ଗଭୀର ପାଣିରେ ବିଶାଳ କୁମ୍ଭୀର ସହ ଲଢ଼େଇ କଲା ୧୦ ବର୍ଷର କୁନି ପୁଅ, ବାପାର ଜୀବନ ବଞ୍ଚାଇଲା
ନିଜ ଜୀବନକୁ ଖାତିର ନକରି କୁମ୍ଭୀର ସହ ଲଢ଼େଇ କଲା। ଆଉ ବାପାର ଜୀବନ ବଞ୍ଚାଇଲା ନାବାଳକ ପୁଅ।
ଉତ୍ତରପ୍ରଦେଶ: କୁମ୍ଭୀର କେତେ ଭୟଙ୍କର ସେ କଥା କହିବାର ଆବଶ୍ୟକତା ନାହିଁ। ଅନେକ ସମୟରେ ମଣିଷଙ୍କୁ କୁମ୍ଭୀର ଗୋଟା ଖାଇଯିବାର ନଜିର ରହିଛି। ଆଉ କୁମ୍ଭୀର ପାଟିରେ ଥରେ ପଡିବା ପରେ ସେଥିରୁ ମୁକୁଳିବା ପ୍ରାୟ ସମସ୍ତଙ୍କ ପକ୍ଷେ ଅସମ୍ଭବ ହୋଇଥାଏ।
କିନ୍ତୁ ଏଠି ଜଣେ ୧୦ ବର୍ଷର ନାବାଳକ ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛି। ନିଜେ କୁମ୍ଭୀର ସହ ଲଢ଼େଇ କରି ତାରା ବାପାଙ୍କ ଜୀବନ ବଞ୍ଚାଇଛି। ବୋଧହୁଏ କଥାଟି ଆପଣଙ୍କୁ ଫିଲ୍ମି ଭଳି ଲାଗୁଥିବ, କିନ୍ତୁ ଘଟଣାଟି ସଂମ୍ପୂର୍ଣ୍ଣ ସତ।
କୁମ୍ଭୀର ଆକ୍ରମଣ: ତେବେ ଘଟଣାଟି ହେଉଛି ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି। ଆଗ୍ରାର ଚମ୍ୱଲ ନଦୀ କୂଳରେ ଏକ ୧୦ ବର୍ଷର ବାଳକ ତା ବାପାଙ୍କ ଜୀବନ ବଞ୍ଚାଇବାକୁ କୁମ୍ଭୀର ସହ ଲଢେଇ କରିଛି।
ପ୍ରକୃତରେ ଘଟଣାଟି ବାସୌନି ଜିଲ୍ଲାର ଝରଣାପୁରା ହରଲାଲପୁର ଗାଁ ନିକଟ ଚମ୍ବଲ ନଦୀର ଘଟିଥିଲା। ଏଠାରେ ଜଣେ ଚାଷୀ ବୀରଭାନ ଶୁକ୍ରବାର ଦିନ ଅପରାହ୍ନରେ ତାଙ୍କ ପୁଅ ଅଜୟ ଏବଂ ଝିଅ କିରଣଙ୍କ ସହିତ ପାଣି ଆଣିବାକୁ ନଦୀକୁ ଯାଇଥିଲେ।
ଚାଷୀ ଜଣକ ନଦୀରେ ବୋତଲ ବୁଡାଇବା ମାତ୍ରେ ପାଣିରେ ଲୁଚି ରହିଥିବା ଏକ କୁମ୍ଭୀର ତାଙ୍କ ଉପରକୁ ଆକ୍ରମଣ କରିଥିଲା। କୁମ୍ଭୀରଟି ଚାଷୀ ଜଣଙ୍କର ଗୋଡ଼କୁ ଧରି ପାଣି ଭିତରକୁ ଟାଣିବାକୁ ଲାଗିଲା। ଫଳରେ ଚାଷୀ ଜଣକ ଜୋରେ ଚିତ୍କାର କରିବାକୁ ଲାଗିଲେ।
କୁମ୍ଭୀର ସହ ବାଳକର ଲଢ଼େଇ: ବାପାଙ୍କ ଚିତ୍କାର ଶୁଣି ପୁଅ ଏବଂ ଝିଅ ମଧ୍ୟ ଚିତ୍କାର କରିବାକୁ ଲାଗିଲେ। ଏହି ସମୟରେ କୌଣସି ଉପାୟ ନପାଇ ଚାଷୀଙ୍କ ୧୦ ବର୍ଷର ପୁଅ ଅଜୟ ଏକ ମୋଟା ବାଡି ଆଣି କୁମ୍ଭୀରର ମୁଣ୍ଡକୁ ଜୋରେ ପିଟିବାକୁ ଲାଗିଲା।
ପୁଅର ଲଗାତାର ଆକ୍ରମଣ ପରେ କୁମ୍ଭୀରଟି ଚାଷୀ ଜଣଙ୍କର ଗୋଡ଼ ଛାଡ଼ି ବାଳକ ଉପରକୁ ଆକ୍ରମଣ କଲା। ଆଉ ଏତିକି ବେଳେ କୃଷକ ଜଣକ ନଦୀ ଭିତରୁ ଉପରକୁ ଚାଲି ଆସିଲେ। ଆଉ କୌଶଳ କରି ନାବାଳକ ପୁଅ ମଧ୍ୟ କୁମ୍ଭୀର ପାଖରୁ ମୁକ୍ତି ପାଇଗଲା।
ଚାଷୀ ଗୁରୁତର: ଚାଷୀଙ୍କ ଉପରେ କୁମ୍ଭୀର ଆକ୍ରମଣ କରିଥିବା ଖବର ପାଇବା ମାତ୍ରେ ଗାଁ ଲୋକ ମଧ୍ୟ ସେଠାରେ ପହଞ୍ଚିଲେ। ଯେହେତୁ କୁମ୍ଭୀର ଆକ୍ରମଣରେ ଚାଷୀ ଜଣକ ଆହତ ହୋଇଥେଲ।
ତେଣୁ ଗାଁ ଲୋକ ଏବଂ ପୋଲିସ ସହାୟତାରେ ଚାଷୀ ଜଣଙ୍କୁ ଚିକିତ୍ସା ପାଇଁ ଆଗ୍ରାର ବାହା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ଡାକ୍ତର ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ରେଫର କରିଛନ୍ତି।
ସେପଟେ ଏହି ଖବର ଯିଏ ଶୁଣୁଛି ସିଏ ଛୋଟ ନାବାଳକ ପୁଅର ସାହାସକୁ ପ୍ରଶଂସା କରୁଛି। ଯାହା ପାଇଁ ଆଜି ତା ବାପାଙ୍କର ଜୀବନ ବଞ୍ଚାଯାଇଛି।