୯ ଘଣ୍ଟିଆ ଚାକିରି ପରେ ରାପିଡୋ ଚଳାଇ ଅତିରିକ୍ତ ରୋଜଗାର କରୁଛନ୍ତି ଦିଲ୍ଲୀର ଜଣେ ଯୁବକ, ଆୟ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ଆଜିର ସମୟରେ କେବଳ ୯ ଘଣ୍ଟା ଚାକିରି କରି ଘରର ସମସ୍ତ ଖର୍ଚ୍ଚ ପୂରଣ କରିବା ବେଶ୍‌ କଷ୍ଟକର ହୋଇପଡ଼ିଛି। ଏପରି ପରିସ୍ଥିତିରେ ଅନେକେ ଅତିରିକ୍ତ ରୋଜଗାର ପାଇଁ ପାର୍ଟ ଟାଇମ୍‌ କାମ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ୮-୯ ଘଣ୍ଟା ଚାକିରି ପରେ ବିଶ୍ରାମ ନନେଇ ଆଉ ଏକ କାମ କରିବା କୌଣସି ସହଜ କଥା ନୁହେଁ। ତେବେ ଦିଲ୍ଲୀର ଶୁଭମ ପରମାରଙ୍କ ପାଇଁ ବୋଧେ ବିଶ୍ରାମ କରିବା ସମୟର ଅପଚୟ ପରି ଲାଗୁଛି। ଅଫିସରୁ ମୁକ୍ତ ହେବା ପରେ ସେ ରାପିଡୋ ବାଇକ୍‌ ଟ୍ୟାକ୍ସି ଚଳାଇ ଅତିରିକ୍ତ ରୋଜଗାର କରୁଛନ୍ତି ଏବଂ ସୋସିଆଲ ମିଡିଆରେ ଭିଡିଓ ତିଆରି କରି ନିଜର ଶୌକ ମଧ୍ୟ ପୂରଣ କରୁଛନ୍ତି।

ଶୁଭମ ଦିଲ୍ଲୀରେ ରହୁଛନ୍ତି ଏବଂ ଗୁରୁଗ୍ରାମରେ ହସ୍ପିଟାଲିଟି ଇଣ୍ଡଷ୍ଟ୍ରିରେ ନୌକରୀ କରୁଛନ୍ତି। ତାଙ୍କର ଦୈନିକ ଯାତାୟାତ ଦିଲ୍ଲୀରୁ ଗୁରୁଗ୍ରାମ ପର୍ଯ୍ୟନ୍ତ ବେଶ୍‌ ଲମ୍ବା। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ଶୁଭମ କହିଛନ୍ତି ଯେ ସେ ଛୋଟ ବୟସରୁ ରୋଜଗାର ଆରମ୍ଭ କରିଥିଲେ, କାରଣ ସେ ସବୁବେଳେ କିଛି ଭିନ୍ନ କରିବାକୁ ଚାହୁଁଥିଲେ। ଏକ ଦିନ ସେ ଗୁରୁଗ୍ରାମର ଜଣେ ୟୁଟ୍ୟୁବରଙ୍କ ଭିଡିଓ ଦେଖି ପ୍ରେରଣା ପାଇଥିଲେ, ଯାହା ତାଙ୍କୁ ରାପିଡୋ ଚଳାଇ ଅତିରିକ୍ତ ରୋଜଗାର କରିବାର ଆଇଡିଆ ଦେଇଥିଲା।

କେତେ ରୋଜଗାର ଓ ଅତିରିକ୍ତ ଆୟ?
ରିପୋର୍ଟ ଅନୁସାରେ, ଶୁଭମଙ୍କ ଅଫିସ ନୌକରୀରୁ ବାର୍ଷିକ ଦରମା ପ୍ରାୟ ୩.୬ ଲକ୍ଷ ଟଙ୍କା, ଯାହା ମାସିକ ହାତକୁ ମିଳୁଥିବା ଦରମା ପ୍ରାୟ ୩୦,୦୦୦ ଟଙ୍କାରୁ କମ୍‌। ଏହା ସହିତ ସେ ରାପିଡୋ ଚଳାଇ ପ୍ରତି ମାସରେ ୧୦,୦୦୦ରୁ ୨୨,୦୦୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରୋଜଗାର କରୁଛନ୍ତି, ଯାହା ତାଙ୍କ ଦ୍ୱାରା ଦିଆଯାଉଥିବା ସମୟ ଉପରେ ନିର୍ଭର କରେ। ଶୁଭମ କହିଛନ୍ତି, “ରାପିଡୋ ମୋ ପାଇଁ ଏକ ନିର୍ଭରଯୋଗ୍ୟ ଅତିରିକ୍ତ ଆୟର ଉତ୍ସ ହୋଇପାରିଛି।”

ସହକର୍ମୀଙ୍କ ମଜାକ ସତ୍ତ୍ୱେ ଅଟଳ ସଂକଳ୍ପ
ଶୁଭମଙ୍କ ଏହି ଉଦ୍ୟମକୁ ଅନେକ ସହକର୍ମୀ ‘ରାପିଡୋ ଓ୍ୱାଲା ଭୈୟା’ କହି ମଜାକ କରିଛନ୍ତି। କିନ୍ତୁ ସେ ଏହି ମଜାକକୁ ଅଣଦେଖା କରି ନିଜର ଲକ୍ଷ୍ୟ ଆଡ଼କୁ ଆଗେଇ ଚାଲିଛନ୍ତି। ଶୁଭମଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକେ ତାଙ୍କୁ ପ୍ରଶଂସା କରିଛନ୍ତି। ସେ କେବଳ ଅତିରିକ୍ତ ରୋଜଗାର କରୁନାହାଁନ୍ତି, ବରଂ ଇନଷ୍ଟାଗ୍ରାମରେ (@shubham.parmarvlogs) ନିୟମିତ ଭିଡିଓ ପୋଷ୍ଟ କରି ନିଜର କଣ୍ଟେଣ୍ଟ କ୍ରିଏସନ୍‌ ସୌକକୁ ମଧ୍ୟ ଜାରି ରଖିଛନ୍ତି।

ପ୍ରେରଣାଦାୟୀ କାହାଣୀ
ଶୁଭମଙ୍କ ଏହି ମେହନତ ଓ ସଂକଳ୍ପ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି। ତାଙ୍କ କାହାଣୀ ଦର୍ଶାଉଛି ଯେ ନିଷ୍ଠା ଓ ଯୋଜନା ସହିତ କୌଣସି କାମ ଛୋଟ ନୁହେଁ। ରାପିଡୋ ଭଳି ପ୍ଲାଟଫର୍ମ ଆଜି ଅନେକଙ୍କ ପାଇଁ ଅତିରିକ୍ତ ରୋଜଗାରର ଏକ ସହଜ ଓ ନିର୍ଭରଯୋଗ୍ୟ ମାଧ୍ୟମ ହୋଇପାରିଛି। ଶୁଭମଙ୍କ ଏହି ଉଦାହରଣ ଅନ୍ୟମାନଙ୍କୁ ମଧ୍ୟ ନିଜର ଆର୍ଥିକ ସ୍ୱାଧୀନତା ଓ ସୌକ ପୂରଣ ପାଇଁ ଅତିରିକ୍ତ ଉଦ୍ୟମ କରିବାକୁ ପ୍ରେରିତ କରୁଛି।