ଶସ୍ତା ସୁନା କିଣିବାର ଆଜି ଶେଷ ଦିନ! ବଜାର ମୂଲ୍ୟଠାରୁ କମ୍ ଦାମରେ ବିକୁଛନ୍ତି ସରକାର

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ପୁଣି ଥରେ ମହଙ୍ଗା ହୋଇଛି ସୁନା । ୨୪ କ୍ୟାରେଟ ସୁନା ମୂଲ୍ୟ ୧ ଗ୍ରାମ ପ୍ରତି ୪୮,୫୨୦ ଟଙ୍କା ହୋଇଛି । ଏଭଳି ପରିସ୍ଥିତି ଯଦି ଆପଣ ଶସ୍ତା ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାର ମୂଲ୍ୟ ଅପେକ୍ଷା ଶସ୍ତା ସୁନା କିଣିବାର ସୁଯୋଗ ଆଣିଛନ୍ତି ସରକାର । ଆଜି ଏହି ସରକାରୀ ଅଫରର ଶେଷ ଦିନ । ତେବେ ଆସନ୍ତୁ ଜାଣିବା କିପରି କିଣିବେ ଶସ୍ତା ସୁନା…

ମେ’ ୧୭ରୁ ଶସ୍ତା ସୁନା କିଣିବାର ସୁଯୋଗ ଦେଉଛନ୍ତି କେନ୍ଦ୍ର ସରକାର । ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାର୍ବଭୌମ ଗୋଲ୍ଡ ବଣ୍ଡ ୨୦୨୧-୨୨ର ପ୍ରଥମ ବିକ୍ରିକୁ ନେଇ ଇସ୍ୟୁ ମୂଲ୍ୟ ପ୍ରକାଶ କରିଛନ୍ତି । ଏହି କ୍ରମରେ ବଣ୍ଡର ବିକ୍ରି ୧୭ରୁ ୨୧ ମେ ପର୍ଯ୍ୟନ୍ତ ରହିଥିବା ବେଳେ ଓ ସେଣ୍ଟଲମେଣ୍ଟ ମେ’ ୨୫କୁ ହେବ । ତେବେ ଆସନ୍ତୁ ଜାଣିବା ସରକାରଙ୍କ କ’ଣ ରହିଛି ଯୋଜନା…

ଅର୍ଥ ମନ୍ତ୍ରଣାଳୟ ନିଜର ବିଜ୍ଞପ୍ତିରେ କହିଛି ଯେ, ସାର୍ବଭୌମ ଗୋଲ୍ଡ ବଣ୍ଡ ମେ’ରୁ ନେଇ ସେପ୍ଟେମ୍ବର ମଧ୍ୟରେ ୬ କିସ୍ତିରେ ଦିଆଯିବ । ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ କିସ୍ତି ଅନୁସାରେ ୧୭ରୁ ୨୧ ମେ’ ମଧ୍ୟରେ ସୁନା କିଣାଯିବ ଓ ମେ’ ୨୫ରେ ବଣ୍ଡ ଜାରି ହେବ । ରିଜର୍ଭ ବ୍ୟାଙ୍କ ଏଥିପାଇଁ ପ୍ରତି ଗ୍ରାମ ପିଛା ୪,୭୭୭ ଟଙ୍କା ଧାର୍ଯ୍ୟ କରିଛି । ଯେଉଁମାନେ ଅନଲାଇନ ପାଇଁ ଆବେଦନ କରନ୍ତି ବା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଟଙ୍କା ଦିଅନ୍ତି, ସେମାନଙ୍କୁ ୫୦ ଟଙ୍କ। ଡିସକାଉଣ୍ଟ ମିଳିବ ।

ମନ୍ତ୍ରଣାଳୟ ଅନୁଯାୟୀ, ଏହି ବଣ୍ଡଗୁଡିକ ସମସ୍ତ ବ୍ୟାଙ୍କ, ଷ୍ଟକ ହୋଲ୍ଡିଂ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ ବା ଏସଏଚସିଆରଏଲ, ଡାକଘର ବା ମାନ୍ୟତାପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ଏନଏସଇ ଓ ବିଏସଇ ମାଧ୍ୟମାରେ ବିକ୍ରି ହେବ । ଏହା ସହ ବଣ୍ଡର ଅବଧି ୮ ବର୍ଷ ରହିବ । ଆବେଦନ ଅତି କମରେ ୧ ଗ୍ରାମ ଓ ତାର ମଲଟିପଲରେ ଜାରି ହେବ । ବଣ୍ଡର ପ୍ରାଇସ୍ ଇଣ୍ଡିଆନ୍ ବୁଲିୟନ ଏବଂ ଜୁଏଲର୍ସ ଆସୋସିଏସନ୍ ନେଇଛି । ଆଇବିଜେଏ ଦ୍ୱାରା ୯୯୯ ଶୁଦ୍ଧତା ସୁନାକୁ କ୍ଲୋଜିଙ୍ଗ ମୂଲ୍ୟ ଆଧାରରେ ସ୍ଥିର କରାଯାଇଛି । ତେବେ ୨୦୧୫ ନଭେମ୍ବରରୁ ସରକାର ଏହି ସାର୍ବଭୌମ ଗୋଲ୍ଡ ବଣ୍ଡ ଯୋଜନା ଆରମ୍ଭ କରିଥିଲେ ।