fbpx

ସାର କେଳେଙ୍କାରୀରେ ଫସିଲେ ଆରଜେଡି ଏମପି, ଗିରଫ କଲା ଇଡି

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ବନ୍ଧାହେଲେ ରାଜ୍ୟସଭା ସାଂସଦ ଅମରେନ୍ଦ୍ର ଧାରୀ ସିଂହ । ସାର ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଛି। ଆରଜେଡିର ଏମପି ଏଡି ସିଂହଙ୍କୁ ଇଡି ପକ୍ଷରୁ ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଛି । ଡିଫେନ୍ସ କଲୋନୀସ୍ଥିତ ତାଙ୍କ ବାସଭବନରେ ଦୀର୍ଘ ସମୟ ଧରି ଚଢ଼ଉ ଓ ଯାଞ୍ଚ କରାଯିବା ପରେ ଇଡି ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନା ଅନୁସାରେ ଗତବର୍ଷ ମାର୍ଚ୍ଚ ମାସରେ ଆରଜେଡି ପକ୍ଷରୁ ଏଡି ସିଂହଙ୍କୁ ରାଜ୍ୟସଭା ପଠାଯାଇଥିଲା । ସେହି ସମୟରେ ମଧ୍ୟ ଆରଜେଡିର ଅନେକ ନେତା ତାଙ୍କ ବିରୋଧରେ ସ୍ୱର ଉଠାଇଥିଲେ ଏବଂ ରାଜ୍ୟସଭା ଭଳି ଉଚ୍ଚତମ ଗୃହକୁ ପଠାଇବା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ମତ ଦେଇଥିଲେ । ଖାଲି ସେତିକି ନୁହେଁ, ଏଡି ସିଂହଙ୍କୁ ରାଜ୍ୟସଭା ପଠାଇବା ନେଇ ସମସ୍ୟା ରହିଥିବା ରାଜନୀତିକ ବିଶାରଦମାନେ ମଧ୍ୟ ସୂଚାଇ ଦେଇଥିଲେ । ତଥାପି ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜେଡି ଏହାକୁ ଅଣଦେଖା କରିଥିଲା ।

ଆରଜେଡି ସୂତ୍ରରୁ ଜଣାପଡ଼ିଛି ଯେ ଏଡି ସିଂହଙ୍କୁ ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ବ୍ୟକ୍ତି ଏବଂ ତାଙ୍କ ନିର୍ଦ୍ଦେଶରେ ହିଁ ରାଜ୍ୟସଭାକୁ ପଠାଯାଇଥିଲା । ଏପରିକି ଏଡି ସିଂହଙ୍କୁ ସାଂସଦ ପଦ ଦେବାନେଇ ଅଭିଯୋଗ ପରେ ତେଜସ୍ୱୀ ଯାଦବ କହିଥିଲେ ଯେ କେବଳ ମୁସଲିମ୍ ଓ ଯାଦବଙ୍କ ଦଳ ଆରଜେଡି ନୁହେଁ । ସବୁ ବର୍ଗର ଓ ଧର୍ମର ବ୍ୟକ୍ତିଙ୍କୁ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଥାଏ ଆରଜେଡି । ସୂଚନାଯୋଗ୍ୟ ଯେ ପାଟନାର ବାସିନ୍ଦା ଏଡି ସିଂହ ବିହାରର ବଡ଼ ବ୍ୟବସାୟୀଙ୍କ ମଧ୍ୟରେ ଅନ୍ୟତମ । ଦିଲ୍ଲୀ ୟୁନିର୍ଭସିଟିରୁ ଗ୍ରାଜୁଏଟ କରିଥିବା ଏଡି ସିଂହଙ୍କ ଫର୍ଟିଲାଇଜର୍ ଓ କେମିକାଲ ବ୍ୟବସାୟ ରହିଛି । ଏହାବାଦ୍ ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ମଧ୍ୟ ତାଙ୍କର କାରବାର ରହିଆସିଛି । ଏ ସମସ୍ତ ବ୍ୟବସାୟ ଦିଲ୍ଲୀରୁ ହିଁ ସେ ସଞ୍ଚାଳନ କରିଆସୁଥିଲେ ।

Get real time updates directly on you device, subscribe now.