ବାପା ଦେଲାନି ହେଲଥ କାର୍ଡ, ନବଜାତ ଶିଶୁର ହେଲା ମୃତ୍ୟୁ

ଭୁବନେଶ୍ବର: ବାପାଙ୍କ ନିର୍ଦ୍ଦୟତା ଯୋଗୁଁ ଏକ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଭୁବନେଶ୍ବରର ଡୁମୁଡୁମା ଅଞ୍ଚଳର ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ବାମୀ ହେଲ୍‌ଥ କାର୍ଡ ନ ଦେବା ଯୋଗୁଁ ତାଙ୍କ ନବଜାତ ପୁତ୍ରର ଚିକିତ୍ସା ହୋଇପାରିନଥିଲା, ଫଳରେ ଶିଶୁଟିର ମୃତ୍ୟୁ ହୋଇଛି।

ଅଭିଯୋଗ ଅନୁଯାୟୀ, ଅର୍ଥାଭାବ ଯୋଗୁଁ ଶିଶୁଟିର ଚିକିତ୍ସା ସମ୍ଭବ ହୋଇନଥିଲା। ଏହି ଘଟଣାକୁ ନେଇ ମହିଳା ଜଣଙ୍କ ନିଜର ମୃତ ପୁତ୍ରକୁ କୋଳରେ ଧରି ଖଣ୍ଡଗିରି ଥାନାରେ ପହଞ୍ଚି ଅଭିଯୋଗ ଦାୟର କରିଛନ୍ତି। ସେ ନିର୍ଦ୍ଦୟ ବାପା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବାପା ଘଟଣା ପରେ ଫେରାର ହୋଇଯାଇଛନ୍ତି। ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏହି ହୃଦୟବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।