ସକାଳୁ ସକାଳୁ ଭାରତ ସମେତ ଥରି ଉଠିଲା ଏହି ୩ ଦେଶ

ଭୟଙ୍କର ଭୂମିକମ୍ପ, ପୁଣିଥରେ ଥରି ଉଠିଲା ପୃଥିବୀ।

ନୂଆଦିଲ୍ଲୀ: ଭୂମିକମ୍ପ ଝଟକାରେ ପୁଣିଥରେ ଥରି ଉଠିଲା ପୃଥିବୀ।  ସକାଳୁ ସକାଳୁ ଭାରତ ସମେତ ତାଜିକିସ୍ତାନ ଓ ଇରାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।  ରାତି ୧୨ଟାରୁ ସକାଳ ୫ଟା ମଧ୍ୟରେ ଭୂକମ୍ପ ଯୋଗୁଁ ୩ଟି ଦେଶରେ ଆତଙ୍କ ଖେଳିଯାଇଛି।

ଯଦିଓ ଏହି ତିନୋଟି ଦେଶରେ ଭୂମିକମ୍ପ ଯୋଗୁଁ ଏବେଯାଏଁ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ସୂଚନା ଆସିନାହିଁ, କିନ୍ତୁ ଲୋକଙ୍କ ମଧ୍ୟରେ ଏକ ଆତଙ୍କର ବାତାବରଣ ଖେଳିଯାଇଛି।

ଭାରତରେ ଭୂକମ୍ପ: ପ୍ରଥମେ ଭୂମିକମ୍ପ ଝଟକାରେ ଭାରତର ଆସାମ ରାଜ୍ୟର ନାଗାଓଁ ଜିଲ୍ଲା ଥରି ଉଠିଥିଲା।  ରାତି ପ୍ରାୟ ୧୨:୫୬ ରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୨.୯ ରେକର୍ଡ କରାଯାଇଥିଲା।

ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମି ତଳେ ୪୦ କିଲୋମିଟର ଗଭୀରତାରେ ଥିଲା। ୮ ଜୁଲାଇରେ ମଧ୍ୟ କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୪.୧ ଥିଲା।

ତାଜିକିସ୍ତାନ ଏବଂ ଇରାନରେ ମଧ୍ୟ ଭୂମିକମ୍ପ: ଭାରତ ପରେ ତାଜିକିସ୍ତାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି।

ଏହି ଭୂମିକମ୍ପର କେନ୍ଦ୍ରସ୍ଥଳି ମାଟିତଳେ ୧୬୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଛି। ତାଜିକିସ୍ତାନରେ ଭୂମିକମ୍ପ ରାତି ପ୍ରାୟ ୧ ଟା ସମୟରେ ହୋଇଥିଲା।

ପ୍ରତ୍ୟୁଷରେ ଇରାନରେ ଏକ ଭୂମିକମ୍ପ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ରେକର୍ଡ କରାଯାଇଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଇରାନର ରାଜଧାନୀ ତେହେରାନ ନିକଟରେ ଅନୁଭୂତ ହୋଇଥିଲା।