ଘଟିବ ନେତନ୍ୟାହୁ ଯୁଗର ଅବସାନ, କ୍ଷମତାର ନିକଟତର ନେଫଟାଲି ବେନେଟ୍‌, ବଢିବ ମୁସଲିମ୍ ଦେଶର ମୁସ୍କିଲ

ନୂଆଦିଲ୍ଲୀ : ପାଲେଷ୍ଟାଇନ ସହ ସଂଘର୍ଷ ଥମିବାର କେଇ ଦିନ ନଯାଉଣୁ ଇସ୍ରାଏଲରେ ରାଜନୀତି ଚଳଚଂଚଳ ହୋଇ ଉଠିଛି । ଇସ୍ରାଏଲରେ ଦୀର୍ଘ ୧୨ ବର୍ଷ ଧରି ଜାରି ବେଞ୍ଜାମିନ ନେତନ୍ୟାହୁଙ୍କ ଯୁଗର ଅବସାନ ଘଟିବାକୁ ଯାଉଛି । ବୁଧବାର ରାତି ସୁଦ୍ଧା ନେତନ୍ୟାହୁଙ୍କୁ ସଂସଦରେ ବହୁମତ ସାବ୍ୟସ୍ତ କରିବାର ଥିଲା। ହେଲେ ଏହାର ୩୫ ମିନିଟ୍ ପୂର୍ବରୁ ୟେଶ୍ ଏଟିଡ୍ ପାର୍ଟିର ନେତା ୟେର ଲେପିଡ୍ ନୂତନ ସରକାର ଗଠନ କରିବାକୁ ପ୍ରସ୍ତୁତ ବୋଲି ଘୋଷଣା କରିଛନ୍ତି । ସେ ରାଷ୍ଟ୍ରପତି ରୁଭେନ ରିଭଲିନଙ୍କୁ ମଧ୍ୟ ଔପଚାରିକ ଭାବେ ଏହାର ସୂଚନା ଦେଇଛନ୍ତି । ନେତନ୍ୟାହୁଙ୍କ ପରେ ନେଫଟାଲି ବେନେଟ ଦେଶର ପରବର୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି । ଏଥିସହ ଇସ୍ରାଏଲରେ ସର୍ବାଧିକ ସମୟ କ୍ଷମତାରେ ରହିଥିବା ନେତନ୍ୟାହୁଙ୍କୁ ଗାଦି ଛାଡିବାକୁ ପଡିବ ।

ନୂତନ ସରକାରଙ୍କ ସର୍ତ ଅନୁସାରେ, ବେନେଟ୍ ୨୦୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିବେ । ଏହା ପରେ ଲେପିଡ ପ୍ରଧାନମନ୍ତ୍ରୀ କାର୍ଯ୍ୟଭାର ସମ୍ଭାଳିବେ । ତାଙ୍କର କାର୍ଯ୍ୟକାଳ ୨୦୨୫ ନଭେମ୍ବର ପର୍ଯ୍ୟନ୍ତ ରହିବ । ପ୍ରଥମ ଥର ଇସ୍ରାଏଲରେ ଇସଲାମିକ ପାର୍ଟି ମେଂଟ ସରକାରରେ ଭାଗିଦାରୀ ହେବାକୁ ଯାଉଛି । ନେଫଟାଲି ବେନେଟ୍ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହା ଇସ୍ରାଏଲ ରାଜନୀତିରେ ବଡ ଘଟଣା ହେବ ।

ଇସ୍ରାଏଲର ୧୨୦ ସଦସ୍ୟ ବିଶିଷ୍ଟ ସଂସଦରେ ବେନେଟଙ୍କ ମାତ୍ର ସାତ ସାଂସଦ ଅଛନ୍ତି । ସଂସଦରେ ସବୁଠୁ ବଡ ପାର୍ଟି ହେଉଛି ନେତନ୍ୟାହୁଙ୍କ ଲିକୁଡ ପାର୍ଟି । ତାଙ୍କ ପାର୍ଟିର ୩୦ ସାଂସଦ ଅଛନ୍ତି । ଦ୍ୱିତୀୟରେ ରହିଛି ୟେର ଲେପିଡଙ୍କ ୟେଶ୍ ଏଡିଟ୍ ପାର୍ଟି । ୟେଶ ଏଡିଟର ୧୭ ସାଂସଦ ଅଛନ୍ତି । ସରକାର ଗଠନ ପାଇଁ ୬୧ ସାଂସଦଙ୍କ ସମର୍ଥନ ଦରକାର । ମାତ୍ର କୌଣସି ପାର୍ଟି ପାଖରେ ସଂଖ୍ୟା ବଳ ନାହିଁ। ଗତ ବର୍ଷ ସ୍ପଷ୍ଟ ବହୁମତ ପାଇଁ ତିନି ଥର ନିର୍ବାଚନ ହୋଇ ସାରିଛି । ଅନ୍ୟପଟେ ବେନେଟଙ୍କ ସମର୍ଥନରେ ହିଁ ନେତନ୍ୟାହୁଙ୍କ ସରକାର ଚାଲିଥିଲା । ବେନେଟ୍ ଏବେ କିଙ୍ଗମେକର ଭୂମିକାରେ ରହିଛନ୍ତି ଏବଂ ବର୍ତମାନ ସେ ପ୍ରଧାନମନ୍ତ୍ରୀ ପଦର ନିକଟତର ହୋଇଛନ୍ତି ।

କିଏ ଏହି ବେନେଟ୍‌

ନେଫଟାଲି ବେନେଟ୍ ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ପାଲେଷ୍ଟାଇନ୍ ସହ ତିକ୍ତତା ଆହୁରି ବଢିପାରେ । ବେନେଟ୍ ୱେଷ୍ଟ ବ୍ୟାଙ୍କ ଓ ଜେରୁସେଲମକୁ ଇସ୍ରାଏଲରେ ମିଶ୍ରଣ କରାଯିବା ସପକ୍ଷରେ ରହି ଆସିଛନ୍ତି । କିନ୍ତୁ ଦୁଇ ଇଲାକା ୧୯୬୭ରେ ମଧ୍ୟ ପୂର୍ବ ଯୁଦ୍ଧ ପରଠୁ ଇସ୍ରାଏଲ ଅଧିନରେ ରହିଛି । ମାତ୍ର ଏହାକୁ ଅନ୍ତରାଷ୍ଟ୍ରୀୟ ସମୁଦାୟ ଇସ୍ରାଏଲର ଅବୈଧ କବଜାର ଆଖ୍ୟା ଦେଇଛନ୍ତି ।
ବେନେଟ୍ ନେତନ୍ୟାହୁଙ୍କଠୁ ଅଧିକ ୟେହୁଦି ରାଷ୍ଟ୍ରବାଦର ସମର୍ଥକ । ତାଙ୍କ ମତରେ ଇସ୍ରାଏଲ ଏକ ୟେହୁଦି ରାଷ୍ଟ୍ର । ଏହାର ଅର୍ଥ ଇସ୍ରାଏଲ ଆରବ ଦେଶର ଲୋକଙ୍କୁ ଦ୍ୱିତୀୟ ନାଗରିକ ଦୃଷ୍ଟିରେ ଦେଖେ ।

ବେନେଟ୍ ପୂର୍ବ ଜେରୁସେଲମ ଓ ୱେଷ୍ଟ ବ୍ୟାଙ୍କରେ ୟେହୁଦି ବସ୍ତି ବସାଇବାର ଦାବିକୁ ସମର୍ଥନ କରନ୍ତି । ଏଥିସହ ପାଲେଷ୍ଟାଇନର ଦୃଢ ସମର୍ଥକଙ୍କୁ ଜେଲ୍ ନୁହେଁ ବରଂ ମୃତ୍ୟୁର ସଜା ଦେବାକୁ ଚାହାନ୍ତି । ୪୯ ବର୍ଷୀୟ ବେନେଟ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ବିଶ୍ୱାସପାତ୍ର ଥିଲେ। ହେଲେ ନିଜର ରାଜନୈତିକ ମହତ୍ୱାକାଂକ୍ଷା କାରଣରୁ ୨୦୦୯ରେ ତାଙ୍କଠୁ ଅଲଗା ହୋଇ ଯାଇଥିଲେ । ବେନେଟ୍ ୨୦୦୬ ଓ ୨୦୦୮ ପର୍ଯ୍ୟନ୍ତ ଇସ୍ରାଏଲର ଚିଫ ଅଫ ଷ୍ଟାଫ ରହିଥିଲେ । ସେନାରେ ନିଜ ସେବା ଦେବା ପରେ ନିଜକୁ ଜଣେ ସଫଳ ଉଦ୍ୟୋଗପତି ଭାବେ ଗଢି ତୋଳି ଥିଲେ ।

ନେଫଟାଲି ବେନେଟଙ୍କ ହାତକୁ ଇସ୍ରାଏଲର ଶାସନଡୋରୀ ଆସିବା ପରେ ମଧ୍ୟ ପ୍ରାଚ୍ୟର ଇସଲାମିକ ଦେଶ ସହ ତିିକ୍ତତା ଆହୁରି ବଢିପାରେ । ଗତ ମାସରେ ୧୧ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ସଂଘର୍ଷରେ ତୁର୍କୀ ଓ ପାକିସ୍ତାନ ଇସ୍ରାଏଲ ବିରୋଧରେ ଅଧିକ ବିଷୋଦାଗାର କରୁଥିଲେ । ପାକିସ୍ତାନ ସହ ସାଉଦି ଆରବ ସମେତ ଅନେକ ଇସଲାମିକ ଦେଶ ଏବଂ ଦୁନିଆର ବାକି ଦେଶ ପାଲେଷ୍ଟାଇନକୁ ଏକ ସ୍ୱତନ୍ତ୍ର ଦେଶ କରିବାକୁ ଦାବି କରିଥିଲେ । ମାତ୍ର ବେନେଟ୍ ଇସ୍ରାଏଲଠୁ ପାଲେଷ୍ଟାଇନକୁ ଅଲଗା କରି ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବାକୁ ଖାରଜ କରି ଆସିଛନ୍ତି । ତେଣୁ ବେନେଟ୍ କ୍ଷମତାକୁ ଆସିବା ପରେ ଆରବ ଦେଶଗୁଡିକ ସହ ଇସ୍ରାଏଲର ଉତେଜନା ବଢିବାର ସମ୍ଭାବନା ଅଧିକ ରହିଛି ।