fbpx

ଓଡ଼ିଶା ଭାସ୍କର ପକ୍ଷରୁ ‘ମା’ ତୁଝେ ସଲାମ’ କାର୍ଯ୍ୟକ୍ରମ

ସହିଦଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର,୧୫ା୮(ଓଡ଼ିଶା ଭାସ୍କର) : ଆଜି ସାରା ଦେଶବ୍ୟାପୀ ପାଳନ ହେଉଛି ୭୪ତମ ସ୍ୱାଧୀନତା ଦିବସ । ଏନେଇ ସାରା ଦେଶ ତଥା ରାଜ୍ୟରେ ଉତ୍ସାହ ଦେଖାଦେଇଛି । କରୋନା ମହାମାରୀ ସତ୍ତେ୍ୱ ସାମାଜିକ ଦୂରତ୍ୱକୁ ବଜାୟ ରଖି ସାରା ଦେଶ ଆଜି ପାଳନ କରିଛି ସ୍ୱାଧୀନତା ଦିବସ । ତେବେ ଏହି ଅବସରରେ ଦୈନିକ ସମ୍ବାଦପତ୍ର ‘ଓଡ଼ିଶା ଭାସ୍କର’ ପକ୍ଷରୁ ଦେଶମାତୃକା ପାଇଁ ବଳିଦାନ ଦେଇଥିବା ଓଡ଼ିଆ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସହିଦଙ୍କ ପରିବାରବର୍ଗଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ମା’ ତୁଝେ ସଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କୋଭିଡ଼-୧୯ ଗାଇଡ଼ଲାଇନ ପାଳନ କରିବା ସହ ଏହି କାର୍ଯ୍ୟକ୍ରମକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପାଳନ କରାଯାଇଛି । ଏହି ଅବସରରେ ୩୦ଟି ଜିଲ୍ଲାର ଜିଲ୍ଲା ପ୍ରତିନିଧିମାନେ ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ଭାରତୀୟ ସେନାର ଲେଫ୍ଟନାଣ୍ଟ ଜେନେରାଲ ନାରାୟଣ ମହାନ୍ତି, ସମ୍ମାନିତ ଅତିଥି ଭାବେ ୱେବ ମାଧ୍ୟମରେ ଏନଡ଼ିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ, ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ ଡୋମିନିକ୍ ରିୟାନ ଯୋଗ ଦେଇଥିଲେ । ଏହି ଅବସରରେ ଦେଶ ପାଇଁ ସହିଦ ହୋଇଥିବା ମୟୁରଭଞ୍ଜର ଓଡ଼ିଆ ପୁଅ ନୁଦୁରାମ ସୋରେନ ଓ କନ୍ଧମାଳ ଜିଲ୍ଲାର ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ଓଡ଼ିଶା ଭାସ୍କର ପକ୍ଷରୂ ସମ୍ମାନିତ କରାଯାଇଥିଲା । ଏହାସହିତ ଆମ ସହିତ ଦୀର୍ଘ ଦିନ ଧରି କାର୍ଯ୍ୟକରିଆସୁଥିବା ତଥା ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ସତ୍ୟନାରାୟଣ ଦାଶ ଓ କାଳିଆପାଣି ପ୍ରତିନିଧି ମଧୁପରଂଜନ ନନ୍ଦଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଥିଲା ।ଓଡିଶା ଭାସ୍କର ପରିଚାଳନା ନିର୍ଦେଶକ ମଧୁ ମହାନ୍ତି ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଓଡିଶା ଭାସ୍କର ବ୍ୟୁରୋ ଚିଫ କୌସ୍ତୁଭ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ।

Get real time updates directly on you device, subscribe now.