ଜରୁରୀକାଳୀନ ସମୟର ସେହି କାହାଣୀ, ଯେବେ ସ୍ଵାଧୀନ ଭାରତରେ ପ୍ରଥମ ଥର ପ୍ରଧାନମନ୍ତ୍ରୀଙ୍କୁ ଅଦାଲତରେ ହାଜର ହେବାକୁ ପଡିଥିଲା
ଭୁବନେଶ୍ଵର(ଓଡିଶା ଭାସ୍କର): ୧୯୭୫ ମସିହା ଜୁନ ୨୬ ତାରିଖ ସ୍ଵାଧୀନ ଭାରତର ଇତିହାସ ପାଇଁ ଥିଲା କଳା ଦିନ। ବିତି ସାରିଛି ସେହି କଳଙ୍କିତ ଅଧ୍ୟାୟ , ହେଲେ ମନରୁ ଏଯାଏ ଲିଭିନି ସେହିି ସମୟର ଦୃଶ୍ୟ, ଯାହା ଶରୀରରେ ଶିହରଣ ସୃଷ୍ଟି କରେ। ସେହି ସମୟର ଭୟ, ସଂସ୍ଥାର ଅବମୁଲ୍ୟାୟନ, ରାଜନୈତିକ ସ୍ଵାଧୀନତାର ହତ୍ୟା, ଦମନ, ନ୍ୟାୟପାଳିକା ଉପରେ ଆକ୍ରମଣ ଏବଂ ନିର୍ଭୀକ ସାମ୍ବାଦିକତା ଉପରେ ଆସିଥିବା ସଙ୍କଟ ଆଜି ମଧ୍ୟ ଜାରି ରହିଛି। ଏବେ ମଧ୍ୟ କୌଣସି ପ୍ରକାରେ ନ୍ୟାୟାପାଳିକା ଏବଂ ଗଣମାଧ୍ୟମର କଣ୍ଠରୋଧ ପାଇଁ ପରୋକ୍ଷରେ ଉଦ୍ୟମ ଚାଲିଛି। ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ୧୯୭୧ ମଧ୍ୟବର୍ତ୍ତୀ ନିର୍ବାଚନରେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ଏବଂ ରାୟବରେଲୀ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଜିତିବା ପାଇଁ ହୋଇଥିବା ଅନିୟମିତତା ୧୯୭୫ରେ ଜାରି ଜରୁରୀକାଳୀନ ସ୍ଥିତିର ପ୍ରମୁଖ କାରଣ।
ବାସ୍ତବରେ ୧୯୭୧ରେ ମଧ୍ୟବର୍ତ୍ତୀ ନିର୍ବାଚନ ତାରିଖ ଚୟନ ଖୋଦ୍ ଶ୍ରୀମତି ଇନ୍ଦିରା ଗାନ୍ଧୀ ହିଁ କରିଥିଲେ। ସେ ରାୟବେରଲୀରୁ ନିର୍ବାଚନ ଲଢିବେ ବୋଲି ମଧ୍ୟ ଘୋଷଣା କରି ସାରିଥିଲେ। ହେଲେ ବିରୋଧୀ ଦଳର କୌଣସି ବଡ ନେତା ତାଙ୍କ ବିରୋଧରେ ଲଢିବାକୁ ପ୍ରସ୍ତୁତ ନଥିଲେ। ୧୯୭୧ ଜାନୁଆରୀ ୧ରେ ସଂଯୁକ୍ତ ବିରୋଧୀ ସମାଜବାଦୀ ନେତା ରାଜନାରାୟଣଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। କିନ୍ତୁ ଇନ୍ଦିରା ଗାନ୍ଧୀ ଏହାକୁ ହାଲୁକା ଭାବେ ନେଇଥିଲେ। ସେହି ସମୟରେ ଡ. ଲୋହିଆଙ୍କ ନେତୃତ୍ଵାଧୀନ ସମାଜବାଦୀ ପାର୍ଟିର ନେତା ରାଜନାରାୟଣ ଗୃହ ଭିତରେ ଏବଂ ବାହାରେ ଶ୍ରୀମତି ଗାନ୍ଧୀଙ୍କ ତୀବ୍ର ସମାଲୋଚକ ଭାବେ ପ୍ରସିଦ୍ଧିଲାଭ କରି ସାରିଥିଲେ।
ଶେଷରେ ମାର୍ଚ୍ଚ ୯ରେ ଭୋଟ୍ ଗଣତିରେ ଇନ୍ଦିରା ଗାନ୍ଧୀ ପ୍ରାୟ ଏକ ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ। କିନ୍ତୁ ବିରୋଧୀ ଏହି ପରାଜୟକୁ ସହଜରେ ଗ୍ରହଣ କରି ପାରିନଥିଲେ। ଫଳସ୍ଵରୂପ ରାଜନାରାୟଣଙ୍କ ଓକିଲ ଶାନ୍ତି ଭୂଷଣ ଦ୍ଵାରା ଅଦାଲତରେ ଇନ୍ଦିରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା। ଆବେଦନରେ ଇନ୍ଦିରାଙ୍କ ବିଜୟକୁ ଚ୍ୟାଲେଞ୍ଜ କରାଯାଇଥିଲା।
ଅଭିଯୋଗ ପତ୍ରରେ ହିନ୍ଦୁ ମହାସଭାର ପ୍ରାର୍ଥୀ ସ୍ଵାମୀ ଅଦ୍ଧୈତାନନ୍ଦଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ଦେଇ ନିର୍ବାଚନୀ ମଇଦାନରେ ଓହ୍ଲାଇବା, ମତଦାତାଙ୍କୁ ପ୍ରଲୋଭିତ କରିବା ପାଇଁ କମ୍ବଳ, ଧୋତି, ମଦ ଆଦିର ଉପଯୋଗ କରିବା ଉଲ୍ଲେଖ କରାଯାଇଥିଲା। ସବୁଠୁ ଗୁରୁତର ଅଭିଯୋଗ ଯଶପାଲ କପୁରଙ୍କ ଭୂମିକାକୁ ନେଇ ଥିଲା। ଯଶପାଲ ଶ୍ରୀମତି ଗାନ୍ଧୀଙ୍କ ଓଏସଡି ରହି ମଧ୍ୟ ନିର୍ବାଚନରେ ତାଙ୍କ ଏଜେଣ୍ଟର ଭୂମିକା ନିର୍ବାହକ କରୁଥିଲେ।
ଯେମିତି ଯେମିତି ମୋକଦ୍ଦମା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲା, ସମଗ୍ର ଦେଶର ନଜର ଆହ୍ଲାବାଦ ହାଇକୋର୍ଟ ଉପରେ କେନ୍ଦ୍ରୀତ ଥିଲା। ହାଇକୋର୍ଟର ନାମୀ ଓକିଲ ସତୀଶ ଚନ୍ଦ୍ର ଖରେ ଇନ୍ଦିରାଙ୍କ ଓକିଲ ଥିଲ। ସ୍ଵାଧୀନ ଭାରତରେ ପ୍ରଥମ ଥର କୌଣସି ପ୍ରଧାନମନ୍ତ୍ରୀଙ୍କୁ କୋର୍ଟ ଯାଇ ସାକ୍ଷ୍ୟ ଦେବାକୁ ପଡିଥିଲା।
ଶେଷରେ ୧୯୭୫ ଜୁନ ୧୨ ତାରିଖ ଉପନ୍ନିତ ହୋଇଥିଲା। ବିଚାରପତି ସିହ୍ନାଙ୍କ ସଚିବଙ୍କ ଘରେ ସିଆଇଡିର ଅଫିସର ଚକ୍କର କାଟିବାକୁ ଲାଗିଥିଲେ। ତାଙ୍କୁ ଭୟଭୀତ କରାଇବାକୁ ଉଦ୍ୟମ କରାଗଲା। ଶାନ୍ତିଭୂଷଣଙ୍କୁ ମଧ୍ୟ ପ୍ରଲୋଭନ ଦିଆଗଲା। ମାତ୍ର ଜୁନ ୧୨ରେ ବିଚାରପତି ସିହ୍ନା ଇନ୍ଦିରା ଗାନ୍ଧୀଙ୍କୁ ନିର୍ବାଚନ ଅନିୟମିତା ଭାବେ ଜିତିବା ମାମଲାରେ ଦୋଷୀ ମାନି ତାଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିଥିଲେ। ଏପରିକି ଇନ୍ଦିରାଙ୍କୁ ଛଅ ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରିଥିଲେ।
ଏହାପରେ ସମସ୍ତ ବିରୋଧୀ ଦଳ ଶ୍ରୀମତି ଗାନ୍ଧୀଙ୍କ ଇସ୍ତଫା ଦାବି କରିଥିଲେ। ଦେଶବ୍ୟାପୀ ଆନ୍ଦୋଳନ ପାଇଁ ମୋରାଜଜୀ ଭାଇ ଓ ନାନାଜୀ ଦେଶମୁଖଙ୍କ ନେତୃତ୍ଵରେ ସଂଘର୍ଷ ସମିତି ଗଠନ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା। ମାତ୍ର ଇନ୍ଦିରା ଗାନ୍ଧୀ ଇସ୍ତଫା ଦେବେ ନାହିଁ ବୋଲି ଘୋଷଣା କରିଥିଲେ ଏବଂ ଚାଟୁକାର ତାଙ୍କୁ ଦେଶର ମୁଖ୍ୟ କରିବାରେ ଜୁଟି ଯାଇଥିଲେ।
ଶେଷରେ ୧୯୭୫ ଜୁନ ୨୬ ତାରିଖ ସନ୍ଧ୍ୟାରେ ଦିଲ୍ଲୀର ରାମଲୀଲା ମଇଦାନରେ ଏକ ବିଶାଳ ଜନସଭାର ଆୟୋଜନ କରାଗଲା। ଏଥିରେ ଜୟପ୍ରକାଶ ନାରାୟଣଙ୍କ ଦ୍ଵାରା ସଂପୂର୍ଣ୍ଣ କ୍ରାନ୍ତିର ଆହ୍ଵାନ କରାଯାଇଥିଲା। ସେ ଜନସଭାକୁ ସମ୍ବୋଧିତ କରି କହିଥିଲେ ଯେ, ମୁଁ ଆଜି ସମସ୍ତ ପୋଲିସ କର୍ମଚାରୀ ଏବଂ ଯବାନଙ୍କୁ ଆହ୍ଵାନ କରୁଛି ଯେ, ସେମାନେ ଏହି ସରକାରର ଆଦେଶ ମାନନ୍ତୁ ନାହିଁ, କାରଣ ଏହି ସରକାର ଶାସନ କରିବାର ଅଧିକାର ଏବଂ ବୈଧତା ହରାଇ ସାରିଛି।
ଇନ୍ଦିରା ଗାନ୍ଧୀ ଗାଦି ହାତେଇବା ପାଇଁ ଏତେ ଆତୁର ଥିଲେ ଯେ, ସମ୍ବିଧାନର ନିୟମକୁ ପାଦ ତଳେ ରଖି ଜୁନ ୨୫ ତାରିଖ ମଧ୍ୟରାତ୍ରରେ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରି ଦେଲେ। ଜୟପ୍ରକାଶ ନାରାୟଣ, ମୋରାଜଜୀ ଦେଶାଇ, ଚୌଧୁରୀ ଚରଣ ସିଂହ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାଣୀ, ରାଜନାରାୟଣ, ମଧୁ ଲିମୟେ ସମେତ ଦୁଇ ଲକ୍ଷ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ବିନା କାରଣରେ ଡିଆଇଆର ଓ ମୀସା ପରି କଳା ଆଇନ ଜରିଆରେ ଜେଲରେ ଭର୍ତ୍ତି କରାଗଲା।
କୁଲଦୀପ ନାୟରଙ୍କ ସମେତ ୨୦୦ ସାମ୍ବାଦିକଙ୍କୁ ଗିରଫ କରାଗଲା। ପିଆଇପିରୁ ସମସ୍ତ ଗଣମାଧ୍ୟମ ସଂସ୍ଥାକୁ ନିର୍ଦ୍ଦେଶ ଦିଆଗଲା ଯେ, ବିନା ଅନୁମତିରେ କୌଣସି ସମାଚାର ପ୍ରକାଶିତ ହେବ ନାହିଁ। ଏହି ଜରୁରୀକାଳୀନ ସ୍ଥିତି ସମସ୍ତ ରାଜନୈତିକ ଦଳଗୁଡିକ ପାଇଁ ଉଚିତ୍ ଶିକ୍ଷା ଥିଲା। ପାରିବାରିକ ରାଜ କରିବା ପାଇଁ କୌଣସି ଦଳ କିମ୍ବା ନେତା ଭବିଷ୍ୟତରେ ଯେମିତି ଉଦ୍ୟମ କରିବେ ନାହିଁ, ସେଥିପାଇଁ ଦଳରେ ଗଣତନ୍ତ୍ର ବଜାୟ ରଖିବା ଅତି ଜରୁରୀ। କୌଣସି ବ୍ୟକ୍ତି କିମ୍ବା ଦଳର ସୀମାଠୁ ଦେଶ ସର୍ବଦା ଉଚ୍ଚରେ ରହିବା ଉଚିତ୍। ନହେଲେ ଦେଶ ପୁଣିଥରେ ଜରୁରୀକାଳୀନ ସ୍ଥିତିର ସମ୍ମୁଖୀନ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ।