ଆଇପିଏଲର ନିଲାମର ତାରିଖ ସ୍ଥିର, ସାମିଲ ହେବେ ୨ ନୂଆ ଟିମ୍, ଏତିକି ଖେଳାଳିଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ : ବିଶ୍ଵର ସବୁଠୁ ବଡ ଟି-୨୦ ଲିଗ୍ ଆଇପିଏଲରେ ଆହୁରି ମଜା ଜମିବ। ଦଳ ସଂଖ୍ୟା ବଢିବ ଏବଂ ଦର୍ଶକଙ୍କୁ କ୍ରିକେଟର ରୋମାଞ୍ଚ ଆହୁରି ଦେଖିବାକୁ ମିଳିବ। ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ଦୁଇ ନୂତନ ଦଳ ସାମିଲ କରାଯିବ। ଆସନ୍ତା ମାସ ସୁଦ୍ଧା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଏହାର ଟେଣ୍ଡର ଆହ୍ଵାନ କରି ପାରେ। ଏଥିରେ ବିସିସିଆଇର ମୋଟା ଅଙ୍କର ଆୟ କରିବାର  ଆଶା ରହିଛି। ଏ ପର୍ଯ୍ୟନ୍ତ ଆଇପିଏଲରେ ୮ଟି ଦଳ ଖେଳି ଆସୁଛନ୍ତି। ଦୁଇ ନୂଆ ଟିମ୍ ସାମିଲ ହେଲେ ଏହାର ସଂଖ୍ୟା ୧୦କୁ ବୃଦ୍ଧି ଘଟିବ।

ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ, ଅଗଷ୍ଟ ମାସରେ  ବିସିସିଆଇ ଦୁଇ ନୂତନ ଦଳ ପାଇଁ ଟେଣ୍ଡର ଆହ୍ଵାନ କରିପାରେ। ତେଣୁ ଅକ୍ଟୋବର ସୁଦ୍ଧା ଆଇପିଏଲକୁ ଆଉ ଦୁଇଟି ନୂତନ ଦଳ ମିଳିଯିବେ। ଗୋୟନକା ଓ ଅଡାନୀ ଗ୍ରୁପ ଆଇପିଏଲ ଦଳ କିଣିବା ଦୌଡରେ ସବୁଠୁ ଆଗରେ ଅଛନ୍ତି। ଦୁଇ ନୂତନ ଦଳ ସାମିଲ ହେବା ପରେ ମ୍ୟାଚ୍ ସଂଖ୍ୟା ବଢିବ। ଅନ୍ୟପଟେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଆଗାମୀ ଜାନୁଆରୀରେ ମିଡିଆ ଅଧିକାର ନେଇ ଟେଣ୍ଡର ମଧ୍ୟ ବାହାର କରିପାରେ।

ଖବର ଅନୁଯାୟୀ, ଡିସେମ୍ବର ମାସରେ  ବିସିସିଆଇ ଖେଳାଳିଙ୍କ ମେଗା ନିଲାମ କରିପାରେ। ଅର୍ଥାତ ଖେଳାଳିଙ୍କୁ ପୁଣି ଥରେ ଫ୍ରାଞ୍ଚାଇଜିମାନେ ନୂତନ ଭାବେ କିଣିବେ। ଦୁଇ ନୂତନ ଦଳରେ ୫୦ ଖେଳାଳିଙ୍କୁ ସୁଯୋଗ ମିଳିବ। ସେହି ପରି ପ୍ରତ୍ୟେକ ଦଳ ଚାରି ଖେଳାଳିଙ୍କୁ ରିଟେନ୍ କରି ପାରିବେ। ଏଥିପାଇଁ ଏକ ସର୍ତ୍ତ ରହିବ। ଯେଉଁ ଚାରି ଖେଳାଳିଙ୍କୁ ଦଳରେ ରଖିବେ ସେଥିରେ ତିନି ଦେଶୀ ଏବଂ ଜଣେ ବିଦେଶୀ ଖେଳାଳି ରହିବା ବାଧ୍ୟତାମୂଳକ। ନଚେତ୍ ଦୁଇ ଦେଶୀ ଏବଂ ଦୁଇ ବିଦେଶୀ ଖେଳାଳି ରଖିପାରିବେ।