ରୋହିତଙ୍କ ପରି ଦଳର ପ୍ଲେଇଁ ୧୧ର ନାଁ ଭୁଲିଗଲେ ସୂର୍ଯ୍ୟକୁମାର ଯାଦବ, ଦଳରୁ ବାଦ୍ ପଡ଼ିଲେ ଜସପ୍ରିତ ବୁମରାହ
ଭାରତୀୟ ଦଳର ପ୍ଲେଇଁ ୧୧ ରେ ଦୁଇ ବଡ଼ ପରିବର୍ତ୍ତନ।
ଓଡିଶାଭାସ୍କର: ୨୦୨୫ ଟି-୨୦ ଏସିଆ କପରେ ଭାରତ ଏବଂ ଓମାନ ମଧ୍ୟରେ ଲଢ଼େଇ ଚାଲିଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି ମ୍ୟାଚ୍ ପାଇଁ ଭାରତୀୟ ପ୍ଲେଇଂ ୧୧ରେ ଦୁଇଟି ପରିବର୍ତ୍ତନ ମଧ୍ୟ କରାଯାଇଛି। ଆଉ ଟସ୍ ସମୟରେ ଭାରତୀୟ ଅଧିନାୟକ ତାଙ୍କ ପ୍ଲେଇଂ ୧୧ ଭୁଲିଯିବାରୁ ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୋଇଛି। ଭାରତୀୟ ଦଳ ଏହାର ଦୁଇଟି ପ୍ରାରମ୍ଭିକ ମ୍ୟାଚ୍ ଜିତି ସୁପର ଫୋର୍ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି।
ପ୍ଲେଇଁ ୧୧ ଭୁଲିଗଲେ ଅଧିନାୟକ: ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ପକାଇବା ସମୟରେ କହିଛନ୍ତି, “ଆମେ ଏହି ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ପ୍ରଥମେ କେବେ ବ୍ୟାଟିଂ କରିନାହୁଁ”।
“ଆଉ ସୁପର୍ ୪କୁ ଯିବା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମେ ପ୍ରଥମ ଦୁଇଟି ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିଛୁ। ଓ୍ୱିକେଟ୍ ମଧ୍ୟ ଭଲ ରହୁଛି”।
ସୂର୍ଯ୍ୟ କହିଛନ୍ତି ଆମେ ପ୍ଲେଇଂ ଇଲେଭେନ୍ରେ ଦୁଇଟି ପରିବର୍ତ୍ତନ କରିଛୁ। ହର୍ଷିତ ରାଣାଙ୍କୁ ପ୍ଲେଇଂ ଇଲେଭେନ୍ରେ ସାମିଲ କରାଯାଇଛି। ଆଉ ଏହି ସମୟରେ ସେ ଦ୍ୱିତୀୟ ପରିବର୍ତ୍ତନକୁ ଭୁଲିଗଲେ।
ସେ ଏହାକୁ ମନେ ପକାଇବାକୁ ବହୁତ ଚେଷ୍ଟା କଲେ, କିନ୍ତୁ କରିପାରିଲେ ନାହିଁ। ତା’ପରେ ସେ କହିଲେ, “ମୁଁ ରୋହିତ ଶର୍ମାଙ୍କ ପରି ହୋଇଗଲି।” ଏବଂ ହସିବାକୁ ଲାଗିଲେ। ରୋହିତ ମଧ୍ୟ ଅଧିନାୟକ ଭାବରେ ଟସ୍ ସମୟରେ ଅନେକ ଥର ପ୍ଲେଇଂ ଇଲେଭେନ୍କୁ ଭୁଲି ଯାଇଛନ୍ତି।
ଜସପ୍ରିତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି: ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ଓମାନ ବିପକ୍ଷ ମ୍ୟାଚ୍ ପାଇଁ ହର୍ଷିତ ରାଣାଙ୍କୁ ଭାରତୀୟ ଦଳର ପ୍ଲେଇଂ ୧୧ରେ ସ୍ଥାନ ଦିଆଯାଇଛି।
ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି, ଏବଂ ତାଙ୍କ ସ୍ଥାନରେ ଅର୍ଶଦୀପ ସିଂହଙ୍କୁ ସାମିଲ କରାଯାଇଛି। ଚଳିତ ଏସିଆ କପରେ ଏହା ଅର୍ଶଦୀପଙ୍କର ପ୍ରଥମ ପ୍ରଦର୍ଶନ।
ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍: ପ୍ରଥମ ଥର ପାଇଁ ଭାରତ ଏବଂ ଓମାନ ଅନ୍ତର୍ଜାତୀୟ କ୍ରିକେଟରେ ପରସ୍ପରକୁ ମୁହାଁମୁହିଁ ହୋଇଛନ୍ତି। ପୂର୍ବରୁ ଦୁଇ ଦଳ କେବେ ଅନ୍ତର୍ଜାତୀୟ କ୍ରିକେଟରେ ପରସ୍ପରକୁ ମୁହାଁମୁହିଁ ହୋଇ ନଥିଲେ।