ନୂଆଦିଲ୍ଲୀ: ଦେଶର ଜଣେ ଆଗଧାଡ଼ିର ସାମ୍ବାଦିକ ପାଲାଗୁମ୍ମି ସାଇନାଥଙ୍କୁ ୨୦୨୧ ବର୍ଷ ପାଇଁ ଫୁକୋକା ଗ୍ରାଣ୍ଡ ପୁରସ୍କାର ପ୍ରଦାନ କରାଯାଇଛି । ଜାପାନର ଫୁକୋକା ସିଟି ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ତରଫରୁ ଏହି ପୁରସ୍କାର ଦିଆଯାଇଥାଏ । ଏସିଆ ମହାଦେଶର ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ଥିବା ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସଂସ୍ଥାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ । ଭାରତର ଗ୍ରାମ୍ୟ କୃଷି ଓ କୃଷକଙ୍କ ବାସ୍ତବ ଜୀବନଧାରଣର ସମସ୍ୟା ଉପରେ ଲଗାତାର ଭାବେ କାର୍ଯ୍ୟ କରି ଆସୁଥିବାର ସାଇନାଥଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବା ଫୁକୋକା ପୁରଷ୍କାର କମିଟି ପକ୍ଷରୁ କୁହାଯାଇଛି ।
ଏସିଆ ମହାଦେଶରେ ବିଭିନ୍ନ ପରିବର୍ତ୍ତନ ଘଟୁଥିବା ସମୟରେ ସାଇନାଇ ନୂତନ ଜ୍ଞାନ ଆହରଣ ପାଇଁ ପ୍ରୟାସୀ ହେବା ସହ ଜନସାଧାରଣଙ୍କ ସହଯୋଗକୁ ପ୍ରୋତ୍ସାହିତ କରୁଥିଲେ । ତେଣୁ ତାଙ୍କୁ ପ୍ରଥମେ ପୁରସ୍କାର ପାଇଁ ପ୍ରାଧାନ୍ୟ ଦିଆଯାଇଥିବା କୁହାଯାଇଛି । ୨୦୧୪ ମସିହାରେ ସାଇନାଥ ଡିଜିଟାଲ ସାମ୍ବାଦିକତା ପାଇଁ ‘ପିପୁଲ୍ସ ଆର୍କାଇଭ ଅଫ୍ ରୁରାଲ ଇଣ୍ଡିଆ’ ପ୍ରତିଷ୍ଠା କରିବା ସହ ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରର ଲୋକଙ୍କ ବିଷୟରେ ଅନେକ ତଥ୍ୟ ସଂଗ୍ରହ କରିଥିଲେ । ସାଇନାଥ ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ବେଳେ ‘ଦ ହିନ୍ଦୁ’ ଖବରକାଗଜର ସମ୍ପାଦକ ଓ ରାଜନୀତିକ ପତ୍ରିକା ‘ବ୍ଲିଟଜ’ର ଉପସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ୨୦୦୧ ମସିହାରେ ସେ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ବୋରେମା ପୁରସ୍କାର ପାଇଥିଲେ ।
ସୂଚନା ଯୋଗ୍ୟ ଯେ, ସାଇନାଥଙ୍କ ୨୮ ବର୍ଷର ସାମ୍ବାଦିକତା କ୍ୟାରିୟର ମଧ୍ୟରେ ସେ ୩୫ଟି ପୁରସ୍କାର ପାଇଛନ୍ତି । ମାତ୍ର ଚଳିତ ବର୍ଷ ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପଦ୍ମଶ୍ରୀ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ସାମ୍ବାଦିକତା ସରକାରଙ୍କ ଦ୍ୱାରା ବିଚାର କରାଯିବା ଅନୁଚିତ ଓ ଯେଉଁ ବିଟରେ ଜଣେ ସାମ୍ବାଦିକ କଲମ ଚାଳନା କରେ, ତାହା ଉପରେ ମଧ୍ୟ ପୁରସ୍କାର ଗ୍ରହଣ କରିବା ଅନୁଚିତ ବୋଲି ସେ କହିଥିଲେ । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି, ସାଇନାଥଙ୍କ ପରି ଜଣେ ବିଜ୍ଞ, ଉଚ୍ଚଶିକ୍ଷିତ, ବିଦ୍ୱାନ, ଉଚ୍ଚପ୍ରତିଷ୍ଠିତ ବ୍ୟକ୍ତି କେଉଁ ଆଧାରରେ ଏକ ବିଦେଶୀ ସଂସ୍ଥାଠାରୁ ପୁରସ୍କାର ଗ୍ରହଣ କରିପାରିଲେ । ତେବେ ଏପରି କରିବା ପଛରେ ସାଇନାଥଙ୍କ କ’ଣ ଉଦ୍ଦେଶ୍ୟ ରହିଛି, ତାହାର ଉତ୍ତର ସେ ନିଜେ ହିଁ ଦେଇପାରିବେ ।