ରାୟଗଡ଼ା: ଗ୍ରାମବାସୀଙ୍କ ଦୁଃଖ ବୁଝିଲା ଉତ୍କଳ ଆଲୁମିନା। ଦୀର୍ଘ ଦିନ ଧରି ପାଣି ପାଇଁ ହନ୍ତସନ୍ତ ହେଉଥିବା ଗ୍ରାମବାସୀଙ୍କ ସୁବିଧା ଲାଗି ସ୍ୱଜଳ ପ୍ରକଳ୍ପ କରି ଜଳକଷ୍ଟ ଦୂରକଲା ଉତ୍କଳ ଆଲୁମିନା ସିଏସଆର।
ଏହାସହ ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ଜାରି ରଖିଛି।
ଯଦ୍ୱାରା କାରଖାନା ପ୍ରଭାବିତ ଏବଂ ସ୍ଥାନୀୟ ଗ୍ରାମାଞ୍ଚଳରେ ସକାରାତ୍ମକ ପରିବର୍ତ୍ତନ ହୋଇଛି। ଏହି ପରିପ୍ରେକ୍ଷୀରେ ଉତ୍କଳ ଆଲୁମିନା ସିଏସଆର ବିଭାଗ ତରଫରୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ କୋଡିପାରି ପଞ୍ଚାୟତ ଅନ୍ତର୍ଗତ ରାଉଲିଘାଟି ଗାଁରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି।
ଯାହାଯୋଗୁଁ ଗ୍ରାମବାସୀଙ୍କ ଜୀବନଶୈଳୀରେ ସକାରାତ୍ମକ ଉନ୍ନତି ଦେଖିବାକୁ ମିଳିଛି। ଦୀର୍ଘଦିନ ହେଲା ଉକ୍ତ ଗାଁରେ ରାସ୍ତା ନଥିବାରୁ ଗ୍ରାମବାସୀମାନଙ୍କର ବାହ୍ୟ ଜଗତରୁ ଯୋଗାଯୋଗ ବିଛିନ୍ନ ହୋଇଥିଲା।
ଗାଁକୁ ରାସ୍ତା ନଥିବାରୁ ଲୋକେ ଦୈନିକ ଯାତାୟାତ ପାଇଁ ପାହାଡ଼ ଜଙ୍ଗଲ ଦେଇ ପାଦଚଲା ରାସ୍ତାରେ ଯାତାୟାତ କରୁଥିଲେ। ଅନେକ ସମୟରେ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥିବାବେଳେ ଗାଁକୁ ରାସ୍ତା ସଂଯୋଗ ନଥିବାରୁ ଆମ୍ବୁଲାନ୍ସ ତଥା ଗ୍ରାମବାସୀ ଚିକିତ୍ସାଳୟକୁ ଯିବା ପାଇଁ ନାନା ଦୁର୍ଦଶା ଭୋଗୁଥିଲେ।
ପାଠପଢାରେ ବାଧା: କେବଳ ସେତିକି ନୁହେଁ, ଗାଁକୁ ରାସ୍ତା ନଥିବାରୁ ଗାଁର ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ମଧ୍ୟ ବାଧା ଉପୁଜିଥିଲା। କିନ୍ତୁ ଉତ୍କଳ ଆଲୁମିନା ଖଣି ସିଏସଆର ତରଫରୁ ଗ୍ରାମବାସୀଙ୍କ ସମସ୍ୟା ଦୂର କରିବା ପାଇଁ ମୁଖ୍ୟ ରାସ୍ତାରୁ ପାହାଡ଼ ପାଦଦେଶରେ ଅବସ୍ଥିତ ଏହି ଗ୍ରାମକୁ ୨.୫ କିମି ରାସ୍ତା ନିର୍ମାଣ କରାଯାଇଥିବାରୁ ଲୋକେ ବାହ୍ୟ ଜଗତ ସହ ସଂଯୋଗ ହୋଇଛନ୍ତି।
ସେହିପରି ରାଉଲିଘାଟି ଗ୍ରାମରୁ ପଡୋଶୀ ଗାଁ ବରଜାଖାଲକୁ ରାସ୍ତା ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବେଡ଼ି ପଡ଼ିଥିଲା। ତେବେ ଏହି ସମସ୍ୟା ସମାଧାନ ନିମନ୍ତେ ସିଏସଆର ପାଣ୍ଠିରୁ ଗାଁରେ ଛତ୍ରଛାତ୍ରୀଙ୍କ ପାଠପଢା ପାଇଁ ରାସ୍ତା ନିର୍ମାଣ କରାଯାଇଛି।
ଉକ୍ତ ୧.୭ କିମି ରାସ୍ତା ସିଧାସଳଖ ସ୍ଥାନୀୟ ବରଜାଖାଲ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସଂଯୋଗ କରିଥିବାବେଳେ ଗାଁର ୧୨ ଜଣ ଶିକ୍ଷାର୍ଥୀମାନେ ଦୈନିକ ସେହି ରାସ୍ତାରେ ସ୍କୁଲ୍କ ଯାତାୟାତ କରିପାରୁଛନ୍ତି।
ସ୍ଵଜଳ ପ୍ରକଳ୍ପ ଦ୍ୱାରା ଦୂର ହେଲା ଜଳକଷ୍ଟ: ଏହି ଅବସରରେ ପ୍ରତିକ୍ରିୟା ଦେଇ ହିଣ୍ଡାଲ୍କୋ ଖଣି ବ୍ୟବସାୟ ମୁଖ୍ୟ କୈଳାଶ ପାଣ୍ଡେ କହିଛନ୍ତି ଯେ, ଗ୍ରାମବାସୀ ଦୀର୍ଘଦିନ ହେଲା ପାନୀୟ ଜଳ ସମସ୍ୟାରେ ଘାଣ୍ଟି ହେଉଥିଲେ।
ବିଭିନ୍ନ ସମୟରେ ଝରଣା ପାଣିକୁ ବ୍ୟବହାର କରି ଜଳ ବାହକ ମାରାତ୍ମକ ସଂକ୍ରମଣ ରୋଗରେ ଆକ୍ରାନ୍ତ ହୋଇ ଚିକତ୍ସା ହୋଇଥିବାବେଳେ ଅନେକ ସମୟରେ ଗ୍ରାମବାସୀ ମୃତ୍ୟୁମୁଖରେ ପଡ଼ୁଥିଲେ।
ସମ୍ପ୍ରତି ସମସ୍ୟା ଦୂର କରିବା ନିମନ୍ତେ ଉତ୍କଳ ଆଲୁମିନା ସିଏସଆର ତରଫରୁ ଲୋକଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପଦକ୍ଷପ ସ୍ୱରୂପ ସେହି ଗାଁରେ ଝରଣା ପାଣି ବିଶୋଧାନ ପାଇଁ ଯାନ୍ତ୍ରିକ ଉପକରଣ ସ୍ଥାପନ କରାଯାଇଛି।
ଯାହାଫଳରେ ଲୋକଙ୍କ ଘର ନିକଟକୁ ସିଧାସଳଖ ପାଇପ ଯୋଗେ ଟ୍ୟାପ ଦ୍ୱାରା ପାନୀୟ ଜଳ ସଂଯୋଗ କରାଯାଇଛି ବୋଲି ଶ୍ରୀ ପାଣ୍ଡେ ପ୍ରକାଶ କରିଛନ୍ତି।
ସେହିପରି ସେ କହିଛନ୍ତି ଯେ, ବର୍ଷାଦିନେ ପାଣି ଜମିରହି ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇଥିବାବେଳେ ସମ୍ପ୍ରତି ସମସ୍ୟା ସମାଧାନ ସକାଶେ ଡ୍ରେନ ନିର୍ମାଣ କରାଯାଇଛି। ଯାହାଫଳରେ ବର୍ଷାଜଳ ନିଷ୍କାସିତ ହେବା ସହ ଗାଁରେ ସ୍ୱଚ୍ଛତା ବୃଦ୍ଧି ହୋଇଛି।
ତେବେ ଆଗାମୀ ଦିନରେ ଅନୁରୂପ ଭାବେ ଗାଁର ପରିପାର୍ଶ୍ଵିକ ଉନ୍ନତି ସକାଶେ ଉତ୍କଳ ଆଲୁମିନା ସକ୍ରିୟ ଭୂମିକା ନିର୍ବାହ ବୋଲି ଶ୍ରୀ ପାଣ୍ଡେ ମତବ୍ୟକ୍ତ କରିଛନ୍ତି।
ଏ ନେଇ ରାଉଲିଘାଟି ଗ୍ରାମ ମୁଖ୍ୟ ମାଳିଆ ମାଝୀ କହିଛନ୍ତି ଯେ, ଉତ୍କଳ ଆଲୁମିନା ସିଏସଆର ବିଭାଗ ଗ୍ରାମବାସୀଙ୍କ ଦୀର୍ଘଦିନର ଦୁଃଖ ଦୂର କରିଛନ୍ତି।
ରାସ୍ତା, କଲଭର୍ଟ ନିର୍ମାଣ ଓ ପାନୀୟ ଜଳ ସମସ୍ୟା ଦୂରୀକରଣ ସଂକ୍ରାନ୍ତରେ ପଦକ୍ଷେପ ନେଇଥିବାରୁ ଗ୍ରାମରେ ସକାରାତ୍ମକ ପରିବର୍ତନ ହୋଇଛି।