fbpx

ଦେଶରେ ଖେଳାଯିବ ନାହିଁ ବାକି ଥିବା ଆଇପିଏଲ ମ୍ୟାଚ, ସ୍ପଷ୍ଟ କଲେ ସୌରଭ ଗାଙ୍ଗୁଲି

ନୂଆ ଦିଲ୍ଲୀ, ୧୦/୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୪ ତମ ସଂସ୍କରଣର ଅବଶିଷ୍ଟ ୩୧ ଟି ମ୍ୟାଚ୍ କେବେ ଏବଂ କେଉଁଠାରେ ହେବ ସେନେଇ ଦ୍ୱନ୍ଦ ଲାଗିରହିଛି । ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍ ପରିଚାଳନା କରିବାକୁ ବିସିସିଆଇ ପାଖରେ ଅନେକ ବିକଳ୍ପ ରହିଛି ତେବେ ଏହାରି ମଧ୍ୟରେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲ୍ -୧୪ ର ଅବଶିଷ୍ଟ ମ୍ୟାଚ୍ ଭାରତରେ ହେବ ନାହିଁ।
ସୌରଭ ଗାଙ୍ଗୁଲି କହିଛନ୍ତି ଟି-୨୦ ଲିଗର ଅବଶିଷ୍ଟ ମ୍ୟାଚ୍ ଦେଶରେ ହେବ ନାହିଁ । ତେବେ ଏହା କେବେ ଅନୁଷ୍ଠିତ ହେବ ଏତେ ଶୀଘ୍ର ତାହା କହିବା ସମ୍ଭବ ନୁହେଁ । ସୂଚନାଯୋଗ୍ୟ ଯେ କରୋନା କାରଣରୁ ଏବର୍ଷର ଆଇପିଏଲକୁ ଅଧାରୁ ସ୍ଥଗିତ ରଖାଯାଇଛି । ଏହି ସଂସ୍କରଣର ୬୦ ମଧ୍ୟରୁ ୨୯ ଟି ମ୍ୟାଚ୍ ହୋଇଛି । ଯଦି ଲିଗ୍ ର ଅବଶିଷ୍ଟ ମ୍ୟାଚ୍ ହେବନାହିଁ, ତେବେ ବୋର୍ଡ ପ୍ରାୟ ୨୫୦୦ କୋଟିର କ୍ଷତି ସହିବ ।
ସୌରଭ ଗାଙ୍ଗୁଲି କହିଛନ୍ତି ଯେ ୧୪ ଦିନିଆ କ୍ୟାରେଣ୍ଟିନ ଯୋଗୁଁ ଖେଳାଳିଙ୍କ ସମସ୍ୟା ରହିଛି । ଏହାକୁ ପରିଚାଳନା କରିବା ସହଜ ନୁହେଁ । ତେବେ କେବେ ମ୍ୟାଚ ଅନୁଷ୍ଠିତ ହେବ ତାହା କହିବା କଷ୍ଟସାଧ୍ୟ । ତଥାପି ଇଂଲଣ୍ଡ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଏବଂ ୟୁଏଇ ଟି -୨୦ ଲିଗ୍ ଆୟୋଜନ ପାଇଁ ଦୌଡରେ ଅଛନ୍ତି ।
ଗାଙ୍ଗୁଲି କହିଛନ୍ତି ଯେ “ଗତ ଏକ ବର୍ଷ ଧରି ଆମେ କରୋନାକୁ ନେଇ ଚିନ୍ତାରେ ଅଛୁ । ସମସ୍ତେ ଏଥିରେ ସଂଘର୍ଷ କରୁଛନ୍ତି। କ୍ରିକେଟରମାନେ ଏହାଠାରୁ ଭିନ୍ନ ନୁହଁନ୍ତି । ଗତ ସିଜିନରେ ଦୁବାଇରେ ଆଇପିଏଲ୍ ଆୟୋଜନ କରିବା ଏକ ଆହ୍ୱାନ ଥିଲା ବୋଲି ବିସିସିଆଇ ମୁଖ୍ୟ କହିଛନ୍ତି। କରୋନାର ଦ୍ୱିତୀୟ ଲହର ଯୋଗୁଁ ସବୁକିଛି ଖରାପ ହୋଇଯାଇଛି । କ୍ରିକେଟ୍ ଆୟୋଜନ କରିବା କେତେ କଷ୍ଟକର ତାହା ଆପଣ ବୁଝିପାରୁଥିବେ ।”
ସେ ଆହୁରି କହିଛନ୍ତି ଯେ “ଆମେ ଏକ ବାୟୋ-ବବଲ୍ ତିଆରି କରିଥିଲୁ ଏବଂ ନିୟମ ମଧ୍ୟ ପାଳନ କରାଯାଇଥିଲା । ଦେଶରେ ଡିସେମ୍ବର-ଫେବୃଆରୀରେ କରୋନା ମାମଲା କମ୍ ଥିଲା। ଏହି କାରଣରୁ ଆମେ ମହିଳା କ୍ରିକେଟ୍, ସୟଦ ମୁଶତାକ୍ ଅଲି, ବିଜୟ ହାଜାରେ ଟ୍ରଫି ଆୟୋଜନ କରିବାରେ ସଫଳ ହୋଇଥିଲୁ। ଭାରତୀୟ କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ଗାଙ୍ଗୁଲି କହିଛନ୍ତି ଯେ ଆମେ ମଧ୍ୟ ଜୁନିୟର କ୍ରିକେଟ୍ ପାଇଁ ମଧ୍ୟ ଯୋଜନା କରିଥିଲୁ, କିନ୍ତୁ କରୋନାର ଦ୍ୱିତୀୟ ଲହର ଯୋଗୁଁ ଆମ ପାଖରେ ସୁଯୋଗ ନଥିଲା । ଏହି କାରଣରୁ, ଏହାକୁ ବାତିଲ କରାଯାଇଥିଲା ।”

Get real time updates directly on you device, subscribe now.