ଭୁବନେଶ୍ୱର: ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ, ସୁବର୍ଣ୍ଣରେଖା ଓ ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଉଛି, ଯାହା ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି କରିଛି। ଭଦ୍ରକର ଆଖୁଆପଦା ଠାରେ ବୈତରଣୀ ନଦୀର ଜଳସ୍ତର ୧୮.୩୩ ମିଟରରେ ବିପଦ ସଂକେତ ଛୁଇଁଥିବା ବେଳେ, କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁସି) ଅନୁମାନ କରିଛି ଯେ, ଆଜି ରାତି ୧୦ଟା ସୁଦ୍ଧା ଏହା ୧୮.୬୫ ମିଟରକୁ ବୃଦ୍ଧି ପାଇପାରେ। ଏହାଛଡ଼ା, ଆନନ୍ଦପୁର ଠାରେ ବୈତରଣୀର ଜଳସ୍ତର ୩୮.୮୨ ମିଟରରେ ପହଞ୍ଚିଛି, ଯାହା ବିପଦ ସଂକେତ ୩୮.୩୬ ମିଟରଠାରୁ ଅଧିକ।
ସୁବର୍ଣ୍ଣରେଖା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି। ଜାମଶୋଳା ଘାଟରେ ଜଳସ୍ତର ୪୭.୯୨ ମିଟର ଏବଂ ରାଜଘାଟରେ ୭.୨୬ ମିଟର ରହିଛି। କେନ୍ଦ୍ରୀୟ ଜଳ ଆୟୋଗର ଅନୁମାନ ଅନୁଯାୟୀ, ଆସନ୍ତାକାଲି (୨୭ ଜୁଲାଇ) ସକାଳ ୧୦ଟା ସୁଦ୍ଧା ସୁବର୍ଣ୍ଣରେଖାରେ ଜଳସ୍ତର ୧୧.୭ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ, ଯାହା ବିପଦ ସଂକେତ ୧୦.୩୬ ମିଟରଠାରୁ ଅଧିକ। ସେହିପରି, ଜଳକା ନଦୀର ମଥାନୀ ଠାରେ ଜଳସ୍ତର ୭.୨୦ ମିଟରରେ ସ୍ଥିର ରହିଥିଲେ ମଧ୍ୟ, ଏହା ବିପଦ ସଂକେତ ୬.୫୦ ମିଟରଠାରୁ ଉପରେ ଅଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାପାଳ ଜନସାଧାରଣଙ୍କୁ ବନ୍ୟା ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଚାନ୍ଦବାଲି ଓ ଧାମନଗର ଅଞ୍ଚଳ ବେଶୀ ପ୍ରଭାବିତ ହେବାର ଆଶଙ୍କା ରହିଥିବା ବେଳେ, ଭଣ୍ଡାରୀପୋଖରୀ ଆଂଶିକ ପ୍ରଭାବିତ ହୋଇପାରେ। ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା କାର୍ଯ୍ୟରତ ରହି ସ୍ଥିତି ଉପରେ ନଜର ରଖିଛି।
ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବା ଏବଂ ରିଲିଫ କାର୍ଯ୍ୟ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳସମ୍ପଦ ବିଭାଗର ଦୁଇ ଜଣ ସର୍ବୋଚ୍ଚ ଯନ୍ତ୍ରୀ ସୁବର୍ଣ୍ଣରେଖା ଓ ବୈତରଣୀ ବେସିନକୁ ଯାଇ ବନ୍ୟା ପରିଚାଳନା କରୁଛନ୍ତି। ମୁଖ୍ୟ ଯନ୍ତ୍ରୀ ଓ ବେସିନ ମ୍ୟାନେଜରମାନେ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖି ବନ୍ୟା ସ୍ଥିତି ଉପରେ ନଜର ରଖୁଛନ୍ତି। ଜନସାଧାରଣଙ୍କୁ ସଜାଗ ରହିବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି।