fbpx

ବାତ୍ୟା ୟଶ୍: ଏହି ୪ଟି ଜିଲ୍ଲା ହେବ ଅଧିକ ପ୍ରଭାବିତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଏହା ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେଲା ପରେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗ ଦେଇ ଗତି କରିବ ଏବଂ ଆହୁରି ଘନୀଭୂତ ହୋଇ ଆସନ୍ତାକାଲି ବାତ୍ୟାରେ ପରିଣତ ହେବ । ଏହାପରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅତିଭୀଷଣ ବାତ୍ୟାର ରୂପ ନେଇ ୨୬ ତାରିଖ ଦିନ ସଂଧ୍ୟା ସୁଦ୍ଧା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଇଏମଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅବପାତରେ ପରିଣତ ହେବା ପରେ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ଜଣାପଡିବ । ଅତି ଭୀଷଣ ବାତ୍ୟା ‘ୟଶ୍’ ଉତ୍ତର ଓଡ଼ିଶା-ପଶ୍ଚମବଙ୍ଗ ଓ ବାଂଲାଦେଶ ମଧ୍ୟରେ କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ଘଣ୍ଟାପ୍ରତି ୧୨୦ରୁ ୧୬୫ କିଲୋମିଟର ବେଗରେ ପବନ ହେବ । ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୧୮୫ କିଲୋମିଟର ମଧ୍ୟ ହୋଇପାରେ । ବାତ୍ୟାରେ ଓଡ଼ିଶାର ୪ଟି ଜିଲ୍ଲା ଅତ୍ୟଧିକ ପ୍ରଭାବିତ ହୋଇପାରେ ବୋଲି ଆକଳନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଯାହା ଆକଳନ କରାଯାଇଛି ୨୬ ତାରିଖ ସୁଦ୍ଧା ଏହା ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ପାଖାପାଖି ପହଞ୍ଚିବ । ତେଣୁ ମୁଖ୍ୟତଃ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ଏହା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାଶ ।

ସେ କହିଛନ୍ତି ଯେ, ବାତ୍ୟାରେ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ୪ ଜିଲ୍ଲା ହେଉଛନ୍ତି ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା । ଏସବୁ ଜିଲ୍ଲାରେ କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହୋଇପାରେ । ଏଥିସହିତ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଗୁଡିକ ହେଲା; ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀ ।

Get real time updates directly on you device, subscribe now.