ଅକ୍ସିଜେନ ସମସ୍ୟା ଦୂର ପାଇଁ ୧୨ ଜଣିଆ ଜାତୀୟ ଟାସ୍କଫୋର୍ସ ଗଠନ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ ୦୮ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୟଙ୍କର ରୂପରେ ମାଡିଚାଲିଛି । ରୋଗୀଙ୍କ ଲାଗି ଅକ୍ସିଜେନ ସମସ୍ୟା ଦେଖା ଯାଉଥିବାରୁ ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଠିକ୍‌ ଭାବେ ଅକ୍ସିଜେନ ଯୋଗାଇବାରେ ବିଫଳ ହେବାରୁ ସୁପ୍ରିମ କୋର୍ଟ ଆଜି ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଛନ୍ତି। ଏଥିରେ ୧୨ ସଦସ୍ୟ ରହିଛନ୍ତି। ରାଜ୍ୟଗୁଡ଼ିକୁ ଅକ୍ସିଜେନ ଆବଣ୍ଟନ ଦାୟିତ୍ଵ ଏହି ୧୨ ଜଣିଆ ଜାତୀୟ ଟାସ୍କଫୋର୍ସକୁ ଦିଆଯାଇଛି। ସୁପ୍ରିମକୋର୍ଟ କହିଛନ୍ତି, ଏହି ଟାସ୍କଫୋର୍ସ ଅକ୍ସିଜେନ ଆବଣ୍ଟନ ଲାଗି ଦରକାର ପଡ଼ୁଥିବା ମାନବ ସମ୍ବଳ କେନ୍ଦ୍ର ସରକାରଙ୍କଠାରୁ ନେବେ। ଏଥିଲାଗି ଟାସ୍କଫୋର୍ସକୁ ସମସ୍ତ ସ୍ୱାଧୀନତା ଦିଆଯାଇଛି। ମହାମାରୀ ସମୟରେ ଜାତୀୟ ସ୍ତରରେ ଜନସ୍ୱାସ୍ଥ୍ୟ ସେବାକୁ ଯେପରି ସହଜ କରିହେବ ତାହାକୁ ଦୃଷ୍ଟିରେ ରଖି ଏହି ଟାସ୍କଫୋର୍ସ ଗଠନ କରାଯାଇଥିବା ସୁପ୍ରିମ କୋର୍ଟ କହିଛନ୍ତି।

ସୂଚନା ଅନୁସାରେ , କରୋନା ସମୟରେ ବିଭିନ୍ନ ରାଜ୍ୟର ହସ୍ପିଟାଲରେ ଅକ୍ସିଜେନ ସମସ୍ୟା ଦେଖା ଯାଉଛି । ରାଜଧାନୀ ଦିଲ୍ଲୀ ସମେତ ଏକାଧିକ ରାଜ୍ୟରେ ଅକ୍ସିଜେନସଙ୍କଟ ଉତ୍ପନ୍ନ ହେଉଛି ।