fbpx

ମ୍ୟାଚରେ ଡିଭିଲିୟର୍ସଙ୍କ ବେଇମାନି ଦେଖି ବିଶ୍ୱାସ କରି ପାରିନଥିଲେ ସଚିନ, ଗାଙ୍ଗୁଲି ଓ ଧୋନୀ, ପରେ ଏମିତି ମିଳିଲା ସଜା

ନୂଆଦିଲ୍ଲୀ : ଏବି ଡିଭିଲିୟର୍ସ ଏମିତି ଜଣେ କ୍ରିକେଟର ଯାହାଙ୍କର ପ୍ରଶଂସକ ପୂରା ଦୁନିଆରେ ରହିଛି । ଏବିଡି ନିଜ ଖେଳ ସହିତ ଖେଳୁଆଡ ମନୋଭାବ ପାଇଁ ମଧ୍ୟ ପରିଚିତ । ମାତ୍ର କ୍ୟାରିୟର ଆରମ୍ଭରେ ସେ ଭାରତ ବିପକ୍ଷ ଏକ ମ୍ୟାଚରେ ଚିଟିଂ କରିଥିଲେ । ମାତ୍ର ଏହା ପରେ ବି ନିଜ ଦଳକୁ ଜିତାଇ  ପାରିନଥିଲେ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୦୦୭ରେ ଆୟରଲାଣ୍ଡରେ ଫ୍ୟୁଚର କପ୍ ଖେଳାଯାଇଥିଲା ।

ଦିନିକିଆ ସିରିଜର ଏହି ଶେଷ ମ୍ୟାଚ୍ ବେଲଫାଣ୍ଟରେ ଜୁଲାଇ ୧ରେ ଖେଳାଯାଇଥିଲା । ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ଜିତିଥିଲା ଭାରତ । ଏବି ଡିଭିଲିୟର୍ସ ନିଜ କ୍ୟାରିୟର ନୂଆଁ ନୂଆଁ ଆରମ୍ଭ କରୁଥିଲେ । ମ୍ୟାଚରେ ସେ ମୋର୍ଣ୍ଣେ ଭ୍ୟାନ ୱିକଙ୍କ ସହ ଓପନିଂ କରିଥିଲେ । ୱିକ୍ ଓ ଜ୍ୟାକ କାଲିସ କୌଣସି ରନ ନକରି ପାଭିଲିୟନ ଫେରିଥିଲେ । ଦକ୍ଷିଣ ଆଫ୍ରିକା ୨ ୱିକେଟ୍  ହରାଇ ୮ ରନ କରି ଆଉଟ୍ ହୋଇଥିଲେ ।

ଦକ୍ଷିଣ ଆଫ୍ରିକା ଇନିଂସର ପଞ୍ଚମ ଓଭର ବୋଲିଂ କରୁଥିଲେ ଜାହିର ଖାନ । ଜାହିରଙ୍କ ପ୍ରଥମ ବଲକୁ ବୁଝି ପାରିନଥିଲେ ଡିଭିଲିୟର୍ସ ଏବଂ ବଲ୍ ବ୍ୟାଟର ଏଜ୍ ଲାଗି ସ୍ଲିପରେ ଛିଡା ହୋଇଥିବା ସଚିନ ତେନ୍ଦୁଲକରଙ୍କ ହାତକୁ ଯାଇଥିଲା । ଜାହିରଙ୍କ ସମେତ ଭାରତୀୟ ଦଳର ବାକି ଖେଳାଳି ୱିକେଟ୍ ଯିବା ଖୁସିରେ ଉତ୍ସବ ମନାଇବାରେ ଲାଗିଥିଲେ । କିନ୍ତୁ ଏବିଡି ନିଜ ଜାଗାରୁ ହଲିନଥିଲେ । ଉକ୍ତ ମ୍ୟାଚରେ ଅମ୍ପାୟରିଂ କରୁଥିଲେ ଅଲିମ ଦାର । ଏବିଡି ୱିକେଟରେ ସେମିତି ଛିଡା ହୋଇ ରହିଥିଲେ । ବୋଧହୁଏ ଏହା ଦେଖି ଅଲିମ ଦାର ତାଙ୍କୁ ନଟଆଉଟ୍ ଦେଇଥିଲେ ।

ସେହି ସମୟରେ ଡିଆରଏସ ପ୍ରଣାଳୀ ନଥିଲା । ଫଳରେ ଭାରତୀୟ ଦଳକୁ ବାଧ୍ୟ ହୋଇ ଅମ୍ପାୟରଙ୍କ ନିଷ୍ପତ୍ତି ମାନିବାକୁ ପଡିଥିଲା । ଏବିଡିଙ୍କ ଏହି ଧରଣର ବେଇମାନି ଭାରତୀୟ ଦଳକୁ କଦାପି ପସନ୍ଦ ଆସିନଥିଲା । ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନୀ ଓ ଜାହିର ଖାନ ସମେତ ପୂରା ଭାରତୀୟ ଦଳ ଏହା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ ।

ଏହା ସତ୍ତ୍ୱେ ବି ଡିଭିଲିୟର୍ସ ଇନିଂସକୁ ଆଗକୁ ବଢାଇ  ପାରିନଥିଲେ । ସେ ୩୫ ବଲରୁ ୧୫ ରନ କରି ସୌରଭ ଗାଙ୍ଗୁଲିଙ୍କୁ କ୍ୟାଚ୍ ଦେଇ ପାଭିଲିୟନ ଫେରିଥିଲେ । ବର୍ଷା କାରଣରୁ ମ୍ୟାଚ୍ ୩୧ ଓଭର ଲେଖାଏଁ ଖେଳା ଯାଇଥିଲା । ଦକ୍ଷିଣ ଆଫ୍ରିକା ୩୧ ଓଭରରେ ୭ ୱିକେଟ୍ ହରାଇ ୧୪୮ ରନ କରିଥିଲା । ଜବାବରେ ଭାରତ ୩୦.୨ ଓଭରରେ ଚାରି ୱିକେଟ୍ ହରାଇ ୧୫୨ ରନ କରି ମ୍ୟାଚ୍ ଜିତି ନେଇଥିଲା ।

Get real time updates directly on you device, subscribe now.