ଦୁବାଇରେ ମୁମ୍ବାଇ ଚାମ୍ପିଅନ

ଦୁବାଇ : ଆଇପିଏଲ ୨୦୨୦ ତ୍ରୟୋଦଶ ସଂସ୍କରଣର ଫାଇନାଲ ମ୍ୟାଚରେ ଦିଲ୍ଲୀକୁ ୫ ୱିକେଟରେ ପରାସ୍ତ କରି ମୁମ୍ବାଇ ଚାମ୍ପିଅନ୍ ହୋଇଛି । ପଞ୍ଚମଥର ପାଇଁ ଆଇପିଏଲ ଟ୍ରଫି ହାତେଇଲା ମୁମ୍ବାଇ ଇଣ୍ଡିଆନ୍ସ ।ଏହାସହ ଆଇପିଏଲରେ ସର୍ବାଧିକ ୫ ଥର ଚାମ୍ପିଅନ ହେବାର ରେକର୍ଡ ସୃଷ୍ଟି କରିଛି ମୁମ୍ବାଇ । ଏହାପୂର୍ବରୁ ୨୦୧୩, ୨୦୧୫, ୨୦୧୭ ଏବଂ ୨୦୧୯ ମସିହାରେ ମୁମ୍ବାଇ ଆଇପିଏଲ ଚାମ୍ପିଅନ୍ ହୋଇଥିଲା। ଆଜି ଦୁବାଇରେ ଖେଳା ଯାଇଥିବା ଫାଇନାଲ୍ ମ୍ୟଚରେ ମୁମ୍ବାଇ ୧୫୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୮.୪ ଓଭରରେ ମାତ୍ର ୫ ୱିକେଟ ହରାଇ ଏହାକୁ ହାସଲ କରିଛି । ମୁମ୍ବାଇ ପକ୍ଷରୁ ପ୍ରଥମରୁ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ରୋହିତ ଶର୍ମା ମାତ୍ର ୫୧ଟି ବଲରେ ୬୮ ରନ୍ କରିଥିବା ବେଳେ ଡି-କକ୍ ୧୨ଟି ବଲରେ ୨୦ ରନ୍ କରିଥିଲେ । ଏହା ପରେ ସୂର‌୍ୟ୍ୟକୁମାର ଯାଦବ ୨୦ଟି ବଲରେ ୧୯ ରନ୍ କରି ରନ୍ ଆଉଟ ହୋଇଥିଲେ । ସେହିପରି ଇଶାନ୍ କିଶାନ୍ ଦମଦାର ୩୩ ରନ କରି ଦଳକୁ ବିଜୟୀ ଅଭିମୁଖେ ନେଇଯାଇଥିଲେ ।ସେହିପରି ପୋଲାର୍ଡ ୪ଟି ବଲ ଖେଳି ୯ ରନ ଓ ହାର୍ଦିକ ପାଣ୍ଡିଆ ୫ ଟି ବଲ ଖେଳି ୩ ରନ କରିବାରେ ସକ୍ଷମ ହେଇଥିଲେ । ଫଳରେ ମୁମ୍ବାଇ ଏହି ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା। ଏହି ବିଜୟ ସହ ମୁମ୍ବାଇ ପ୍ରଥମ ଦଳ ଭାବେ ପଞ୍ଚମ ଥର ପାଇଁ ଆଇପିଏଲ୍‌ରେ ଟ୍ରଫି ହାସଲ କରିଛି । ଅନ୍ୟପଟେ ଦିଲ୍ଳୀ ପକ୍ଷରୁ ଭଲ ବୋଲିଂର ପଦର୍ଶନ ଦେଖିବାକୁ ମିଳିନଥିଲା। ଅନ୍ରିଚ୍ ନର୍ଟେଜେ ୨ଟି ୱିକେଟ, ମାର୍କସ୍ ଷ୍ଟୋଇନିସ୍ ଓ କାଗିସୋ ରାବାଡା ୧-୧ ୱିକେଟ ହାସଲ କରିବାରେ ସକ୍ଷମ ହୋଇଥିଲେ । ଫଳରେ ଫାଇନାଲ ମ୍ୟାଚରେ ଦିଲ୍ଲୀ ୫ ୱିକେଟ‌ରେ ମୁମ୍ବାଇ ଠାରୁ ପରାସ୍ତ ହୋଇଥିଲା । ‌ ଦିଲ୍ଲୀ ଚଳିତ ବର୍ଷ ଆଇପିଏଲରେ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିଲା । କିନ୍ତୁ ଫାଇନାଲରେ ବିଜୟୀ ହେବାର ଆଶା ଦିଲ୍ଲୀର ଆଶାରେ ହିଁ ରହିଗଲା । କିନ୍ତୁ ଅପରପକ୍ଷରେ ମୁମ୍ବାଇ ଲଗାତାର ଦୁଇଥର ଚାମ୍ପିଆନ ହୋଇଛି । ୨୦୧୯ ରେ ଚେନ୍ନାଇକୁ ୧ ରନ୍‌ରେ ପରାସ୍ତ କରି ଚାମ୍ପିଅନ ହୋଇଥିବା ବେଳେ ଏହି ବର୍ଷ ଦିଲ୍ଲୀକୁ ୫ ୱିକେଟରେ ପରାସ୍ତ କରି ଚାମ୍ପିଅ ନ ହୋଇଛି ।

ପ୍ରଥମେ ଦିଲ୍ଲୀ ଟସ୍ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ନେଇଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୧୫୬ ରନ୍ କରିଥିଲା । କିନ୍ତୁ ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଓ ଋଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଆୟର ୫୦ ଟି ବଲ ଖେଳି ୬୫ ରନ୍ କରିଥିଲେ ।ଏଥିରେ ସେ ୬ଟି ଚୌକା ଓ ୨ଟି ଛକା ମାରିଥିଲେ। ସେହିପରି ଋଷଭ ପନ୍ତ ୩୮ଟି ବଲ ଖେଳି ୫୬ ରନ୍ ସଂଗ୍ରହ କରିଥିଲେ। ଏଥିରେ ୪ଟି ଚୌକା ଓ ୨ଟି ଛକା ସାମିଲ ଥିଲା। କିନ୍ତୁ ଶିଖର ଧଓ୍ଵନ ଏହି ମ୍ୟାଚରେ କୌଣସି ଚିତ୍ତାକର୍ଷକ ଖେଳ ପଦର୍ଶନ କରିବାରେ ବିଫଳ ହୋଇଥିଲେ । ସେ ୧୩ଟି ବଲ ଖେଳି ମାତ୍ର ୧୫ ରନ୍ କରିଥିଲେ।