କରୋନା ଭୟ: ଟିକା ପାଇଁ ପ୍ରଥମ ଦିନରେ ରେଜିଷ୍ଟ୍ରେସନ୍ କଲେ ୧.୩୩ କୋଟି

ନୂଆଦିଲ୍ଲୀ, ୨୮/୪(ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ କେନ୍ଦ୍ର ସରକାର ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ଆଉ ଏଥିରେ ୧୮ ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ବର୍ଗର ଲୋକ ଟିକା ନେବେ ବୋଲି ଘୋଷଣା କରାଯାଇଛି । ଏହି ଆଧାରରେ ୨୮ ତାରିଖ ଦିନ ଟିକା ନେବା ଲାଗି କୋ-ୱିନ୍ ଆପରେ ରେଜିଷ୍ଟ୍ରେସନ୍ କରିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଗତକାଲି ଅପରାହ୍ନ ୪ଟା ସମୟରେ ଏହି ପ୍ରକ୍ରିିୟା ଆରମ୍ଭ ହୋଇଥିଲା । କିନ୍ତୁ ପ୍ରଥମେ ତ ଲୋକେ ରେଜିଷ୍ଟ୍ରେସନ୍ କରିପାରୁନଥିଲେ । ହେଲେ ଗୋଟିଏ ଦିନରେ ୧.୩୩ କୋଟି ଲୋକ ଏଥିରେ ରେଜିଷ୍ଟ୍ରେସନ୍ କରିସାରିଲେଣି ।

ବର୍ତ୍ତମାନ ଏତେ ସଂଖ୍ୟାରେ ଲୋକଙ୍କ ରେଜିଷ୍ଟ୍ରେସନ୍ ପରେ ଏବେ ସରକାରଙ୍କ ଚିନ୍ତା ବଢ଼ିଯାଇଛି । କାରଣ ପ୍ରଥମରୁ ହିଁ ସରକାରଙ୍କୁ ତରଫରୁ କୁହାଯାଇଥିଲା ଯେ, ତାଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ନାହିଁ । ଲୋକସଂଖ୍ୟାକୁ ଦେଖି ଟିକା ଏତେ ପରିମାଣର ରହିଛି କି ନାହିଁ ତାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି । ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଥିଲା ଯେ ଟିକାକରଣ କେନ୍ଦ୍ରରୁ ଲୋକମାନଙ୍କୁ ଟିକା ଅଭାବରୁ ଫେରାଇ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ଏମସ୍ ର ଜଣେ ଡାକ୍ତର କହିଛନ୍ତି ଯେ, ଟିକା ଦେବା ସରକାରଙ୍କ ପାଖରେ ଏବେ କଷ୍ଟକର ସାବ୍ୟସ୍ତ ହୋଇପାରେ । ଏହା ଏକ ବଡ ଚ୍ୟାଲେଞ୍ଜ ଭାବେ ଠିଆ ହୋଇଛି । ଦେଶରେ ପାଖାପାଖି ୫୯ କୋଟି ଲୋକ ୧୮ ରୁ ୪୪ ବର୍ଷ ମଧ୍ୟରେ ରହିଛନ୍ତି । ତେଣୁ ଏଥିପାଇଁ ଅଧିକରୁ ଅଧିକ ଟିକା ଦେଶରେ ରହିଥିବା ଦରକାର ।

ସୁଚନାଯୋଗ୍ୟ, କରୋନାର ଭୟାବହତାକୁ ଦେଖି ଅନେକ ରାଜ୍ୟ ୧୮ ବର୍ଷରୁ ୪୪ ବର୍ଷର ଲୋକଙ୍କ ପାଇଁ ମାଗଣା ଟିକା ଦେବା ନେଇ ଘୋଷଣା କରିଛନ୍ତି । ଏହି ତାଲିକାରେ ରହିଛି ମହାରାଷ୍ଟ୍ର, ଓଡିଶା, ଦିଲ୍ଲୀ, କର୍ଣ୍ଣାଟକ, ହରିୟାଣା, ଝାଡଖଣ୍ଡ, ପଶ୍ଚିମବଙ୍ଗ ଇତ୍ୟାଦି । ସେହିପରି ଆଜି ମହାରାଷ୍ଟ୍ରରେ ଆଜି ସର୍ବାଧିକ ମାମଲା ଚିହ୍ନଟ ହୋଇଛନ୍ତି । ସେଠାରେ ଗତ ୨୪ ଘଣ୍ଟାରେ ୬୩ ହଜାର ୩୦୯ ନୁଆ ମାମଲା ଚିହ୍ନଟ ହୋଇଛି । ଏହାପରେ ରହିଛି କର୍ଣ୍ଣାଟକ ଏବଂ କେରଳ ।