ, ଲେହ, ଦାର୍ଜିଲିଂ, ସିକ୍କିମ, ମଣିପୁର ଓ ଅରୁଣାଚଳ ପ୍ରଦେଶ ଆଦି ବିଭିନ୍ନ ସ୍ଥାନରେ ଚାଲିବ।

ଆବେଦନ ପ୍ରକ୍ରିୟା ଓ ଯୋଗ୍ୟତାଆପ୍ରେଣ୍ଟିସ ପଦବି ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ପ୍ରଥମେ ନ୍ୟାସନାଲ ଆପ୍ରେଣ୍ଟିସସିପ ଟ୍ରେନିଂ ସ୍କିମ (NATS) କିମ୍ବା ନ୍ୟାସନାଲ ଆପ୍ରେଣ୍ଟିସସିପ ପ୍ରମୋସନ ସ୍କିମ (NAPS) ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିବାକୁ ପଡ଼ିବ। ଏହାପରେ ସେମାନେ ଏନଏଚପିସିର ଅଫିସିଆଲ ଓ୍ଵେବସାଇଟ www.nhpcindia.com ମାଧ୍ୟମରେ ଅନଲାଇନ ଆବେଦଌନ କରିପାରିବେ। ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ, ପ୍ରାର୍ଥୀଙ୍କ ପାଖରେ ବି.କମ, ବି.ଏସସି, ବି.ଟେକ/ବି.ଇ, ଏଲଏଲବି, ଡିପ୍ଲୋମା, ଆଇଟିଆଇ, ବିଏସଡବ୍ଲୁ, ବିପିଟି, ଏମଏ, ଏମବିଏ/ପିଜିଡିଏମ କିମ୍ବା ପିଜି ଡିପ୍ଲୋମା ଆଦି ଶିକ୍ଷାଗତ ଯୋଗ୍ୟତା ଥାଇପାରେ। ପ୍ରାର୍ଥୀଙ୍କ ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ, ତେବେ ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ବୟସରେ କିଛି ରିହାତି ମିଳିବ।

ଷ୍ଟାଇପେଣ୍ଡ ବିବରଣୀଏନଏଚପିସି ଆପ୍ରେଣ୍ଟିସସିପ ନିଯୁକ୍ତି ୨୦୨୫ ଅଧୀନରେ ନିର୍ବାଚିତ ପ୍ରାର୍ଥୀମାନେ ଆପ୍ରେଣ୍ଟିସସିପ ଆଇନ, ୧୯୬୧ ଅନୁଯାୟୀ ମାସିକ ଷ୍ଟାଇପେଣ୍ଡ ପାଇବେ। ଟେକ୍ନିକାଲ/ଡିପ୍ଲୋମା ଆପ୍ରେଣ୍ଟିସମାନେ ମାସିକ ୮,୦୦୦ ଟଙ୍କା ଏବଂ ଡେଜିଗନେଟେଡ ଟ୍ରେଡ ଆପ୍ରେଣ୍ଟିସମାନେ ମାସିକ ୭,୭୦୦ ଟଙ୍କା ଷ୍ଟାଇପେଣ୍ଡ ପାଇବେ। ଏହି ଏକ ବର୍ଷିଆ ପ୍ରଶିକ୍ଷଣ ପ୍ରୋଗ୍ରାମ ପରେ ପ୍ରାର୍ଥୀଙ୍କୁ ସ୍ଥାୟୀ ନିଯୁକ୍ତିର କୌଣସି ଦାବି କିମ୍ବା ବିଚାର କରାଯିବ ନାହିଁ।

ନିର୍ବାଚନ ପ୍ରକ୍ରିୟାନିର୍ବାଚନ ପ୍ରକ୍ରିୟା ଡିଗ୍ରୀ, ଡିପ୍ଲୋମା କିମ୍ବା ଆଇଟିଆଇରେ ପ୍ରାପ୍ତ ମାର୍କ ଏବଂ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ କରାଯିବ। ପ୍ରାର୍ଥୀମାନଙ୍କୁ ଅନଲାଇନ ଆବେଦନ ପରେ ଆବେଦନ ଫର୍ମର ହାର୍ଡକପି ସହ ଆବଶ୍ୟକୀୟ ଦସ୍ତାବିଜ ଯଥା ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଆଧାର କାର୍ଡ, ଜନ୍ମ ପ୍ରମାଣପତ୍ର ଏବଂ ଅନ୍ୟାନ୍ୟ ଦସ୍ତାବିଜ ସ୍ପିଡ ପୋଷ୍ଟ, ରେଜିଷ୍ଟାର୍ଡ ପୋଷ୍ଟ କିମ୍ବା ହାତରେ ଦେଇ ପଠାଇବାକୁ ପଡ଼ିବ। ଆବେଦନଗୁଡ଼ିକ ନିର୍ଦ୍ଦିଷ୍ଟ ଠିକଣାକୁ ୧୧ ଅଗଷ୍ଟ ୨୦୨୫ ସୁଦ୍ଧା ପହଞ୍ଚିବା ଆବଶ୍ୟକ।

ଗୁରୁତ୍ୱପୂର୍ଣ୍ଣ ତାରିଖ ଓ ସମ୍ପର୍କଆବେଦନ ଆରମ୍ଭ ତାରିଖ: ୧୧ ଜୁଲାଇ ୨୦୨୫
ଆବେଦନର ଶେଷ ତାରିଖ: ୧୧ ଅଗଷ୍ଟ ୨୦୨୫
ଅଫିସିଆଲ ବିଜ୍ଞପ୍ତି ଓ ଆବେଦନ ପାଇଁ ପ୍ରାର୍ଥୀମାନେ ଏନଏଚପିସିର ଅଫିସିଆଲ ଓ୍ଵେବସାଇଟ www.nhpcindia.com କିମ୍ବା ଆପ୍ରେଣ୍ଟିସସିପ ପୋର୍ଟାଲ www.apprenticeshipindia.gov.in ରେ ପରିଦର୍ଶନ କରିପାରିବେ। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ବିଜ୍ଞପ୍ତି (ଆଡ଼ଭର୍ଟାଇଜମେଣ୍ଟ ନଂ: NH/Rectt./03/2025) ପଢ଼ି ସମସ୍ତ ବିବରଣୀ ଯାଞ୍ଚ କରିନେବା ଉଚିତ।

ଏହି ଆପ୍ରେଣ୍ଟିସସିପ ପ୍ରୋଗ୍ରାମ ଯୁବପିଢ଼ିଙ୍କୁ ଶକ୍ତି କ୍ଷେତ୍ରରେ କ୍ୟାରିୟର ଗଢ଼ିବାର ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି। ଯୋଗ୍ୟ ପ୍ରାର୍ଥୀମାନେ ଏହି ସୁଯୋଗର ଲାଭ ଉଠାଇ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆବେଦନ କରିବାକୁ ପରାମର୍ଶ ଦିଆଯାଉଛି।