ନୂଆଦିଲ୍ଲୀ: ଭାରତୀୟ ସେନାବାହିନୀକୁ ମିଳିଛି ପୁଣି ଏକ ସଫଳତା । ଏକ ବଡ଼ଧରଣର ଆତଙ୍କୀ ହମଲାକୁ ପଣ୍ଡ କରିଛି ସୁରକ୍ଷାବାହିନୀ । ସୂଚନାନୁସାରେ ଦକ୍ଷିଣ କାଶ୍ମୀରର ପଞ୍ଚଗାମ ଗାଁରେ ଆତଙ୍କବାଦୀଙ୍କ ଦ୍ୱାରା ଆଇଇଡି ଖଞ୍ଜାଯାଇଥିଲା । ହେଲେ ପୂର୍ବରୁ ଏନେଇ ସୁରକ୍ଷାବାହିନୀକୁ ଖବର ମିଳିଯାଇଥିଲା । ଫଳରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ନେଇପାରିଥିଲା ସେନାବାହିନୀ ।
ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଦେଇଥିଲେ ସେନାବାହିନୀ । ରେଲୱେ ରୋଡ୍ ଏବଂ ଏହାର ଆଖଆଖ ଅଞ୍ଚଳକୁ ସେନା ପକ୍ଷରୁ ଖାନତଲାସୀ କରାଯାଇଥିଲା । ପରେ ସେଠାରେ ଥିବା ଏକ ୧୦ ଲିଟର କ୍ଷମତା ବିଶିଷ୍ଟ କଣ୍ଟେନର୍ରେ ଆଇଇଡି ଖଞ୍ଜାଯାଇବା ଜାଣିବାକୁ ପାଇଥିଲା ସେନା । ଆତଙ୍କୀ ଦ୍ୱାରା ଲଗାଯାଇଥିବା ଏହି ବିସ୍ଫୋରଣ ସାମଗ୍ରୀକୁ ଠାବ କରିବା ସହ ବୋମା ନିଷ୍କ୍ରିୟକାରୀ ଦଳ ସାହାଯ୍ୟରେ ଏହାକୁ ନିଷ୍କ୍ରିୟ କରିଦେଇଥିଲେ ସେନାବାହିନୀ । କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା ।
ଏହି ଅଭିଯାନରେ ଅବନ୍ତିପୋରା ପୋଲିସ, ସେନାର ୫୫ ଆରଆର ଏବଂ ୧୮୫ ବିଏନ ସିଆରପିଏଫ୍ ଟିମ ପ୍ରମୁଖ ସାମିଲ ଥିଲେ । ଆତଙ୍କୀ ଷଡଯନ୍ତ୍ର ପଣ୍ଡ କରିଥିବାରୁ ଜମ୍ମୁ ଏବଂ କାଶ୍ମୀର ପୋଲିସର ଆଇପିଜି ପୋଲିସ ଏବଂ ସୁରକ୍ଷାବଳକୁ ପ୍ରଶଂସା କରିବା ସହ ଆଖପାଖ ଅଞ୍ଚଳରେ ସନ୍ଧିଗ୍ଧଙ୍କ ଖାନତଲାସୀ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଫେବ୍ରୁଆରି ୧୬ରେ ଆତଙ୍କବାଦୀମାନେ ପଜଲପୋରା ଅଞ୍ଚଳରେ ଆଇଇଡି ବିସ୍ଫୋରଣ କରିଥିଲେ ।