ମଠରେ ପିଲା ଶୋଇଥିଲେ, ଉପରୁ ହେଲା ବୋମା ବର୍ଷା; ବୌଦ୍ଧ ମଠ ଉପରେ ସେନାର ଏୟାର ଷ୍ଟ୍ରାଇକ୍, ୨୩ ମୃତ୍ୟୁ
ମିଆଁମାରରେ ଏକ ବୌଦ୍ଧ ମଠ ଉପରେ ବାୟୁସେନାର ଏୟାର ଷ୍ଟ୍ରାଇକ । ଗୁରୁବାର ହୋଇଥିବା ଏହି ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି।
ମିଆଁମାର: ଏକ ବୌଦ୍ଧ ମଠ ଉପରେ ଏୟାର ଷ୍ଟ୍ରାଇକର ଏକ ମାମଲା ସାମ୍ନାକୁ ଆସିଛି । ଗୁରୁବାର କେନ୍ଦ୍ରୀୟ ମିଆଁମାରର ସାଗାଇଙ୍ଗ ଅଞ୍ଚଳର ଏକ ବୌଦ୍ଧ ମଠ ଉପରେ ସେନା ଏୟାର ଷ୍ଟ୍ରାଇକ କରିଥିଲା । ଯେଉଁଥିରେ ଅତିକମରେ 23 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 30ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 10 ଜଣଙ୍କର ଅବସ୍ଥା ଗୁରୁତର ବୋଲି ଜଣା ପଡ଼ିଛି । ତେବେ ମୃତକଙ୍କ ମଧ୍ୟରେ 4 ଜଣ ନୀରିହ ପିଲା ମଧ୍ୟ ଥିବା ଜଣାପଡ଼ିଛି ।
ଏହି ଆକ୍ରମଣ ଲିଂ ତା ଲୁ ଗାଁରେ ହୋଇଥିଲା, ଯାହା ମଣ୍ଡାଲେ ସହରରୁ 35 କିମି ଉତ୍ତର-ପଶ୍ଚିମରେ ଅବସ୍ଥିତ ଏବଂ ଏହାକୁ ସାମରିକ କାର୍ଯ୍ଯକଳାପର ଏକ ଗଡ଼ ବୋଲି କୁହାଯାଏ । ରାତି ପ୍ରାୟ 1ଟା ସମୟରେ ଏହି ଘଟଣା ଘଟିଥିଲା । ଯେତେବଳେ ଗାଁର 150 ପାଖାପାଖି ଲୋକ ଏହି ଆକ୍ରମଣରୁ ବଞ୍ଚିବା ପାଇଁ ଏହି ମଠରେ ଆଶ୍ରୟ ନେଇଥିଲେ, ସେତେବେଳେ ବାୟୁସେନା ଆକ୍ରମଣ କରିଥିଲା । ଯାହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା । ମିଆଁମାର ସେନା ଏପର୍ଯ୍ୟନ୍ତ ଆକ୍ରମଣ ବିଷୟରେ କୌଣସି ସରକାରୀ ବିବୃତ୍ତି ଦେଇନାହିଁ ।
ନିର୍ବାଚନ ପୂର୍ବରୁ ‘ଶକ୍ତି ପ୍ରଦର୍ଶନ’ ?
ଏହି ଆକ୍ରମଣ ଏପରି ସମୟରେ ହୋଇଛି ଯେତେବେଳେ ମିଆଁମାର ସେନା ସମ୍ପ୍ରତି ସାଗାଇଙ୍ଗରେ ଏକ ବଡ଼ ଧରଣର ସାମରିକ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ ବିଦ୍ରୋହୀ ଗୋଷ୍ଠୀଙ୍କଠାରୁ ଅଞ୍ଚଳକୁ ପୁନର୍ବାର ଦଖଲ କରିବା ପାଇଁ ଟ୍ୟାଙ୍କ ଏବଂ ଯୁଦ୍ଧ ବିମାନ ମୁତୟନ କରାଯାଇଛି। ବିରୋଧୀ ଜାତୀୟ ଏକତା ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି, ‘ଆସନ୍ତା ନିର୍ବାଚନ ପୂର୍ବରୁ ଜୁଣ୍ଟା ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ ଏସବୁ କରୁଛି। ସେମାନେ ଆଶା କରୁଛନ୍ତି ଯେ, ଏହା କରି ସେମାନେ କ୍ଷମତା ହାସଲ କରିବେ।’