ଅମିତାଭ-ଐଶ୍ୱର୍ଯ୍ୟା ରାୟଙ୍କ ପରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ସ୍ୱାମୀ ଅଭିଷେକ ବଚ୍ଚନ
କ'ଣ ଚାଲିଛି ବଚ୍ଚନ ପରିବାର ଭିତରେ?
ନୂଆଦିଲ୍ଲୀ: କ’ଣ ଚାଲିଛି ଷ୍ଟାର ପରିବାରଙ୍କ ଘରେ? ପ୍ରଥମେ ସୁପରଷ୍ଟାର ଶ୍ୱଶୁର ପରେ ଅଭିନେତ୍ରୀ ବୋହୂ ଆଉ ଏବେ ଅଭିନେତା ପୁଅ ହାଇକୋର୍ଟର କବାଟ ବାଡେଇଛନ୍ତି। ଗୋଟିଏ ଦିନ ପୂର୍ବରୁ ସ୍ତ୍ରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଏବେ ସ୍ୱାମୀ ହାଇକୋର୍ଟରେ ପହଞ୍ଚିଛନ୍ତି।
ହଁ ଆଜ୍ଞା ଆପଣ ଠିକ୍ ଅନୁମାନ କରିଛନ୍ତି ଆମେ କହୁଛୁ ବଲିଉଡ୍ ର ଷ୍ଟାର ପରିବାର କଥା। କିଛିଦିନ ପୂର୍ବରୁ ଅଭିନେତା ଅମିତାଭ ବଚ୍ଚନ କୋର୍ଟରେ ପହଞ୍ଚିଥିଲେ। ଆଉ ନିକଟରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ଆଜି ଅଭିନେତା ଅଭିଷେକ ବଚ୍ଚନ ହାଇକୋର୍ଟରେ ପହଞ୍ଚିଛନ୍ତି।
ହାଇକୋର୍ଟରେ ଷ୍ଟାର ପରିବାର: ଯଦି ଦେଖିବା ଗୋଟିଏ ଦିନ ପୂର୍ବରୁ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନିଜର ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଫଟୋକୁ AI ଦ୍ୱାରା ଖରାପ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଉଥିବା ନେଇ ସେ ଅଭିଯୋଗ କରିଥିଲେ।
ଏହାପରେ ଆଜି ସ୍ୱାମୀ ତଥା ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।
ଅଭିଷେକ ବଚ୍ଚନ ବିଭିନ୍ନ ୟୁଟ୍ୟୁବ୍ ଚ୍ୟାନେଲ ଏବଂ ୱେବସାଇଟ୍ ଉପରେ ତାଙ୍କ ନାମ, ଫଟୋଗ୍ରାଫ୍, ସ୍ୱର ଏବଂ ପ୍ରଦର୍ଶନକୁ ତାଙ୍କ ଅନୁମତି ବିନା ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।
ପୂର୍ବରୁ ଅଭିଷେକ ବଚ୍ଚନଙ୍କ ପିତା ଅମିତାଭ ଏବଂ ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ବ୍ୟକ୍ତିତ୍ୱ ଅଧିକାର ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ଐଶ୍ୱର୍ଯ୍ୟା ରାୟଙ୍କ ଆବେଦନ: ଆପଣଙ୍କୁ କହି ରଖୁଛୁ ଯେ ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ଦିନ, ଐଶ୍ୱର୍ଯ୍ୟା ରାୟ ବ୍ୟକ୍ତିତ୍ୱ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ।
ଐଶ୍ୱର୍ଯ୍ୟାଙ୍କ ଆବେଦନରେ କୁହାଯାଇଛି ଯେ ତାଙ୍କ ସମ୍ମତି ବିନା ତାଙ୍କ ନାମ, ପ୍ରତିଛବି, ପ୍ରତିରୂପ, ବ୍ୟକ୍ତିତ୍ୱ ଏବଂ ସ୍ୱରର ଅପବ୍ୟବହାର କରୁଛନ୍ତି। ଯାହାକୁ ସେମାନେ ବାଣିଜ୍ୟିକ ଲାଭ ପାଇଁ ବ୍ୟବହାର କରୁଛନ୍ତି।
ଆବେଦନରେ ଦାବି କରାଯାଇଛି ଯେ ପ୍ରତିପକ୍ଷମାନେ ଐଶ୍ୱର୍ଯ୍ୟାଙ୍କ ମୁହଁକୁ ଅଶ୍ଳୀଳ ଭିଡିଓ ଏବଂ ଫଟୋରେ ଯୋଡିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା ଏବଂ ଡିପ୍ ଫେକ୍ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରୁଛନ୍ତି। ଯାହା ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଉଛି। କୋର୍ଟ ଅପରାହ୍ନରେ ପୁଣି ଥରେ ଏହି ମାମଲାର ଶୁଣାଣି କରିବେ।